କରୋନା ମୁକାବିଲା ନେଇ ଜାଣନ୍ତୁ ଉହାନ୍‌ରୁ କ’ଣ ଶିକ୍ଷା କରୁଛି ବିଶ୍ୱ

କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନ୍‌ର ଉହାନ୍‌ ସହର ଏବେ କରୋନାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରିପାରିଛି। ଏଠାରେ ଆଉ ନୂଆ ମାମଲା ଆସୁନାହିଁ। କରୋନା ମୁକାବିଲା ପାଇଁ ଉହାନ୍‌ ନେଇଥିବା ପଦକ୍ଷେପ ସଂପର୍କରେ ଚୀନ୍‌ର ସରକାରୀ ଟେଲିଭିଜନ ଚ୍ୟାନେଲ୍‌ ସିଜିଟିଏନ୍‌ରେ ପ୍ରସାରିତ ଏକ ରିପୋର୍ଟକୁ ଏଠାରେ ଅବିକଳ ଉପସ୍ଥାପନ କରାଯାଉଛି…

ଆମକୁ ଶାନ୍ତିର ସହ ଚିନ୍ତା କରିବାକୁ ହେବ। କୋଭିଡ୍‌-୧୯ କୌଣସି ଦେଶର ସୀମା ସରହଦ, କୌଣସି ସାମାଜିକ ବନ୍ଧନକୁ ସମ୍ମାନ ଦେଇନାହିଁ। କରୋନା ଭାଇରସ୍‌ଠାରୁ କୌଣସ ରାଜନୈତିକ କିମ୍ବା ସାଂସ୍କୃତିକ ବ୍ୟବସ୍ଥା ରକ୍ଷା ପାଇନାହିଁ। ଏହା ଆମକୁ ଆତି କଠୋର ଆଘାତ ଦେଇଛି । ଏହି ଆଘାତ ସମଗ୍ର ବିଶ୍ବକୁ ଏକାକାର କରିଦେଇଛି। ମହାମାରୀ ଆସିବା ପରେ କ’ଣ ଘଟିଲା ତାହା ବିଷୟ ନୁହେଁ, ଆମେ ଏହାର ମୁକାବିଲା ପାଇଁ କିଭଳି ତତ୍ପରତା ଦେଖାଉଛେ ତାହା ହିଁ ମୁଖ୍ୟକଥା। ଦୀର୍ଘ ୧ ମାସ ଏହା ଉହାନ୍‌ରେ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଆକ୍ରାନ୍ତ କଲା। କୌଣସି ହସ୍ପିଟାଲର ଶଯ୍ୟା ଖାଲି ରହିଲା ନାହିଁ। ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ଶଯ୍ୟା ସବୁ ଖାଲି ପଡ଼ିଛି, ୱାର୍ଡଗୁଡ଼ିକୁ ବନ୍ଦ କରାଯାଇଛି।

ଚୀନ୍‌ ଏହାକୁ କିଭଳି ସାକାର କଲା? ଏହା କୌଣସି ନୂଆ କଥା କରିନାହିଁ, କିନ୍ତୁ ଯାହା କରାଯାଇଛି ତାହା ଜାଣିବା ନିତାନ୍ତ ଆବଶ୍ୟକ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ୨.୬ ଜଣଙ୍କୁ ସଂକ୍ରମିତ କରିଥାଏ। ସଂକ୍ରମଣର ୧୦ଟି ପର୍ଯ୍ୟାୟ ପରେ ଏହା ଅତି ବ୍ୟାପକ ରୂପ ନେଇଥାଏ। ମାତ୍ର କିଛି ଦିନରେ ଏହା ୩୫୦୦ ଲୋକଙ୍କୁ ସକ୍ରମିତ କରିଥାଏ ଏବଂ ଏହି ପ୍ରକ୍ରିୟା ବ୍ୟାପୀ ଚାଲିଥାଏ। ଜଣେ ମଣିଷ ଦେହରୁ ଅନ୍ୟକୁ ସଂକ୍ରମଣ ବ୍ୟାପିବା ଚକ୍ରକୁ ଚୀନ୍‌ ଭାଙ୍ଗି ଦେଇଛି। ଚୀନ୍‌ ସଂକ୍ରମଣକୁ ରୋକିବା ପାଇଁ ଯେଉଁ ପଦକ୍ଷେପ ନେଇଥିଲା ତାହାକୁ ଅତି କଠୋର, ଅତ୍ୟାଚାରୀ ଏବଂ ଆକ୍ରମଣାତ୍ମକ ବୋଲି ବର୍ଣ୍ଣନା କରାଯାଇଥିଲା। ଏବେ କିନ୍ତୁ ପରିସ୍ଥିତି ବଦଳି ଯାଇଛି ଏବଂ ଲୋକେ ଏବେ ଏକ ନୂଆ ମାନଦଣ୍ଡକୁ ସମ୍ମୁଖୀନ ହୋଇଛନ୍ତି ତାହା ହେଲା ‘ଲକ୍‌ ଡାଉନ୍‌’। କିଛି ଲୋକ କହିଛନ୍ତି, ଏହା କ’ଣ ବ୍ୟକ୍ତି ଅଧିକାରର ଉଲ୍ଲଂଘନ ନୁହେଁ। ପ୍ରକୃତ କଥା ହେଲା ବ୍ୟକ୍ତିର ଅଧିକାର ଏବଂ ଜନସାଧାରଣଙ୍କ ନିରାପତ୍ତା ସର୍ବଦା ଏକ ବଦଳୁଥିବା ସମୀକରଣ। ୯/୧୧ ପରେ ବିଶ୍ବର ସବୁ ବିମାନ ବନ୍ଦର ଅତି କଠୋର ଯାଞ୍ଚ ବ୍ୟବସ୍ଥା ଲାଗୁ କରିଥିଲେ ଏବଂ ଲୋକେ ଏହାକୁ ଗ୍ରହଣ କଲେ। ଲୋକଙ୍କ ମଂଗଳ ପାଇଁ ଏଭଳି କଟକଣାକୁ ସମସ୍ତେ ମାନି ନେଇଥିଲେ। ଚୀନ୍‌ ମଧ୍ୟ କରୋନା ସଂକ୍ରମଣକୁ ରୋକିବା ପାଇଁ କଠୋର କ୍ବାରାଣ୍ଟିନ ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରିଥିଲା। ଯାତ୍ରୀ ପରିବହନକୁ ରୋକାଯାଇଥିଲା। ସବୁ କିଛି ଠପ୍‌ ହୋଇଯାଇଥିଲା। ଲୋକେ ଘରେ ରହିବାକୁ ବାଧ୍ୟ ହୋଇଥିଲେ।

Dailyhaunt

ଚୀନ୍‌ ଏଭଳି କରି ଏହା ସଂକ୍ରମଣସ୍ତରକୁ ଗୋଟିଏ ପଟେ ଅଟକାଇବାରେ ସକ୍ଷମ ହୋଇଥିଲା, ଅନ୍ୟପଟେ ଲକ୍ଷାଧିକ ନୂଆ ମାମଲାକୁ ରୋକି ହଜାର ହଜାର ମୃତ୍ୟୁକୁ ମଧ୍ୟ ଅଟକାଇ ଦେଇଥିଲା। ସମସ୍ତଙ୍କୁ ସୁରକ୍ଷା ଯୋଗାଇବାରେ ଏହି ପ୍ରକ୍ରିୟା ସକ୍ଷମ ହେଲା। ଚୀନ୍‌ର ଏହି ପଦକ୍ଷେପ ସଂପର୍କରେ ଆମେରିକା ଏବଂ ୟୁରୋପ୍‌ ଭଲ୍‌ ଭାବେ ଅବଗତ ହେବା ଉଚିତ। କିନ୍ତୁ ଉଭୟ ସରକାର ଏବଂ ଜନସାଧାରଣ ଏଭଳି ନୀତି ପାଇଁ ସହମତି ପ୍ରକାଶ କରିବା ଦରକାର। ନୀତି ନିର୍ଦ୍ଧାରକ ଏବଂ ନୀତି ଗ୍ରହଣକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ବୟ ଜରୁରୀ। ଲୋକଙ୍କୁ କଠୋର କ୍ବାରାଣ୍ଟିନ ବ୍ୟବସ୍ଥା ରଖିବା ଏବଂ ଲକ୍‌ ଡାଉନ୍‌ କାର୍ଯ୍ୟକାରୀ କରିବା ନିଶ୍ଚିତ ଭାବେ ଏକ ଜଟିଳ ବ୍ୟବସ୍ଥା, କିନ୍ତୁ ଜନସାଧାରଣଙ୍କ ସହଯୋଗରେ ଏହା ସଂପାଦନ ହୋଇପାରିଛି। ତେଣୁ ଉହାନର ଲୋକେ ଯାହା କରି ଦେଖାଇଛନ୍ତି ତାହା ନିଶ୍ଚିତ ଭାବେ ଏକ ବ୍ୟତିକ୍ରମ। ଦିନ, ସପ୍ତାହ, ମାସ ଧରି ଲୋକେ ଘର ଭିତରେ ହିଁ ରହିଲେ। ଅସୀମ ଧୈର୍ଯ୍ୟ ଓ ଦୃଢ଼ତାର ସହ ପରିସ୍ଥିତିର ମୁକାବିଲା କଲେ। ଅନେକ କ୍ବାରାଣ୍ଟିନକୁ ଏକ ସାମାଜିକ ଦାୟିତ୍ବ ଭାବେ ଗ୍ରହଣ କଲେ ଏବଂ ଏହା ଅତ୍ୟନ୍ତ ଚମତ୍କାର ପରିଣାମ ଆଣିଲା।

Image Source: Hindustan Times

ବିଶ୍ବର ବିଭିନ୍ନ ରାଷ୍ଟ୍ରର ଅର୍ଥନୀତି, ସମାଜ ବ୍ୟବସ୍ଥା ଏବଂ ଲୋକଙ୍କ ଚାଲିଚଳଣ ଅଲଗା ଥାଏ, କିନ୍ତୁ ମହାମାରୀ ବ୍ୟାପିଲେ ଏହା ସବୁଠି ସମାନ ବିପଦ ସୃଷ୍ଟିକରେ। ଏଥିପାଇଁ ସବୁ ରାଷ୍ଟ୍ରରେ ରାଜନେତା, ବ୍ୟବସାୟୀ ଏବଂ ଜନତାଙ୍କ ମଧ୍ୟରେ ଏକ ସହମତି ଏବଂ ଏକ ଚୁକ୍ତି ରହିବା ଆବଶ୍ୟକ। ବିପଦ ସମୟରେ ତରବରିଆ ପଦକ୍ଷେପ ସମସ୍ୟାକୁ ବଢ଼ାଇ ଦେଇଥାଏ। କିନ୍ତୁ ଲୋକଙ୍କ ସ୍ବାସ୍ଥ୍ୟକୁ ସର୍ବାଧିକ ପ୍ରାଧାନ୍ୟ ଦେଇ କାମ କରିବାକୁ ଥିବା ବେଳେ ଏଥିରେ ବିଭିନ୍ନ ବିଚାରଧାରାକୁ ନେଇ ଦ୍ବନ୍ଦ୍ବ କାହାର କିଛି ମଂଗଳ କରିନଥାଏ। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଏହାକୁ ସୀମା ନିୟନ୍ତ୍ରଣ ବ୍ୟବସ୍ଥା ସହିତ ଯୋଡ଼ିଥିବା ବେଳେ ବେର୍ଣ୍ଣି ସାଣ୍ଡେର୍ସ ଏହାକୁ ମାଗଣା ସ୍ବାସ୍ଥ୍ୟସେବା ସହିତ ଯୋଡ଼ିଥିଲେ। ଅନ୍ୟପକ୍ଷରେ ସିଙ୍ଗାପୁର ଭଳି ରାଷ୍ଟ୍ର କରୋନା ନିୟନ୍ତ୍ରଣ ପାଇଁ ଅତି ଚମତ୍କାର ପଦକ୍ଷେପ ନେଇଥିଲା। ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ସହ ସଂକ୍ରମଣକୁ ରୋକିବା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାରୁ ସଫଳତା ମିଳିଥିଲା। ପ୍ରତ୍ୟେକ ରାଷ୍ଟ୍ର ନିଜ ନିଜ ରାସ୍ତାରେ ପଦକ୍ଷେପ ନେଉଛନ୍ତି। ଅନେକ ରାଷ୍ଟ୍ରଙ୍କୁ କରୋନା ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଆମ ସମସ୍ତଙ୍କୁ ଧୈର୍ଯ୍ୟର ସହିତ ଆଗକୁ ବଢ଼ିବାକୁ ହେବ। ବର୍ତ୍ତମାନ ସମଗ୍ର ବିଶ୍ବ ଏବେ କରୋନା ମୁକାବିଲାରୁ ଅନେକ କିଛି ଶିକ୍ଷା କରୁଛି ଏବଂ ଶିକ୍ଷା ଲାଭ କରି ଆଗକୁ ବଢ଼ୁଛି।

ସମ୍ବନ୍ଧିତ ଖବର