କୋଭିଡ୍ ପଜିଟିଭ୍ ପରେ କେଉଁମାନେ ସିଟି ସ୍କାନ୍ କରିବେ
କୋଭିଡ୍ ଲକ୍ଷଣ ଥିଲେ ମଧ୍ୟ କେତେକ ସମୟରେ ରିପୋର୍ଟ ପଜିଟିଭ୍ ଆସେ ନାହିଁ। ଫଳରେ ଲୋକେ ନାନା ଦ୍ବନ୍ଦ୍ବରେ ରହିଥାନ୍ତି। ଏଣୁ ସିଟି ସ୍କାନ୍ ଦ୍ବାରା ସଂକ୍ରମଣ ସଠିକ୍ ଭାବେ ଚିହ୍ନଟ କରାଯାଇଥାଏ। ଏପରିକି ଜଣେ ରୋଗୀଙ୍କ ଫୁସ୍ଫୁସ୍ କେତେ ପରିମାଣ ସଂକ୍ରମିତ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇଥାଏ। କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ କେଉଁମାନେ ସିଟି ସ୍କାନ୍ କରିବା ଆବଶ୍ୟକ ତାହାକୁ ନେଇ ତାମିଲନାଡ଼ୁ ତିରୁଚିରାପଲ୍ଲୀର ମେଗନମ୍ଇମେଜିଂ ଆଣ୍ଡ୍ ଡାଇଗ୍ନୋଷ୍ଟିକ୍ର ବରିଷ୍ଠ ବିଶେଷଜ୍ଞ ଡା. ଆର୍. ବାଭାହରନଙ୍କ କିଛି ପରାମର୍ଶ।
Sambad is now on WhatsApp
Join and get latest news updates delivered to you via WhatsApp
୧- ଛାତିର ସିଟି ସ୍କାନ୍ କେତେବେଳେ ଦରକାର ?
ଉ: ଲକ୍ଷଣ ଆରମ୍ଭର ୫ରୁ ୭ଦିନ ପରେ। (ପଲ୍ସ ଅକ୍ସିମିଟର୍ରେ ଘର ଭିତରେ ଅମ୍ଳଜାନ୍ସ୍ତର ୯୫ପ୍ରତିଶତରୁ କମ୍ ଥିଲେ)
୨- ୫ଦିନ ପୂର୍ବେ ଜ୍ବର ଥିଲା, ଏବେ ସୁସ୍ଥ ଅଛନ୍ତି। ଅମ୍ଳଜାନ୍ସ୍ତର ଘର ଭିତରେ ୯୫ ପ୍ରତିଶତରୁ ଅଧିକ ରହିଛି। ଧଇଁସଇଁ ଲାଗୁ ନାହିଁ।
ଉ: ସିଟି ସ୍କାନ୍ କରିବା ଦରକାର ନାହିଁ।
୩- ସିଟି ସ୍କାନ୍ରେ କୋଭିଡ୍ ଜଣାପଡ଼ିଥିଲା। ୨ସପ୍ତାହ ପରେ ଏବେ ସୁସ୍ଥ ଅଛନ୍ତି, ଅମ୍ଳଜାନ୍ସ୍ତର ଠିକ୍ ଅଛି। ସଂକ୍ରମଣ ସ୍ତର ଯାଞ୍ଚ ପାଇଁ ଆଉ ଥରେ ସିଟି ସ୍କାନ୍ କରିବା ଦରକାର କି?
ଉ: ସଂକ୍ରମଣ ସ୍ତର ଜାଣିବା ପାଇଁ ପୁଣିଥରେ ସିଟି ସ୍କାନ୍ କରିବାର ଆବଶ୍ୟକତା ନାହିଁ। ଡାକ୍ତରଙ୍କ ଦ୍ବାରା ସୁସ୍ଥ ବୋଲି ଘୋଷଣା ହେବା ପରେ ପୁନଃ ପରୀକ୍ଷା ଦରକାର ନୁହେଁ। ଫୁସ୍ଫୁସ୍ର କ୍ଷତ ଭଲ ହେବା ପାଇଁ ୬ରୁ ୮ସପ୍ତାହ ସମୟ ଲାଗିଥାଏ।
୪- ମୋର ଜଣେ ନିକଟତର ସମ୍ପର୍କୀୟ କୋଭିଡ୍ ସଂକ୍ରମିତ ଥିଲେ, ମୁଁ ସିଟି ସ୍କାନ୍ କରିବି କି?
ଉ: ଗୁରୁତର ଲକ୍ଷଣ ନଥିଲେ ସିଟି ସ୍କାନ୍ର ଆବଶ୍ୟକତା ନାହିଁ, ପ୍ରଥମେ ଆର୍ଟିପିିସିଆର୍ ପରୀକ୍ଷା କରନ୍ତୁ। ସପ୍ତାହକ ପରେ ଲକ୍ଷଣ ଦେଖା ଦେଲେ ସ୍କାନ୍ କରି ପାରନ୍ତି। ଶ୍ବାସରୁଦ୍ଧ ଅଧିକ ଜଣାପଡ଼ିଲେ କି ଡିଡାଇମର୍ ପରୀକ୍ଷାରେ ସମସ୍ୟା ଥିଲେ କିମ୍ବା ହୃଦ୍ପରୀକ୍ଷା ପରେ ଯଦି ଶିରାରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡ଼େ ତେବେ ସିଟି ସ୍କାନ୍ କରିବା ଆବଶ୍ୟକ।
୫- ଆର୍ଟିପିସିଆର୍ ରିପୋର୍ଟ ପଜିଟିଭ୍ ଆସିଲେ ସିଟି ସ୍କାନ୍ କରିବା ଦରକାର କି?
ଉ: କୋଭିଡ୍ ଲକ୍ଷଣ ସହିତ ଅଧିକ କାଶ କିମ୍ବା ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିଲେ ସିଟି ସ୍କାନ୍ କରନ୍ତୁ।
୬- ଆର୍ଟିପିସିଆର୍ ରିପୋର୍ଟ ନେଗେଟିଭ୍ ରହିଛି କିନ୍ତୁ ଲକ୍ଷଣଗୁଡ଼ିକ ଭାଇରାଲ୍ ସଂକ୍ରମଣ ଭଲି ଜଣାପଡ଼ୁଥିଲେ।
ଉ: ନିଜକୁ ପ୍ରଥମେ ସଙ୍ଗରୋଧରେ ରଖନ୍ତୁ। ଯଦି ଲକ୍ଷଣ ଅଧିକ ଜଣାପଡ଼ୁଛି ତେବେ ଫୁସ୍ସୁଫ୍ ସଂକ୍ରମିତ ଅଛି କି ନାହିଁ ତାହା ଜାଣିବା ପାଇଁ ସିଟି ସ୍କାନ୍ କରିବା ଆବଶ୍ୟକ।
୭- ଶରୀରରେ ଅମ୍ଳଜାନ୍ସ୍ତର ୯୫ପ୍ରତିଶତରୁ କମ ଥିଲେ।
ଉ: ଫୁସ୍ଫୁସ୍ ସଂକ୍ରମଣ ହୋଇଛି ନାହିଁ ଜାଣିବା ପାଇଁ ସିଟି ସ୍କାନ୍ କରାଯାଇ ପାରେ।
୮- କୋରାଡ୍ସର ଅର୍ଥ କ’ଣ?
ଉ: କୋରାଡ୍ସ ହେଉଛି ସିଟି ସ୍କାନ୍ଦ୍ବାରା କୋଭିଡ୍ ସଂକ୍ରମଣ ଚିହ୍ନଟର ଏକ ମାଧ୍ୟମ।
୯- କୋରାଡ୍ସ-୫ ରିପୋର୍ଟ ଆସିଲେ ଜଣେ ରୋଗୀ ଗୁରୁତର ବୋଲି କହି ପାରିବା କି?
ଉ: କୋରାଡ୍ସ ୧-୫ ପର୍ଯ୍ୟନ୍ତ ରହିଥାଏ। ଜଣେ ରୋଗୀଙ୍କ କୋରାଡ୍ସ ୪-୫ ମଧ୍ୟରେ ରହିଲେ ତାଙ୍କ ଫୁସ୍ଫୁସ୍ରେ କୋଭିଡ୍ ସଂକ୍ରମଣର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ସେ ଗୁରୁତର ନୁହଁନ୍ତି।
୧୦- ମୋର କୋଭିଡ୍ ଅଛି, ମୋର ପିଲାର ସିଟି ସ୍କାନ୍ କରିବା ଆବଶ୍ୟକ କି?
ଉ- ଛୋଟ ପିଲାଙ୍କ ସିଟି ସ୍କାନ୍ କରିବା ଆବଶ୍ୟକ ନୁହେଁ, ଛୋଟ ପିଲା ସଂକ୍ରମିତ ହେଲେ ମଧ୍ୟ ସେମାନେ ଶୀଘ୍ର ସୁସ୍ଥ ହୋଇଥାନ୍ତି। ଆବଶ୍ୟକ ସ୍ଥଳେ ଛାତି ପରୀକ୍ଷା କରାଯାଇ ପାରେ।
୧୧- ଡାକ୍ତରଖାନାରେ ଭର୍ତ୍ତି ପୂର୍ବରୁ ସିଟି ସ୍କାନ୍ କରିବା ପାଇଁ କାହିଁକି କୁହାଯାଏ।
ଉ: ରୋଗୀଙ୍କ ଫୁସ୍ଫୁସ୍ ସଂକ୍ରମିତ ହୋଇଥିଲେ ମଧ୍ୟ ବେଳେବେଳେ ଲକ୍ଷଣ ଜଣାପଡ଼େ ନାହିଁ। ରୋଗୀ କୋଭିଡ୍ ସଂକ୍ରମିତ ମଧ୍ୟ ହୋଇଥାଇପାରନ୍ତି। ଆର୍ଟିପିସିଆର୍ ପରୀକ୍ଷା ବଦଳରେ ସିଟି ସ୍କାନ୍ ଦ୍ବାରା ରୋଗୀ କୋଭିଡ୍ ସଂକ୍ରମିତ କି ନୁହଁ ଶୀଘ୍ର ଜଣାପଡ଼ିଥାଏ। ଅସ୍ତ୍ରୋପଚାର ଆବଶ୍ୟକ କି ନାହିଁ ତାହା ମଧ୍ୟ ଜଣାପଡ଼ିଥାଏ।
୧୨- ଛାତିର ସିଟି ସ୍କାନ୍ କରିବା କ୍ଷତିକାରକ କି, ଏହା କ୍ୟାନସର୍ର କାରଣ ହୋଇପାରେ କି?
ଉ: ବର୍ତ୍ତମାନ ଅଳ୍ପ ବିକିରଣ ପ୍ରୟୋଗ କରାଯାଉଛି, ସିଟି ସ୍କାନ୍ ଦ୍ବାରା କ୍ୟାନସର୍ ହୋଇଥାଏ ବୋଲି ସେଭଳି କିଛି ପ୍ରମାଣ ମିଳି ନାହିଁ।
୧୩- ସମସ୍ତ କୋଭିଡ୍ ପଜିଟିଭ୍ଙ୍କ ସିଟି ସ୍କାନ୍ରେ ସମସ୍ୟା ଥାଏ କି?
ଉ- ସମସ୍ତ କୋଭିଡ୍ ପଜିଟିଭ୍ଙ୍କ ସିଟି ସ୍କାନ୍ରେ ସମସ୍ୟା ନଥାଏ, ୭ରୁ ୧୦ପ୍ରତିଶତ ରୋଗୀଙ୍କ ରିପୋର୍ଟ ସ୍ବାଭାବିକ ରହିଥାଏ।
୧୪- ସିଟି ସ୍କାନ୍ ସ୍ବାଭାବିକ ଅଛି, କିନ୍ତୁ ରୋଗୀଙ୍କ ଜ୍ବର ଅଛି, ରୋଗୀ ଜଣକ ସଙ୍ଗରୋଧରେ ରହିବା ଜରୁରି କି?
ଉ: ନିଶ୍ଚିତ ଭାବେ ରୋଗୀଙ୍କୁ ସଙ୍ଗରୋଧରେ ରହିବା ଆବଶ୍ୟକ, କାରଣ ସେ ଅନ୍ୟମାନଙ୍କୁ ସଂକ୍ରମିତ କରିପାରନ୍ତି।
୧୫- ସିଟି ସ୍କାନ୍ରେ ଫୁସ୍ସୁଫ୍ ସଂକ୍ରମିତ ଜଣାପଡ଼ିଥିବା କୋଭିଡ୍ ରୋଗୀ ସୁସ୍ଥ ହେବା ପରେ ଭବିଷ୍ୟତରେ ତାଙ୍କର ପୁଣିଥରେ ଫୁସ୍ଫୁସ୍ ସମସ୍ୟା ସୃଷ୍ଟି ହୋଇପାରେ କି?
ଉ: କୋଭିଡ୍ରୁ ଆରୋଗ୍ୟଲାଭ କଲା ପରେ ଭବିଷ୍ୟତରେ ସମସ୍ତ ରୋଗୀଙ୍କ ଫୁସ୍ଫୁସ୍ ସମସ୍ୟା ରହେ ନାହିଁ। ଖୁବ୍କମ ରୋଗୀଙ୍କ ଫୁସ୍ଫୁସ୍ରେ ଥିବା ନରମ କୋଷ କିଛି ଦିନ ପରେ ତନ୍ତୁ ଜାତୀୟ କୋଷରେ ପରିଣତ ହୋଇଥାଏ। ଯାହା ଫଳରେ ସେମାନଙ୍କର ଦୀର୍ଘସ୍ଥାୟୀ ସମସ୍ୟା ରହିଥାଏ। କିନ୍ତୁ ଏଭଳି ଲୋକଙ୍କ ସଂଖ୍ୟା ଖୁବ କମ୍।