ସ୍ବପ୍ନ ସାକାର କରିବାର ଇଚ୍ଛାଶକ୍ତି ଓ ବୁଦ୍ଧି ଥିଲେ ତା’ ଆଗରେ ବୟସ ବି ହାର୍‌ ମାନେ। କଅଁଳ ହାତରେ ସବୁ ସଫଳତାକୁ କଠିନ ପରିଶ୍ରମ ବଳରେ ସାଉଁଟି ଧରେ। ସେମିତିି ଜଣେ ବାଳିକା ହେଉଛନ୍ତି ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ପଦ୍ମଶ୍ରୀ ଓ ଶ୍ରୀନିବାସଙ୍କ ଝିଅ ଜାହ୍ନବୀ ଡାଙ୍ଗେତି। ମାତ୍ର ୨୩ ବର୍ଷ ବୟସରେ ସେ ତାରାମାନଙ୍କ ଗହଳିରେ ନିଜ ନାମକୁ ଲିପିବଦ୍ଧ କରି ଦୁନିଆ ଆଗରେ ନିଜ ପରିଚୟ ସୃ‌ଷ୍ଟି କରି‌ବାର ସ୍ବପ୍ନ ଦେଖିଛନ୍ତି। 

Advertisment

କୁନି ମହାକାଶଚାରୀ ଜାହ୍ନବୀ ଡାଙ୍ଗେତି ଗୋଦାବରୀ ଜିଲ୍ଲାରେ ସ୍କୁଲ୍‌ ପାଠପଢ଼ା ସମାପ୍ତ କରିଥିଲେ। ପରେ ସେ ପଞ୍ଜାବର ଲଭ୍‌ଲି ପ୍ରଫେସ୍‌ନାଲ୍‌ ୟୁନିଭର୍‌ସିଟି‌େର ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ ଇଞ୍ଜିନିୟରିଂ ଶିକ୍ଷା ଶେଷ କରିଥିଲେ। ଏହାପରେ ମହାକାଶଚାରୀ ହେବାର ସ୍ବପ୍ନରେ ଆଗକୁ ବଢ଼ିଥିଲେ। ପ୍ରଥମେ ଜାହ୍ନବୀ ‘ନାସା’ ସହ କାର୍ଯ୍ୟ କରି ଆନ୍ତର୍ଜାତୀୟ ଗବେଷଣା ପ୍ରକଳ୍ପରେ ଭାଗ ନେଇ ନିଜ ପରିଚୟ ସୃଷ୍ଟି କରିଛନ୍ତି। ୨୦୨୨ ମସିହାରେ ଦକ୍ଷିଣ ପୋଲାଣ୍ଡର କ୍ରାକୋରେ ଥିବା ଆନାଲଗ୍ ଆଷ୍ଟ୍ରୋନଟ୍ ଟ୍ରେନିଂ ସେଣ୍ଟର (ଏଏଟିସି)ର ସର୍ବକନିଷ୍ଠ ଭାରତୀୟ ମହାକାଶଚାରୀ ଭାବେ ପରିଚିତ ହାସଲ କରିଥିଲେ। 

ଜାହ୍ନବୀ ଡାଙ୍ଗେତିଙ୍କୁ ଆମେରିକାର ଏକ ଘ‌େରାଇ ମହାକାଶ ଗବେଷଣା ସଂସ୍ଥା ‘ଟାଇଟାନ୍‌ ସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌’ ସହିତ ଭବିଷ୍ୟତ ମିସନ ପାଇଁ ଜଣେ ମହାକାଶଚାରୀ ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଛି। ସେ ଭାରତର ପ୍ରଥମ କନିଷ୍ଠ ମହିଳା ମହାକାଶଚାରୀ ଭାବେ ନିଜର ଦକ୍ଷତା ଓ ପରିଚୟ ସୃଷ୍ଟି କରିଛନ୍ତି। ଏହି ମିସନ ୨୦୨୯ ଲଞ୍ଚ୍‌ କରାଯିବ। ଆସନ୍ତା ତିନିବର୍ଷ ଜାହ୍ନବୀଙ୍କୁ ତାଲିମ୍‌ ପ୍ରଦାନ କରାଯିବ। ଏହି ମିସନଟି କକ୍ଷପଥରେ ୫ ଘଣ୍ଟା ପର୍ଯ୍ୟନ୍ତ ଉଡ଼ାଣ କରିବ। ଏଥିରେ ତିନି ଘଣ୍ଟା ଧରି ନିରନ୍ତର ଶୂନ୍ୟ ଗୁରୁତ୍ୱାକର୍ଷଣ ରହିବ, ଯାହା ବୈଜ୍ଞାନିକ ଗବେଷଣା ଓ ମାନବ ମହାକାଶ ଉଡ଼ାଣ ଉନ୍ନତି ପାଇଁ ଏକ ଉତ୍ତମ ମାଧ୍ୟମ ଭାବେ ସଫଳ ହେବ ବୋଲି ଜାହ୍ନବୀଙ୍କ ସହିତ ବୈଜ୍ଞାନିକମାନେ ମଧ୍ୟ ଆଶାବାଦୀ ଅଛନ୍ତି।