‘‘ଛାୟାମନ୍ୟସ୍ୟ କୁର୍ବନ୍ତମ୍ ତିଷ୍ଠନ୍ତାମ୍‌ ସ୍ବୟମାତପେ।
ଫଳାନାର୍ପୟ ପରାର୍ଥାୟ ବୃକ୍ଷାଃ ସତ୍‌ପୁରୁଷାଃ ଇବ।।’’

Advertisment

ଉପନିଷଦ୍‌‌େର ଉଲ୍ଲିଖିତ ଏହି ଶ୍ଳୋକ ଗଛ ଓ ତା’ର ଛାଇର ଅବଦାନ ତଥା ତ୍ୟାଗର ଗୁରୁତ୍ବକୁ ନିଚ୍ଛକ ଭାବରେ ଉପସ୍ଥାପନ କରେ। ଏହାର ଭାବାର୍ଥ ହେଲା, ବୃକ୍ଷ ନିଜେ ଖରାରେ ଠିଆ ହୋଇ, ତାପ ସହନ କରି ଅନ୍ୟମାନଙ୍କୁ ଶୀତଳ ଛାୟା ପ୍ରଦାନ କରିଥାଏ। ଏଣୁ ବୃକ୍ଷ ଜଣେ ସତ୍‌ପୁରୁଷ ସଦୃଶ କାର୍ଯ୍ୟ କରିଥାଏ। ସେହିପରି ଗଛ ପ୍ରଦାନ କରୁଥିବା ଛାଇର ଅବଦାନ ସମ୍ପର୍କରେ ଚାଣକ୍ୟ ‘ନୀତି ଶତକମ୍’ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି- ‘‘ସେବିତ‌େବ୍ୟା ମହାବୃ‌କ୍ଷ ଫଳଛାୟା ସମନ୍ବିତଃ, ଯଦି ଦୈବାତ୍ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ।’’ ଅର୍ଥାତ୍, ମହାବୃକ୍ଷ  ଉଭୟ  ଫଳ ଓ ଛାଇ ପ୍ରଦାନ କରିଥାଏ। ଯଦି ଦୈବାତ୍‌ ଫଳ ନ ଦେଇପାରେ ତେବେ ସେ ନିଶ୍ଚିତ ଛାୟାଦାନ କରିଥାଏ। ତେଣୁ ମହାବୃକ୍ଷ ରୋପଣ ଉପରେ ସେ ଗୁରୁତ୍ବ ଦେଇଛନ୍ତି।

ଏକଥା ଆମେ ସଭିଏଁ ଜାଣୁ ଯେ ରୌଦ୍ରତାପରୁ ବର୍ତ୍ତିବା ଲାଗି ଅତୀତରେ ଲୋକେ ଗଛ ଛାଇରେ ଆଶ୍ରୟ ନେଉଥିଲେ। ଏହି କାରଣରୁ ଗାଁଗଣ୍ଡାରୁ ସହର ପର୍ଯ୍ୟନ୍ତ ବୃହଦାକାର ହେଉଥିିବା ବୃକ୍ଷରୋପଣ କରାଯାଉଥିଲା। ଏହା ଜଳ ଓ ମାଟି ସୁରକ୍ଷିତ ରଖିବା ସହ ଛାୟାଦାନ ଦ୍ବାରା ଶୀତଳତା ପ୍ରଦାନ କରିଥାଏ। କେତେକ ପୁରାଣରେ ବୃକ୍ଷ ଛାଇକୁ ସୁରକ୍ଷା ଓ ଆଶ୍ରୟର ପ୍ରତୀକ ରୂପେ ଦର୍ଶାଯାଇଛି। ଜୈନଧର୍ମରେ ଛାୟାକୁ ଧାର୍ମିକ ଜ୍ଞାନରୁ ମିଳୁଥିବା ସାନ୍ତ୍ବନାର ପ୍ରତିନିଧି ରୂପେ ଅବତାରଣା କରାଯାଇଛି। ଏକଥା ଆମ ପୂର୍ବଜ, ରାଜାମହାରାଜା ଓ ଶାସକମାନେ ବୁଝିପାରି ପଥପ୍ରାନ୍ତ ଓ ଜଳାଶୟ ନିକଟରେ ଛାୟା ପ୍ରଦାନକାରୀ ବୃକ୍ଷ ଲଗାଉଥିଲେ।

୧୯୪୬ ମସିହାରେ ରୟାଲ୍‌ ସୋସାଇଟି ଫେଲୋ ଭାବରେ ମନୋନୀତ ହୋଇଥିବା ପ୍ରଥମ ମହିଳା ଉଦ୍ଭିଦବିଜ୍ଞାନୀ ଆଗ୍ନେସ୍ ଆର୍ବର କହିଥିଲେ, “ଗଛକୁ ଆଦର କର ଏବଂ ତା’ ଛାଇର ଅମୂଲ୍ୟ ଦାନକୁ ମନେରଖି ସେ ଛାଇର ଭଲପାଇବାର ମହନୀୟତାକୁ ଉପଭୋଗ କରିଚାଲ।” କୁଇନ୍‌ସ୍‌ଲ୍ୟାଣ୍ଡ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ନାଥନ୍‌ ଡାଉନ୍‌ସ୍‌ଙ୍କ ମତ ବି ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସେ କହିଥିଲେ, “ଗୋଟିଏ ସମାଜର ଉନ୍ନତି ସେତେବେଳେ ଚରମ ଶିଖରରେ ପହଞ୍ଚିପାରେ, ଯେତେବେଳେ ସେହି ସମାଜର ବ୍ୟକ୍ତିବିଶେଷ ବୃକ୍ଷ ପ୍ରଦାନ କରୁଥିବା ଫୁଲ, ଫଳ ଓ କାଠ ଠାରୁ ସେହି ବୃକ୍ଷର ଛାଇ ଅଧିକ ମୂଲ୍ୟବାନ ବୋଲି ବୁଝିପାରନ୍ତି ।” ସେହିପରି ଗ୍ରୀକ୍ ଲୋକକଥାରେ ବିଶ୍ୱାସ ରହିଛି, ଗୋଟିଏ ସମାଜ ସେତେବେଳେ ମହାନ୍‌ ହୋଇଥାଏ, ଯେତେବେଳେ ବୟସ୍କମାନେ ଗଛ ଲଗାନ୍ତି ଏବଂ ଏକଥା ବି ଜାଣିଥାନ୍ତି ଯେ ସେହି ଗଛର ଛାଇ ତଳେ କେବେହେଲେ ସେମାନେ ବସିପାରିବେ ନାହିଁ। ଏଣୁ ବୃକ୍ଷର ଛାୟାକୁ ଏକପ୍ରକାର ତ୍ୟାଗ ଭାବେ ସର୍ବତ୍ର ଦର୍ଶାଯାଇଛି।

ମାନବ ସଭ୍ୟତାକୁ ବୃକ୍ଷର ସବୁଠାରୁ ବଡ଼ ଅବଦାନ ହେଲା, ଏହା ନିସ୍ବାର୍ଥପର ଭାବେ ଅହରହଃ ଅମ୍ଳଜାନ, ଫଳ, ଛାୟା, କାଠ ଓ ଜୀବନ ଅନୁକୂଳ ସାମଗ୍ରୀ ପ୍ରଦାନ କରିଥାଏ। ଏସବୁ ମଧ୍ୟରେ‌ ଶ୍ରେଷ୍ଠ ହେଉଛି ଛାଇ। ଆଧୁନିକ ସଭ୍ୟତାର ବିକାଶ ମଧ୍ୟରେ ଆଜି କିନ୍ତୁ ସେଇ ଅମୂଲ୍ୟ ଛାଇ ଟିକକ ଆମ ନିକଟରୁ ଦୂରେଇ ଯାଉଛି। ବିକାଶ ନାମରେ ବଡ଼ ବଡ଼ ବୃକ୍ଷ କଟାଯିବା ଫଳରେ ପଥପ୍ରାନ୍ତ ହେଉ କି, ଗାଁମୁଣ୍ଡ ପୋଖରୀ ତୁଠ ହେଉ କିମ୍ବା, ନଦୀକୂଳ; ଛାୟା ପ୍ରଦାନକାରୀ ବୃକ୍ଷସଂଖ୍ୟା ହ୍ରାସ ପାଉଛି। ଅତୀତରେ ଗ୍ରୀଷ୍ମଋତୁ ଖରାବେଳେ ଆମ୍ବତୋଟାରେ, ଗାଁ’ମୁଣ୍ଡ ବରଗଛ କିମ୍ବା ଓସ୍ତ ଭଳି ବିଶାଳ ବପୁଧାରୀ ଗଛ ଛାଇରେ ପିଲାଠୁ ବୁଢ଼ା ସଭିଏଁ ଏକତ୍ର ହେଉଥିଲେ। ପିଲାମାନଙ୍କ ଗୁଚିତାଣ୍ଡୁ, ବୋହୂଚୋରି, ବାଟି ଓ ବାଗୁଡ଼ି ଭଳି ଖେଳ ସେଇଠି ଜମୁଥିଲା। ପଶାପାଲିରୁ ନେଇ ତାସ୍‌ଯାଏ ବୟସ୍କଙ୍କ ମନୋରଞ୍ଜନ ସ୍ଥାନ ବି ଥିଲା ଗଛର ଗାଢ଼ ଛାଇ। ଅବଶ୍ୟ ଆଜିକାଲି ଏଭଳି ଦୃଶ୍ୟ ବହୁତ କମ୍‌ ଦେଖିବାକୁ ମିଳୁଛି। ଗଛ ତ କମୁଛି, ଛାଇ ଆସିବ କେଉଁଠୁ?

ଗ୍ରୀଷ୍ମକାଳରେ ଗଛର ଛାଇ ପ୍ରାକୃତିକ ଶୀତତାପ ନିୟନ୍ତ୍ରକ ଭଳି କାମ କରେ। ଉତ୍ତାପ ଶୋଷଣ କରି ଶୀତଳତା ଦିଏ। ଉଦ୍ଭିଦବିଜ୍ଞାନୀଙ୍କ ମତରେ ଗଛର ଛାଇ ଏହାର ପରିପାର୍ଶ୍ବିକ ଉତ୍ତାପକୁ ୬ ଡିଗ୍ରି ଫାରେନ୍‌ହାଇଟ୍‌ ପର୍ଯ୍ୟନ୍ତ କମାଇ ଦେଇପାରେ। ଶୀତଳ ପବନ ଭୂଇଁ ସଂସ୍ପର୍ଶରେ ଆସିବା ଫଳରେ ଗଛ ତଳର ଉତ୍ତାପ ୨୫ ଡିଗ୍ରି ଫାରେନହାଇଟ୍‌ ପର୍ଯ୍ୟନ୍ତ କମ୍ ହୋଇପାରେ। ପୁଣି ଛାଇ କାରଣରୁ ମାଟିରେ କବକ ଓ ଶୈବାଳ ଭଳି ଅନେକ ଉପକାରୀ ପରଜୀବୀଙ୍କ ବଂଶବୃଦ୍ଧି ଘଟିଥାଏ। ଏହା ମାଟିର ସ୍ବାସ୍ଥ୍ୟ ସୁରକ୍ଷିତ ରଖିଥାଏ।

ଗ୍ରୀଷ୍ମ ତଥା ଶୁଷ୍କ ଜଳବାୟୁରେ ଚିରହରିତ ବୃହତ୍ ଗଛଗୁଡ଼ିକ ପ୍ରସ୍ବେଦନ ମାଧ୍ୟମରେ ଆଖପାଖ ଅଞ୍ଚଳର ଉତ୍ତାପ ହ୍ରାସ କରନ୍ତି। ସାଧାରଣତଃ ଦୁଇଟି ଉପାୟରେ ଗଛ ନିଜର ପାରିପାର୍ଶ୍ବିକ ପରିସରରେ ଉତ୍ତାପ ହ୍ରାସ କରିଥାଏ। ପ୍ରଥମତଃ, ଗଛର ଡାଳପତ୍ର ସୂର୍ଯ୍ୟକିରଣକୁ ମାଟିରେ ପଡ଼ିବାରୁ ଅଟକାଇ ଛାଇ ସୃଷ୍ଟି କରିଥାଆନ୍ତି। ଦ୍ବିତୀୟତଃ, ଗଛ ପତ୍ରର ଛିଦ୍ର ଦେଇ ଜଳ ନିଷ୍କାସନ କରି ବା ପ୍ରସ୍ବେଦନ ମାଧ୍ୟମରେ ଆଖପାଖ ଅଞ୍ଚଳର ଉତ୍ତାପ ହ୍ରାସ କରିଥାଏ।

ତେଣେ ଛାୟାପ୍ରଦ ବୃକ୍ଷର ମୌଳିକ ବୈଶିଷ୍ଟ୍ୟ ହେଉଛି, ଏହା ନିଜ ମୂଳଗଣ୍ଡିରୁ ଶାଖାପ୍ରଶାଖା ବିସ୍ତାର କରି ପତ୍ର ଦ୍ବାରା ଆଖପାଖ ଅଞ୍ଚଳକୁ ଆଚ୍ଛାଦିତ କରିଥାଏ। ଯେଉଁ ବୃକ୍ଷର ଆକାର ବଡ଼ ତାହାର ଛାୟା ପରିସର ମଧ୍ୟ ବୃହତ୍। ଛାୟାପ୍ରଦ ବୃକ୍ଷ ସବୁ ଲୋକଙ୍କୁ ସୂର୍ଯ୍ୟର ଅତିବାଇଗଣୀ ରଶ୍ମି କୁପ୍ରଭାରୁ ବି ରକ୍ଷା କରିଥାଏ ବୋଲି ଉଦ୍ଭିଦ ବିଜ୍ଞାନୀ ମତ ଦିଅନ୍ତି। ଗଛ, ବୁଦା ଓ ଭୂମି ଆଚ୍ଛାଦନକାରୀ ଉଦ୍ଭିଦଗୁଡ଼ିକ ମଧ୍ୟ ମାଟି ଅଥବା ଘର ଚାରିକଡ଼େ ଥିବା ପାଦଚଲା ରାସ୍ତାକୁ ଛାୟା ପ୍ରଦାନ କରିଥାଆନ୍ତି। ଏହା ଫଳରେ ଉତ୍ତାପର ବିକିରଣ ଘର କାନ୍ଥ ବା ଝରକାରେ ପହଞ୍ଚିବା ପୂର୍ବରୁ ହ୍ରାସ ପାଇଥାଏ। ଉତ୍ତପ୍ତ ବାୟୁ ମଧ୍ୟ ସେଠାରେ ପହଞ୍ଚିବା ପୂର୍ବରୁ ଶୀତଳ ହୋଇଯାଇଥାଏ। ବଡ଼ ବୁଦାଟିଏ ସୃଷ୍ଟି କରି ବା ବହୁ ସଂଖ୍ୟକ ଛୋଟ ଛୋଟ ବୁଦାଗଛ ମାଧ୍ୟମରେ ଅଗଣା ବା ଘରକୁ ପଡ଼ିଥିବା ରାସ୍ତାକୁ ଛାୟାସଂପନ୍ନ କରିହେବ। ପାଦଚଲା ରାସ୍ତାକୁ ଶୀତଳ କରିବା ସକାଶେ କଞ୍ଚାବାଡ଼ ବସାଯାଇ ପାରିବ।

ଏବେ ଘରେ ଘରେ ଶୀତତାପ ନିୟନ୍ତ୍ରକ ଯନ୍ତ୍ର (ଏସି) ଲାଗିଛି। ଖରାରୁ ବର୍ତ୍ତିବା ପାଇଁ ଆମେ ଆଉ ଗଛ ଛାଇ ଖୋଜୁନାହେଁ, ବରଂ ନିବୁଜ କୋଠରିରେ ପଶି ଏସି ଲଗାଇ ଦେଉଛେ। କିନ୍ତୁ ଏଥିରୁ ନିର୍ଗତ ଅଙ୍ଗାରକ ବାଷ୍ପ ଏବେ ଆମକୁ ଜଳବାୟୁ ପରିବର୍ତ୍ତନ ଭଳି ମହାସଂକଟ ଭିତରକୁ ଠେଲିଦେଇଛି। ପୃଥିବୀ ପୃଷ୍ଠରେ ଉତ୍ତାପ ବଢ଼ି ବଢ଼ି ଚାଲିଛି, ଆଉ ପୁଣି ଆମେ ଗଛ ଲଗାଇ ତାହାକୁ ବଞ୍ଚାଇବାକୁ ଉଦ୍ୟମ କରୁଛେ।

ବରଗଛ: ବରଗଛକୁ କଳ୍ପବୃକ୍ଷ ବା ଛାୟାବୃକ୍ଷ ବୋଲି କୁହାଯାଇଥାଏ। ପ୍ରାଗୈତିହାସିକ ଯୁଗରୁ ବରଗଛ ଭାରତବାସୀଙ୍କର ଜୀବନ ଓ ସଂସ୍କୃତି ସହ ଯୋଡ଼ିହୋଇ ରହିଛି। ପୁରାଣରୁ ଜଣାଯାଏ ଯେ, ପ୍ରଳୟ କାଳରେ ଋଷି ମାର୍କଣ୍ଡେୟ ଗୋଟିଏ ବରପତ୍ରରେ ପ୍ରଭୁ ବିଷ୍ଣୁଙ୍କୁ ସ୍ଥାପନ କରି ପ୍ରାର୍ଥନା କରିଥିଲେ। ସେଥିପାଇଁ ବରଗଛ ବର ପାଇଥିଲା ଯେ ତା’ର ଛାଇ ସବୁଠୁ ଶୀତଳ ଓ ଆରାମଦାୟକ ହେବ। ଆମ ରାଜ୍ୟର ପରିସଂସ୍ଥାନ ଓ ପରିବେଶ ସହିତ ମଧ୍ୟ ବରଗଛର ସଂପର୍କ ବହୁ ପୁରାତନ। ଆଶ୍ରୟ ଓ ଛାଇ ପାଇଁ ବିଦ୍ୟାଳୟ ପରିସର, ଗଁା’ର ସର୍ବସାଧାରଣ ସ୍ଥାନ, ପୋଖରୀହୁଡ଼ା, ଶ୍ମଶାନ ଓ ରାସ୍ତାକଡ଼ରେ ବରଗଛ ଲଗାଯାଉଥିଲା। ଏହାକୁ ଧର୍ମକାର୍ଯ୍ୟ ବୋଲି ବିବେଚନା କରାଯାଉଥିଲା। ଉଭୟ ଧନାଢ଼୍ୟ ଓ ସାଧାରଣ ନାଗରିକ ଏହି ମହତ୍‌ କାର୍ଯ୍ୟ କରୁଥିଲେ।
ଶିରିଷଗଛ: ଶିରିଷ ଏକ ସୁନ୍ଦର ତଥା ଛାୟା ପ୍ରଦାନକାରୀ ଗଛ। ଏହା ଖୁବ୍‌ ଶୀଘ୍ର ବଢ଼ିଥାଏ ଓ ବଂଶବିସ୍ତାର ମଧ୍ୟ କରିଥାଏ। ଏହାର ଉଚ୍ଚତା ପ୍ରାୟ ୨୦ରୁ ୨୫ ମିଟର ପର୍ଯ୍ୟନ୍ତ ହୋଇଥାଏ। ଏହି ଛାୟାପ୍ରଦ ଗଛର ମରୁଡ଼ି ସହଣି ଗୁଣ ରହିଛି।
କଦମ୍ବଗଛ: ଏହି ଛାୟାପ୍ରଦ ବୃକ୍ଷଟି ଭଗବାନ୍ ଶ୍ରୀକୃଷ୍ଣଙ୍କ ଲୀଳା ସହିତ ଜଡ଼ିତ। ଏହାର ଉଚ୍ଚତା ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ହୋଇଥାଏ ଏବଂ ଏହା ଖୁବ୍ ଶୀଘ୍ର ବଢ଼ିଥାଏ। କଦମ୍ବ ବେଶ୍ ବଡ଼ ଅଞ୍ଚଳକୁ ଛାୟା ପ୍ରଦାନ କରିଥାଏ। ଏହି ଗଛକୁ ବଡ଼ ବଡ଼ ତୋଟାରେ ଅଥବା ପଥପାର୍ଶ୍ବରେ ଲଗାଯାଇଥାଏ।
ନିମଗଛ: ଏହି ଚିରରହିତ ଗଛର ଆକାର ବେଶ୍ ବଡ଼। ଏହାର ଉଚ୍ଚତା ୧୩ରୁ ୧୬ ମିଟର ପର୍ଯ୍ୟନ୍ତ ହୋଇଥାଏ। ନିମ ଔଷଧୀୟ ତଥା ବାୟୁଶୋଧନକାରୀ ବୃକ୍ଷ ‌ରୂପେ ପରିଚିତ। ରାଜପଥ ପାର୍ଶ୍ବରେ ଛାୟା ପ୍ରଦାନ କରିବା ସକାଶେ ଏହି ବୃକ୍ଷ ରୋପଣ କରିବା ପାଇଁ ସରକାରୀ ପରାମର୍ଶ ଦିଆଯାଉଛି। ପରିବ୍ୟାପ୍ତ ଶାଖାପ୍ରଶାଖା ଯୋଗୁଁ ଏହା ଏକ ବଡ଼ ଅଞ୍ଚଳକୁ ଆଚ୍ଛାଦିତ କରିଥାଏ। ବୃକ୍ଷ ଜଗତରେ ଏହା ସବୁଠୁ ଉତ୍ତମ ଶ୍ରେଣୀର ଛାୟା ପ୍ରଦାନକାରୀ ବୃକ୍ଷ।
ଝାଉଁଗଛ:  ଝାଉଁଗଛର ଛୋଟ ଛୋଟ ଡାଳଦେଇ ପବନ ପ୍ରବାହିତ ହେଲେ ସୁ...ସୁ...ଶବ୍ଦ ସୃଷ୍ଟି କରିଥାଏ। ତେଣୁ ଏହାକୁ ବଂଶୀବାଦକ ଗଛ ବୋଲି କୁହାଯାଇଥାଏ। ଅତି ଶୀଘ୍ର ବଢୁଥିବା ଏହି ଗଛ ୨୦ ମିଟର ବା ତା’ଠାରୁ ମଧ୍ୟ ଅଧିକ ଉଚ୍ଚ ହୋଇଥାଏ। ଏହି ଛାୟାପ୍ରଦ ଗଛକୁ ସମୁଦ୍ରକୂଳ ବା ବେଳାଭୂମିରେ ବାୟୁ ପ୍ରତିବନ୍ଧକ ହିସାବରେ ଲଗାଯାଇଥାଏ। ଏହା ମରୁଭୂମିର ଛାୟା ପ୍ରଦାନକାରୀ ବୃକ୍ଷ ଭାବେ ସୁପରିଚିତ।
ଅଶ୍ବତ୍‌ଥଗଛ: ଅଶ୍ବତ୍‌ଥ ହେଉଛି ବଡ଼ ଓ ଶୀଘ୍ର ବଢୁଥିବା ଗଛ। ଏହା ପ୍ରାୟ ୩୦ ଫୁଟ୍‌ ଉଚ୍ଚ ହୋଇଥାଏ। ହୃତ୍‌ପିଣ୍ଡ ଆକୃତିର ଏହାର ପତ୍ର ମୃଦୁ ପବନରେ ସୁନ୍ଦର ଭାବେ ଥରୁଥାଏ। ବରଗଛ ପରି ଏହାର ଛାଇ ମଧ୍ୟ ଅତ୍ୟନ୍ତ ଶୀତଳ। ବର ଓ ଅଶ୍ବତ୍‌ଥଗଛକୁ ଏକତ୍ର ଲଗାଇ ବିବାହ କରାଇବାର ପରମ୍ପରା ମଧ୍ୟ ରହିଛି। ବର-ଓସ୍ତ ବିବାହ ମଙ୍ଗଳକାରୀ ବୋଲି ବିଶ୍ବାସ ମଧ୍ୟ ରହିଛି। ଓଡ଼ିଶାର ଶହ ଶହ ସ୍ଥାନରେ ବର-ଓସ୍ତ ଏକତ୍ର ଥାଇ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଛାୟା ପ୍ରଦାନ କରୁଥିବା ଦେଖିବାକୁ ମିଳେ।
ବଉଳଗଛ: ଏହା ମଧ୍ୟମ ଆକାରର ଘନ ଛାଇ ପ୍ରଦାନ କରୁଥିବା ଗଛ। ବଉଳ ଗଛର ଘନ ଛାଇ ଖୁବ୍ ଶୀତଳ। ଗଁା ଓ ସହର ବଜାରର ପୂଜା ମଣ୍ଡପରେ ଏହି ଗଛ ଲଗାଯାଇଥାଏ। ବିଗତ ଦିନରେ ଏହି ଗଛ ଛାଇ ତାସ୍ ଓ ପଶାପାଲି ଖେଳର ପେଣ୍ଠ ପାଲଟୁଥିଲା।
କରଞ୍ଜଗଛ: ୧୦ରୁ ୧୫ ଫୁଟ୍‌ ଉଚ୍ଚତା ବିଶି‌ଷ୍ଟ ଚିରରହିତ କରଞ୍ଜ ଗଛ ଶୀଘ୍ର ବଢ଼ିଥାଏ। ଛାଇ ପାଇଁ ଏହି ଗଛ ରାସ୍ତାକଡ଼ ବା ସର୍ବସାଧାରଣ ସ୍ଥାନରେ ରୋପଣ ପାଇଁ ଉପଯୁକ୍ତ।
ଅର୍ଜ୍ଜୁନଗଛ: ୨୦ରୁ ୨୫ ମିଟର ଉଚ୍ଚ ପର୍ଯ୍ୟନ୍ତ ବଢୁଥିବା ଅର୍ଜ୍ଜୁନଗଛ ମଧ୍ୟ ଚିରରହିତ ଛାୟା ପ୍ରଦାନକାରୀ ବୃକ୍ଷ। ଏହାକୁ ସାଧାରଣତଃ ରାସ୍ତାକଡ଼ରେ ଲଗାଯାଇଥାଏ। ଭାରତୀୟ ପୁରାଣ ଅନୁଯାୟୀ, ଅର୍ଜ୍ଜୁନ ସୀତାଙ୍କର ପ୍ରିୟଗଛ ଥିଲା। ଏହା ମୂଳତଃ ଭାରତୀୟ ଗଛ। ଧର୍ମ ସହ ସଂପୃକ୍ତି ତଥା ଔଷଧୀୟ ଗୁଣ ଯୋଗୁଁ ଏହି ଗଛ ସର୍ବଜନବିଦିତ। ପଥପାର୍ଶ୍ବରେ କରଞ୍ଜ ଓ ଅର୍ଜ୍ଜୁନ ଗଛ ଲଗାଇବାକୁ ରାଜାରାଜୁଡ଼ାମ‌ାନେ ପ୍ରାଧାନ୍ୟ ଦେଉଥିଲେ।
ଆମ୍ବଗଛ: କେବଳ ସ୍ବାଦିଷ୍ଠ ଫଳ ନୁହେଁ, ଛାଇ ପାଇଁ ମଧ୍ୟ ଆମ୍ବଗଛ ଖୁବ୍‌ ପରିଚିତ। ଏହା ପତ୍ରଗହଳ ଓ ବୃହଦ୍‌କାୟ ହୋଇଥିବାରୁ ଶୀତଳ ଛାୟା ପ୍ରଦାନ କରିଥାଏ। ଅାମ୍ବତୋଟା ଛାଇରେ ପିଲାମାନଙ୍କର ଖରାଦିନିଆ ଖେଳ ଆ‌ସର ବେଶ୍ ଜମିଥାଏ। ଆମ୍ବଗଛ ମଧ୍ୟ ପଥପାର୍ଶ୍ବ ବୃକ୍ଷରୋପଣରେ ଗୁରୁତ୍ବ ବହନ କରିଆସିଛି।

ପ୍ରସ୍ବେଦନ ପ୍ରକ୍ରିୟା ଯୋଗୁଁ ଛାଇ ଶୀତଳ

ଗଛର ଛାଇ କିପରି ଶୀତଳତା ପ୍ରଦାନ କରେ ତାକୁ ନେଇ ବିଜ୍ଞାନରେ ଅନେକ ବିଶ୍ଳେଷଣ ରହିଛି। ମୂଳତଃ ପ୍ରସ୍ବେଦନ ମାଧ୍ୟମରେ ଛାୟାପ୍ରଦ ଗଛଗୁଡ଼ିକ ଶୀତଳ ବାତାବରଣ ସୃଷ୍ଟି କରନ୍ତି। ପ୍ରସ୍ବେଦନ ପ୍ରକ୍ରିୟାରେ ଗଛର ପତ୍ରରୁ ଜଳ ବାଷ୍ପୀଭୂତ ହେବାବେଳେ ଉଷ୍ମତା ଶୋଷଣ କରି ଆଖପାଖ ବାୟୁକୁ ଶୀତଳ କରିଥାଏ ବୋଲି କହନ୍ତି ପରିବେଶ ବିଶେଷଜ୍ଞ ଦୁର୍ଗାପ୍ରସାଦ ମିଶ୍ର। ଛାୟା ପ୍ରଦାନକାରୀ ଗଛର ଗହଳିଆ ପତ୍ର ଭୂଇଁରେ ସୂର୍ଯ୍ୟକିରଣ ପକାଇଦିଏ ନାହିଁ। ଉତ୍ତାପ ଶୋଷଣକରି ମାଟିକୁ ଉତ୍ତପ୍ତ କରାଇଦିଏ ନାହିଁ। ଛାଇରେ ଥିବା ଅଞ୍ଚଳ ଆଉ ରାତିରେ ଉତ୍ତାପ ବିକିରଣ କରେନାହିଁ। ତେଣୁ, ଖରା ପଡୁଥିବା ଅଞ୍ଚଳ ଅପେକ୍ଷା ଏହି ଅଞ୍ଚଳ ଅପେକ୍ଷାକୃତ ଶୀତଳତର ହୋଇଥାଏ।

ପତ୍ରରୁ ଜଳ ବାଷ୍ପୀଭୂତ ହେବା ସକାଶେ ଗଛ ଶକ୍ତି ଆବଶ୍ୟକ କରେ। ସୂର୍ଯ୍ୟାଲୋକରୁ ଗଛ ଏହି ଶକ୍ତି ଶୋଷଣ କରି ସ୍ଥାନୀୟ ଅଞ୍ଚଳର ଉତ୍ତାପ ଅପହରଣ କରିନିଏ। ବୃକ୍ଷ ଆଚ୍ଛାଦିତ ଭୂଇଁରେ ଅପେକ୍ଷାକୃତ କମ୍ ସୂର୍ଯ୍ୟକିରଣ ପଡୁଥିବାରୁ ସେଠାରେ ଉତ୍ତାପ ବି ଖୁବ୍ କମ୍ ରହିଥାଏ। ବାସ୍ତବରେ ଛାଇ ପବନକୁ ଶୀତଳ କରେନାହିଁ। ଏହା କେବଳ ବାୟୁକୁ ଉତ୍ତପ୍ତ କରାଇ ଦେଇ ନ ଥାଏ। ଫଳରେ ଛାଇ ଅଞ୍ଚଳ ଶୀତଳ ଲାଗିଥାଏ। ଗଛର ପତ୍ର ଆଚ୍ଛାଦନ ପ୍ରାୟ ୯୦% ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ପ୍ରତିହତ କରିପାରେ ଏବଂ ତା’ ସହ ଆସୁଥିବା ଉତ୍ତାପ ମଧ୍ୟ ବାଧା ପାଇଥାଏ। ବୃକ୍ଷ ଡେଙ୍ଗା, ଓସାରିଆ ଓ ପତ୍ରଗହଳ ଥିଲେ ଅଧିକ ଦକ୍ଷତାର ସହ ଶୀତଳୀକରଣ ସଂପାଦିତ ହୋଇଥାଏ। ଉଦାହରଣ ସ୍ବରୂପ, ବର ଓ ଅଶ୍ବତ୍‌ଥ ଭଳି ଝଙ୍କାଳିଆ ଗଛ ସେମାନଙ୍କ ଉପରେ ପଡୁଥିବା ପ୍ରାୟ ୯୭% ସୂର୍ଯ୍ୟକିରଣ ଅଟକାଇ ଦେଇଥାନ୍ତି। ଉଷ୍ଣ କଟୀବନ୍ଧୀୟ ଗଛଗୁଡ଼ିକ ସୂର୍ଯ୍ୟକିରଣ ରୋକିବାରେ ଏତେ ଦକ୍ଷ ଯେ ସେମାନେ କେବଳ ୧% ସୂର୍ଯ୍ୟକିରଣ ମାଟିକୁ ‌ଛାଡ଼ି ଥାଆନ୍ତି। ବୃକ୍ଷ ଆଚ୍ଛାଦନ ହେତୁ ତଳକୁ ଅଳ୍ପ ସୂର୍ଯ୍ୟରଶ୍ମି ପହଞ୍ଚୁଥିବାରୁ ଉତ୍ତାପ ହ୍ରାସ ପାଏ।

ଗଛ ଚେରଦ୍ବାରା ମାଟିରୁ ଜଳ ଶୋଷଣ କରି ତାହାକୁ ପତ୍ର ପର୍ଯ୍ୟନ୍ତ ପରିବାହିତ କରିଥାଏ। ପତ୍ରରେ ଆଲୋକ ସଂଶ୍ଳେଷିତ ହୋଇଥାଏ। ମାତ୍ର ପତ୍ର ପର୍ଯ୍ୟନ୍ତ ପହଞ୍ଚୁଥିବା ଜଳ ମଧ୍ୟରୁ ୯୯% ଜଳ ବାଷ୍ପ ଆକାରରେ ପତ୍ରର ଛିଦ୍ର ମାଧ୍ୟମରେ ନିର୍ଗତ ହୋଇଥାଏ। ଅଙ୍ଗାରକାମ୍ଳ ଓ ଅମ୍ଳଜାନ ଆଦାନପ୍ରଦାନ ସକାଶେ ପତ୍ରର ଛିଦ୍ରଗୁଡ଼ିକ ଖୋଲିବା ଓ ବନ୍ଦ ହେବା ପାଇଁ ଶକ୍ତି ଆବଶ୍ୟକ ହୋଇଥାଏ। ଏହି ପ୍ରକ୍ରିୟାକୁ ପ୍ରସ୍ବେଦନ କୁହାଯାଏ। ପ୍ରସ୍ବେଦନଜନିତ ପ୍ରକ୍ରିୟା ଯୋଗୁଁ ଗଛର ଛାଇ ଶୀତଳ ହୋଇଥାଏ। ଆକାର, ଆଚ୍ଛାଦନ ବ୍ୟାପ୍ତି ଓ ପତ୍ର ଆକାର ଆଧାରରେ ଗୋଟିଏ ଗଛ ଦିନକୁ ୭୦ରୁ ୧୨୦ ଲିଟର ପର୍ଯ୍ୟନ୍ତ ଜଳ ପ୍ର‌େସ୍ବଦନ ମାଧ୍ୟମରେ ବାଷ୍ପୀକରଣ ଆକାରରେ ବାୟୁମଣ୍ଡଳକୁ ନିଷ୍କାସନ କରେ। ଉଦାହରଣ ସ୍ବରୂପ ଯଦି ଗୋଟିଏ ଗଛର ଆଚ୍ଛାଦନର ପରିବ୍ୟାପ୍ତି ପ୍ରାୟ ୯୦୦ ମିଟର ବର୍ଗଫୁଟ ପର୍ଯ୍ୟନ୍ତ ହୋଇଥିବ ତେବେ ପ୍ରସ୍ବେଦନ ମାଧ୍ୟମରେ ଏହା ଦିନକୁ ୮୨ ଲିଟର ଜଳ ଛାଡ଼ିବ। ପ୍ରସ୍ବେଦନ ଦ୍ବାରା ଜଳୀୟ ବାଷ୍ପ ନିର୍ଗମନ ଘଟିବା ବେଳେ ଜଳ ବାଷ୍ପ ହେବା ପାଇଁ ଯେତେ ପରିମାଣର ଶକ୍ତି ଆବଶ୍ୟକ ତା’ଠାରୁ ଅଧିକ ପରିମାଣର ଶକ୍ତି ଏହି କ୍ରିୟାରୁ ବାହାରି ଯାଏ। ଶକ୍ତି ସଂରକ୍ଷଣର ନିୟମ ଅନୁଯାୟୀ, ଯଦି ଏହି କ୍ରିୟାରେ ପ୍ରବେଶ କରୁଥିବା ଶକ୍ତିର ପରିମାଣ ପରିତ୍ୟାଗ କରୁଥିବା ଶକ୍ତିର ପରିମାଣଠାରୁ କମ୍ ହୋଇଥାଏ ତେବେ, ଭାରସାମ୍ୟ ରକ୍ଷା କରିବା ସକାଶେ ଏହି ପ୍ରକ୍ରିୟା ଶୀତଳ ‌େହାଇଥାଏ ବୋଲି ଶ୍ରୀ ମିଶ୍ର ମତଦିଅନ୍ତି।

ଅଦୃଶ୍ୟ ହେଉଛି ଗଛର ଛାଇ
ଭୁବନେଶ୍ୱର ଭଳି ସହରରେ ଗ୍ରୀଷ୍ଣଋତୁରେ ଟ୍ରାଫିକ୍‌ଗୁଡ଼ିକରେ ଛାମୁଣ୍ଡିଆ କରାଯାଇ ଉପରେ ପଲିଥିନ୍‌ ଘୋଡ଼ାଇ କୃତ୍ରିମ ଛାଇ ସୃଷ୍ଟି କରାଯାଉଛି। ହେଲେ ଗଛର ପ୍ରାକୃତିକ ଛାଇ ଓ ଛାମୁଣ୍ଡିଆର ଛାଇ ମଧ୍ୟରେ ରହିଛି ଆକାଶ ପାତାଳ ପ୍ରଭେଦ।  ବୃକ୍ଷମାନେ ଛାଇ ଭଳି ବିରଳ ସେବା ପ୍ରଦାନର ଏକ ଅସରନ୍ତି ଉତ୍ସ। ବୃକ୍ଷଛାୟାର ଭରଣା କେହି କରିପାରିବେ ନାହିଁ। ଆଜିକାଲି ପଥପ୍ରାନ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କେବଳ ଜାଳେଣି କାଠ ଉପଯୋଗୀ ଗଛରେ ସୀମିତ। ଏସବୁ ବୃକ୍ଷର ଛାଇ ଆମର ପାରମ୍ପରିକ ଗଛ ଛାଇ ଭଳି ଶୀତଳତା ପ୍ରଦାନ କରିବାକୁ ସମର୍ଥ ନୁହେଁ। ପୁଣି ‌ବିଭିନ୍ନ ପ୍ରକଳ୍ପ ଲାଗି ଗଛ କଟାକୁ ଦେଖିଲେ ସ୍ପଷ୍ଟ ବୁଝି ହେଉଛି, ଆମ ନିକଟରୁ ଗଛର ଛାଇ ଧୀରେ ଧୀରେ ଦୂରେଇ ଯାଉଛି।