ପୁରାଣ ଅନୁସାରେ ବିଷ୍ଣୁଭକ୍ତ ପ୍ରହଲ୍ଲାଦଙ୍କୁ ତାଙ୍କ ବାପା ହିରଣ୍ୟକାଶ୍ୟପ ଯଥେଷ୍ଟ ନିର୍ଯାତନା ଦେଇଥିଲେ। ମାତ୍ର ବାଳିତ ପ୍ରହଲ୍ଲାଦ ବିଷ୍ଣୁଙ୍କ ନାମ ସ୍ମରଣ କରି ଅତି ସହଜରେ ହିରଣ୍ୟକଶ୍ୟପର ଅତ୍ୟାଚାରକୁ ସହି ଯାଉଥିଲେ। ତେବେ ହିରଣ୍ୟକଶ୍ୟପର ଅନୀତି ସୀମା ଲଙ୍ଘିବା ପରେ ଶେଷରେ ହିରଣ୍ୟକାଶ୍ୟପଙ୍କୁ ବଧ କରିବା ପାଇଁ ବିଷ୍ଣୁ ନୃସିଂହ ଅବତାର ନେଇ ଏକ ଖମ୍ବରୁ ବାହାରିଥିଲେ। ବ୍ରହ୍ମାଙ୍କୁ ଆରଧନା କରି ହିରଣ୍ୟକଶ୍ୟପ ବର ପ୍ରାପ୍ତ ହୋଇଥିଲା ଯେ ସେ ନର, ଦାନବ, କିନ୍ନର, ଯକ୍ଷ, ଦେବତା କାହା ଦ୍ୱାରା ମରିବ ନାହିଁ। ସେ ଘରେ ମରିବ ନାହିଁ କିମ୍ବା ବାହାରେ ମରିବ ନାହିଁ। ସେ ଜଳରେ ବୁଡ଼ିବ ନାହିଁ କିମ୍ବା ଅଗ୍ନିରେ ପୋଡ଼ିବ ନାର୍ହିଁ।ସେ ଅସ୍ତ୍ରରେ ମରିବ ନାହିଁ କିମ୍ବା ଶସ୍ତ୍ରରେ ମରିବ ନାହିଁ। ସେ ଦିନରେ ମରିବ ନାହଁ କିମ୍ବା ରାତିରେ ମରିବ ନାହିଁ। ସେ ଆକାଶରେ ମରିବ ନାହିଁ କିମ୍ବା ମାଟିରେ ମରିବ ନାହିଁ। ଏତେ ବର ପାଇବା ପରେ ନିଜକୁ ଏକ ପ୍ରକାର ଅମର ବୋଲି ଭାବି ନେଇଥିଲା ହିରଣ୍ୟକଶ୍ୟପ ଓ ସେହି ଅନୁଯାୟୀ ପ୍ରଜାମାନଙ୍କୁ ନିର୍ଯାତନା ଦେଉଥିଲା। ତେବେ ଯେତେବେଳେ ବାଳକ ପୁତ୍ର ପ୍ରହଲାଦ ପ୍ରତି ହିରଣ୍ୟକଶ୍ୟପର ଅତ୍ୟାଚାର ଅସହ୍ୟ ହେଲା, ପ୍ରହଲ୍ଲାଦଙ୍କ ବିଶ୍ୱାସକୁ ଚରିତାର୍ଥ କରିବା ପାଇଁ ସ୍ୱୟଂ ବିଷ୍ଣୁ ଏକ ଖମ୍ବରୁ ବାହାରି ହିରଣ୍ୟକଶ୍ୟପକୁ ବଧ କରିିଥିଲେ।
ଏଥିପାଇଁ ସେ ନର ଶରୀର ଓ ସିଂହର ମୁଖ ନେଇ ଏକ ଅଦ୍ଭୂତ ଶରୀରର ସଂରଚନା କରି ଆବିର୍ଭୁତ ହୋଇଥିଲେ। ଯେତେବେଳେ ନୃସିଂହ ଅବତାର ନେଇ ବିଷ୍ଣୁ ଆସିଲେ ସେତେବେଳେ ସମୟ ଥିଲା ଗୋଧୁଳି ଲଗ୍ନ। ସୂର୍ଯ୍ୟ ଅସ୍ତାଚଳରେ ଅସ୍ତ ଯାଇ ସାରିଥିଲେ ମାତ୍ର ରଜନୀ ରାଣି ଧରାପୃଷ୍ଠକୁ ଆସି ନ ଥିଲେ। ମହାପ୍ରଭୁ ନୃସିଂହ ହିରଣ୍ୟକଶ୍ୟପକୁ ଘରର ଦୁଆରବନ୍ଧ ଉପରେ ନିଜ ଜଙ୍ଘ ଉପରେ ରଖି ନଖ ଦ୍ୱାରା ବିଦରଣ କରି ବଧ କରିଥିଲେ। ଫଳରେ ବ୍ରହ୍ମାଙ୍କ ବରଦାନ ସତ୍ୟ ହୋଇଥିଲା। ତେବେ ହିରଣ୍ୟକଶ୍ୟପଙ୍କୁ ବଧ କରି ସାରିବା ପରେ ନୃସିଂହ ଅବତାରରେ ଥିବା ବିଷ୍ଣୁ ଆଖି ଲାଲ କରି ବିଶ୍ୱବ୍ରହ୍ମାଣ୍ଡ ପରିକ୍ରମା କରିଥିଲେ। ତାଙ୍କ କ୍ରୋଧାଗ୍ନି ଏତେ ଅଧିକ ଥିଲା ଯେ ତାଙ୍କୁ ସାମ୍ନା କରିବା ପାଇର୍ଁ କୌଣସି ଦେବତା ସାହସ କରି ପାରି ନ ଥିଲେ। ଶେଷରେ ଗୋଟିଏ ପଟେ ପ୍ରହଲ୍ଲାଦ ତାଙ୍କୁ ଶାନ୍ତ କରିବା ପାଇଁ ସ୍ତୁତି କରି ଚାଲିଥିବା ବେଳେ ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଦେବ ଦେବ ମହାଦେବ ସର୍ବେଶ୍ୱର ରୂପ ଧାରଣ କରି ବିଷ୍ଣୁଙ୍କ କ୍ରୋଧ ଶାନ୍ତ କରିଥିଲେ।