କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କମ୍ପାନି ଓପନ୍ଏଆଇ ଦ୍ବାରା ବିକଶିତ ‘ଚାଟ୍ଜିଟିପି’ ସଫ୍ଟୱେର୍ ସମ୍ପ୍ରତି ବିଶ୍ୱର ସବୁଠାରୁ ଲୋକପ୍ରିୟ ଏଆଇ ଚାଟ୍ବଟ୍, ଯାହାକୁ ପ୍ରତି ସପ୍ତାହ ୭୦ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ୨୦୨୪ ମେ’ ମାସରୁ ୨୦୨୫ ଜୁନ୍ ଭିତରେ ଦେଢ଼ ନିୟୁତ ବାର୍ତ୍ତାଳାପର ବିଶ୍ଳେଷଣରୁ ପ୍ରସ୍ତୁତ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ପ୍ରାୟ ଅଧା ଚାଟ୍ଜିପିଟି ବ୍ୟବହାରକାରୀଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ। ୨୦୨୨ ମସିହାରେ ଏହାର ପ୍ରସାର ଆରମ୍ଭ ସମୟରେ ୮୦% ବ୍ୟବହାରକାରୀ ପୁରୁଷ ଥିଲେ, କିନ୍ତୁ ୨୦୨୫ ଜୁନ୍ ସୁଦ୍ଧା ମହିଳା ବ୍ୟବହାକାରୀମାନେ (୫୨%) ପୁରୁଷଙ୍କୁ ଟପିଯାଇଛନ୍ତି। ଧନୀ ଦେଶଗୁଡ଼ିକ ତୁଳନାରେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଚାଟ୍ଜିପିଟିର ଗ୍ରହଣୀୟତା ଚାରି ଗୁଣ ଅଧିକ ବୋଲି ଜଣାପଡ଼ିଛି।
ଏବେ ସାଧାରଣ ପ୍ରଶ୍ନର ଉତ୍ତର ଦେବାରୁ ଆରମ୍ଭ କରି ଗୁଗଲ୍ ସର୍ଚ୍ଚର ଉନ୍ନତ ବିକଳ୍ପ ଭାବେ ଚାଟ୍ଜିପିଟିକୁ ବ୍ୟବହାର କରାଯାଉଛି। ଲୋକେ ଏବେ ଏହାକୁ ପେସାଦାର କାମ ଅପେକ୍ଷା ବ୍ୟକ୍ତିଗତ ଜୀବନରେ ଅଧିକ ବ୍ୟବହାର କରୁଛନ୍ତି।
ସେହିପରି ୨୦୨୪ ଜୁନ୍ରେ ଯେତିକି ଲୋକ ଚାଟ୍ଜିପିଟିକୁ ପେସାଦାର କାମ ପାଇଁ ବ୍ୟବହାର କରୁଥିଲେ, ବ୍ୟକ୍ତିଗତ ସହାୟତା ପାଇଁ ମଧ୍ୟ ପାଖାପାଖି ସେତିକି ଲୋକ ବ୍ୟବହାର କରୁଥିଲେ। ତେବେ ଜୁନ୍ ୨୦୨୫ ବେଳକୁ ବ୍ୟକ୍ତିଗତ ଜୀବନରେ ଏହାର ଉପଯୋଗ ହାର ୭୩%କୁ ବଢ଼ିଯାଇଛି। ଲୋକେ ମୁଖ୍ୟତଃ ପ୍ରଶ୍ନ ପଚାରିବା (ଗୁଗଲ୍ ସର୍ଚ୍ଚର ବିକଳ୍ପ ଭାବେ), ବ୍ୟାବହାରିକ ମାର୍ଗଦର୍ଶନ ନେବା ଓ ଲେଖାଲେଖିରେ ସହାୟତା ପାଇଁ ଚାଟ୍ଜିଟିପିକୁ ବ୍ୟବହାର କରୁଛନ୍ତି। ସମସ୍ତ ଚାଟ୍ଜିପିଟି ବାର୍ତ୍ତାଳାପର ପ୍ରାୟ ଅଧା (୪୯%) ‘ପ୍ରଶ୍ନ ପଚାରିବା’ ବର୍ଗରେ ଆସୁଛି। ବ୍ୟବହାରକାରୀମାନେ ଏହି ଏଆଇ ଚାଟ୍ବଟ୍କୁ ଏକ ପ୍ରକାର ଡିଜିଟାଲ୍ ପରାମର୍ଶଦାତା ଭାବରେ ବ୍ୟବହାର କରୁଛନ୍ତି ଏବଂ କୌଣସି ବିଷୟ ନେଇ ପ୍ରଶ୍ନ, ସ୍ପଷ୍ଟୀକରଣ କିମ୍ବା ନିଷ୍ପତ୍ତି ଗ୍ରହଣରେ ସାହାଯ୍ୟ ପାଇବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ଚାଟ୍ଜିପିଟିର ଦ୍ୱିତୀୟ ସର୍ବାଧିକ (୪୦%) ବ୍ୟବହାରକାରୀ ହେଉଛନ୍ତି ପେସାଦାର ବର୍ଗ।
ଏଥିରେ ଇମେଲ୍ ଡ୍ରାଫ୍ଟ ଓ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା, ସମୟସୂଚୀ ଯୋଜନା କରିବା କିମ୍ବା ପ୍ରୋଗ୍ରାମିଂ ଭଳି ପେସାଦାର କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ। ସେହିପରି ଚାଟ୍ଜିଟିପିକୁ ପଠାଯାଇଥିବା ୧୧% ବାର୍ତ୍ତା ‘ଅଭିବ୍ୟକ୍ତି’ ବର୍ଗର। ଏହି ବର୍ଗରେ ବ୍ୟବହାରକାରୀମାନେ ବ୍ୟକ୍ତିଗତ ପ୍ରତିଫଳନ, ଅନୁସନ୍ଧାନ ଓ ଅନ୍ତରଙ୍ଗ କଥାବାର୍ତ୍ତା ପାଇଁ ଚାଟ୍ଜିଟିପି ବ୍ୟବହାର କରନ୍ତି ବୋଲି ଜଣାପଡ଼ିଛି। ଅନେକ ଲୋକ ପ୍ରେମସମ୍ପର୍କ ଭଳି ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ପ୍ରସଙ୍ଗରେ ଚାଟ୍ଜିପିଟି ସହ କଥା ହେବାକୁ ପସନ୍ଦ କରୁଛନ୍ତି।