ମହାରାଜ ଉଗ୍ରସେନଙ୍କର ଜଣେ ଭାଇ ଥିଲେ, ଯାହାଙ୍କ ନାମ ଥିଲା ଦେବକ । ଦେବକୀ ତାଙ୍କର କନ୍ୟା ଥିଲେ । ସେ କଂସଠାରୁ ସାନ ଥିଲେ, ଏଣୁ ସମସ୍ତଙ୍କ ସ୍ନେହ ଓ ଆଦର ପାଉଥିଲେ । ଦେବକ କନ୍ୟା ଦେବକୀର ବାହାଘର ବସୁଦେବଙ୍କ ସହିତ ଖୁବ୍ ଆଡମ୍ବର ସହକାରେ କରାଇଥିଲେ । ଏହି ଅବସରରେ ସେ ବସୁଦେବଙ୍କୁ ପ୍ରଚୁର ଜାନିଯୌତୁକ ପ୍ରଦାନ କରିଥିଲେ । କଂସ ସ୍ୱୟଂ ରଥ ଚଳାଇ ନିଜ ଭଉଣୀ ଓ ଭିଣୋଇଙ୍କୁ ବସୁଦେବଙ୍କ ଘରକୁ ନେଇଯାଉଥିଲା । ଅଧା ରାସ୍ତାରେ ଆକାଶବାଣୀ ହେଲା - ‘‘ ରେ ମୁର୍ଖ ! ଯେଉଁ ଭଉଣୀ ପ୍ରତି ତୁ ସ୍ନେହ ପ୍ରଦର୍ଶନ କରୁଛୁ ଓ ରଥକୁ ସ୍ୱୟଂ ଚଳାଉଛ ସେହି ଭଉଣୀର ଅଷ୍ଟମ ଗର୍ଭ ତୋ’ର କାଳ ହେବ ।’’
ଏହି ଆକାଶବାଣୀ ଶୁଣିବା ମାତ୍ରେ କଂସର ସ୍ନେହ ଭାବ ଦ୍ୱେଷ ଭାବରେ ପରିଣତ ହେଲା । ସେ କ୍ରୋଧିତ ହୋଇ ରଥରୁ ଓହ୍ଲାଇଗଲା । ସେ ତତ୍କ୍ଷଣାତ୍ ଖଣ୍ଡା ଉଠାଇ ଦେବକୀଙ୍କୁ ହତ୍ୟା କରିବାକୁ ମାଡ଼ି ଆସିଲା । ବସୁଦେବ କଂସର ଏଭଳି ରୂପ ଦେଖି ତାଙ୍କୁ ଆକୁଳେ ବିନତି କରି କହିଲେ ଯେ ଏକ ଅବଳା ନାରୀକୁ ବଧ କରିବା ଉଚିତ ନୁହେଁ । ସେ ଆହୁରି ମଧ୍ୟ କହିଲେ ‘‘ ତୁମର କାଳ ତ ଦେବକୀର ଗର୍ଭସ୍ଥ ସନ୍ତାନ । ମୁଁ ତା’ର ସମସ୍ତ ସନ୍ତାନ ତୁମକୁ ଦେବା ଲାଗି କଥା ଦେଉଛି । ତମେ ଦେବକୀଙ୍କୁ ଛାଡିଦିଅ । କଂସ ବସୁଦେବଙ୍କ କଥାକୁ ବିଶ୍ୱାସ କରି ଦେବକୀଙ୍କୁ ମାରିବା ଉଦ୍ୟମରୁ ବିରତ ହେଲା, କିନ୍ତୁ ପରେ ପତିପତ୍ନୀଙ୍କୁ କାରାଗାରରେ ବନ୍ଦୀ କରି ରଖିଲା ।