କାହିଁକି ଅଭିନୟ କଲେ ଲତା

୧୯୪୨ ମସିହାରେ ଲତା ମଙ୍ଗେସକରଙ୍କ ବାପାଙ୍କର ଆକସ୍ମିକ ପରଲୋକ ଘଟିଲା। ବାପାଙ୍କ ଦେହାନ୍ତ ଖବର ପାଉ ପାଉ ସେ ତାଙ୍କ ମା’ଙ୍କୁ ପଚାରିଥିଲେ: ମା’ ମୁଁ କେଉଁଠି କାମ କରିବି? ମୋତେ କୁହ ମୁଁ କେମିତି ଟଙ୍କା ରୋଜଗାର କରିବି? ନହେଲେ ଆମ ପରିବାର ଚଳିବ କେମିତି? ଏହା ସେହି ସମୟର କଥା ଯେତେବେଳେ ଲତା ମାତ୍ର ୧୩ବର୍ଷ ବୟସର ଜଣେ ଅବୋଧ କିଶୋରୀ। ଆଉ ସେହି ବୟସରେ ପରିବାରର ବୋଝକୁ ନିଜ କାନ୍ଧରେ ନେବାକୁ ନିଜକୁ ପ୍ରସ୍ତୁତ କରିନେଇଥିଲେ। ନସରୀନ୍ ମୁନ୍ନୀ କବୀରଙ୍କ ପୁସ୍ତକ ’ଲତା ମଙ୍ଗେସକର : ଇନ୍ ହର ଭଏସ୍’ ପୁସ୍ତକରେ ଲତା ନିଜେ କହିଛନ୍ତି, ମୋ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା। ମୁଁ ବଡ଼ଝିଅ ଥିଲି। ଆଶା, ଉଷା ଆଉ ମୀନା ବହୁତ ଛୋଟ ଥିଲେ। ଭାଇ ହୃଦୟନାଥ ରୋଗରେ ଘାଣ୍ଟି ହେଉଥିଲା। ସେତେବେଳେ ମୁଁ ଗୀତ ଗାଉଥିଲି ସତ; ହେଲେ ମୋତେ ଗୀତ ଗାଇବାକୁ କେହି ସୁଯୋଗ ଦେଉ ନଥିଲେ। ପ୍ରଥମତଃ ଖୁବ୍ କମ୍ ଫିଲ୍ମ ତିଆରି ହେଉଥିଲା। ଦ୍ବିତୀୟତଃ ମୋ ସ୍ବର ପତଳା ବୋଲି କହି ମୋତେ ଫେରାଇ ଦିଆଯାଉଥିଲା। ତେଣୁ ମୁଁ ବାଧ୍ୟ ହୋଇ ଅଭିନୟ କରିବାକୁ ଗୋଡ଼ କାଢ଼ିଲି।

ଆଗରୁ ତ ଥିଏଟର୍‌ରେ ଅଭିନୟ କରୁଥିଲି। ମାତ୍ର ତାହା ଥିଲା ସୌଖୀନ ଅଭିନୟ। ଖୁସି ପାଇବାକୁ ମୁଁ ମଞ୍ଚକୁ ଚଢ଼ୁଥିଲି। ହେଲେ ବାପା ଚାଲିଯିବା ପରେ ଅଭିନୟ ‌ହିଁ ମୋ ପାଇଁ ପାଲଟିଗଲା ସବୁକିଛି। ମୁଁ ସେଥିରୁ ଯାହା ରୋଜଗାର କରୁଥିଲି ସେଥିରେ ଆମର ପରିବାର ଚଳୁଥିଲା। ମାଷ୍ଟର ବିନାୟକଙ୍କ ଫିଲ୍ମ ‘ପହିଲି ମଙ୍ଗଲାଗୌର’ରେ ମୋତେ ଗୋଟେ ଛୋଟ ଭୂମିକା ଦିଆଯାଇଥିଲା। ନସରୀନ୍ ମୁନ୍ନୀ କବୀରଙ୍କୁ ଲତା କହିଥିବା କଥା ଥିଲା ଏମିତି: ଯେତେବେଳେ ମେକ୍‌ଅପ୍‌ ମ୍ୟାନ୍ ମୋ ମୁହଁରେ ମେକ୍‌ଅପ୍‌ ବୋଳୁଥିଲା ସେତେବେଳେ ମୋର ଇଚ୍ଛା ହେଉଥିଲା ସେଠାରୁ ଉଠି ସିଧା ଘରକୁ ଚାଲିଆସିବି। ମୋର ଅଭିନୟ କରିବା ଦରକାର ନାହିଁ। ହେଲେ ପରିସ୍ଥିତି ଏମିତି ଥିଲା ଯେ, ମୁଁ ମୋ ନିଜକୁ ବୁଝେଇ ଦଉଥିଲି ମୁଁ ମୋ ପାଇଁ ନୁହେଁ; ପରିବାର ପାଇଁ ଅଭିନୟ କରୁଛି।

ସମ୍ବନ୍ଧିତ ଖବର