‘ଆମେ ଖେଳରେ ପଛୁଆ କାହିଁକି?’ ଶୀର୍ଷକ ଆଲୋଚନାରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର କହିଥିଲେ, ଯେତେବେଳେ କ୍ରୀଡ଼ା ସଂସ୍କୃତି ବୋଲି କିଛି ନଥିଲା ସେତେବେଳେ ଦିଲୀପ ତିର୍କୀ, ଆର୍ପି ସିଂହ, ଦେବାଶିଷ ମହାନ୍ତିଙ୍କ ଭଳି ଖେଳାଳି ବାହାରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କିନ୍ତୁ ଏବେ ଭିତ୍ତିଭୂମି ମିଳୁନି ବୋଲି କହି ଫାଙ୍କି ଦେଲେ ହେବନି। ସେଥିପାଇଁ ଯେଉଁ ନିଷ୍ଠା, ଅଧ୍ୟବସାୟ ଦରକାର, ତାହା ବର୍ତ୍ତମାନର କ୍ରୀଡ଼ାବିତ୍ଙ୍କ ଭିତରେ କ୍ବଚିତ୍ ଦେଖିବାକୁ ମିଳୁଛି। ଚୟନ ବେଳେ ଯେତେ ଅଧିକ ପିଲା ଆସିବେ ସେମାନଙ୍କ ଭିତରୁ ଶ୍ରେଷ୍ଠ ଖେଳାଳି ବାହାର କରିହେବ। କିନ୍ତୁ ୫-୬ ଜଣ ପିଲାଙ୍କ ଭିତରୁ ଭଲ ଖେଳାଳି ବାଛି ହେବନି। ସେହିଭଳି ପିଲାଙ୍କ ପାଇଁ ଖେଳ ପଡ଼ିଆର ଅଭାବ ଦେଖାଦେଉଛି ବୋଲି ସେ କ୍ଷୋଭ ପ୍ରକାଶ କରିବା ସହିତ ଖେଳାଳିମାନେ କେବଳ ଚାକିରି ପଛରେ ନ ଧାଇଁବାକୁ ପରାମର୍ଶ ଦେଇଥିଲେ।
ଅବସରପ୍ରାପ୍ତ ଆଇଆର୍ଏସ ତଥା ଅନୁଗୁଳ-ସୁକିନ୍ଦା ରେଳବାଇ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଦିଲୀପ ସାମନ୍ତରାୟ କହିଥିଲେ, କ୍ରୀଡ଼ା ଭିତ୍ତିଭୂମିକୁ କେବଳ ଭୁବନେଶ୍ବର, କଟକ, ରାଉରକେଲା ଭିତରେ ସୀମିତ ରଖିଦେଲେ ହେବନାହିଁ। ଏହାକୁ ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବାକୁ ହେବ। ବିଭିନ୍ନ ରୋଲ୍ ମଡେଲ୍ଙ୍କୁ ନେଇ ଅଭିଯାନ ଆରମ୍ଭ କରିବାକୁ ହେବ। ବିଦ୍ୟାଳୟଗୁଡ଼ିକରେ ପାଠ୍ୟକ୍ରମରେ କ୍ରୀଡ଼ାକୁ ବାଧ୍ୟତାମୂଳକ କରାଯାଉ। କ୍ରୀଡ଼ା ପ୍ରତି ଉତ୍ସାହ ବଢ଼ାଇବାରେ ଅଭିଭାବକଙ୍କ ବଡ଼ ଭୂମିକା ରହିଛି। ଓଡ଼ିଶା ଚର୍ଚ୍ଚିତ ତାରକା ସନ୍ତରଣକାରୀ ପ୍ରତ୍ୟାଶା ରାୟ କହିଥିଲେ, ରାଜ୍ୟରେ କ୍ରୀଡ଼ା ସଂସ୍କୃତିର ଅଭାବ ରହିଛି। ଏପରିକି କ୍ରୀଡ଼ାବିତ୍ଙ୍କୁ ଏଠାରେ ଉଚିତ ସମ୍ମାନ ମିଳୁନାହିଁ। ୭ଦିନିଆ ଅଭ୍ୟାସରେ ସମସ୍ତେ ଫଳାଫଳ ଆଶା କରୁଛନ୍ତି। ୫ ବର୍ଷ କଠିନ ପରିଶ୍ରମ ପରେ ଦ୍ବିତୀୟ ଶ୍ରେଷ୍ଠ ସନ୍ତରଣକାରୀ ବାହାରିପାରିଛନ୍ତି। ଗୋଟିଏ ଦିନରେ ଖେଳାଳି ସୃଷ୍ଟି ହୁଏନି। ବର୍ଷବର୍ଷ ଧରି ନିଷ୍ଠାପର ଅଭ୍ୟାସ ଦରକାର ହୋଇଥାଏ। ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବହୁତ ଜଟିଳ। ଉପସ୍ଥାନ ଓ ପରୀକ୍ଷା ବ୍ୟବସ୍ଥା ଯୋଗୁଁ ଖେଳାଳିଟିଏ ଅସୁବିଧାର ସମ୍ମୁଖୀନ ହେଉଛି। ତୃଣମୂଳସ୍ତରରୁ ଜଣେ ଯଦି ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଏ, ତାହେଲେ କ୍ରୀଡ଼ାକୁ ସେ କ୍ୟାରିୟର କରିପାରିବନି। ତେଣୁ ଜଣେ କ୍ରୀଡ଼ାବିତ୍ଙ୍କୁ ବାଛିବା ପରେ ତାହାର ରହିବା, ଖାଇବା, ପ୍ରଶିକ୍ଷଣ ଇତ୍ୟାଦିକୁ ସୁନିଶ୍ଚିତ କରିବା ସହ ଆର୍ଥିକ ଦିଗକୁ ମଧ୍ୟ ଧ୍ୟାନ ଦେବା ସରକାରଙ୍କ ଦାୟିତ୍ବ ବୋଲି ପ୍ରତ୍ୟାଶା କହିଛନ୍ତି।