ଶରୀରର କୌଣସି ଅଂଶ କଟିଗଲେ ରକ୍ତ ପ୍ରବାହ ବନ୍ଦ କରିବା ଲାଗି ରକ୍ତ ଜମାଟ ବାନ୍ଧିବା ହେଉଛି ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ମାତ୍ର ଶରୀରର ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିବା ହେଉଛି ଏକ ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା। ତେବେ ଭେଷଜ ପାଠରେ ‘ଥ୍ରମ୍ବୋସିସ୍’ ଭାବେ ପରିଚିତ ରକ୍ତ ଜମାଟ ବାନ୍ଧିବା ପରି ଅସ୍ବାଭାବିକତା ଶରୀରର ଯେ କୌଣସି ସ୍ଥାନରେ ଦେଖାଦେଇପାରେ। ଏହି ରକ୍ତ ଜମାଟ ଶିରାର ଯେକୌଣସି ସ୍ଥାନରେ ସୃଷ୍ଟି ହୋଇ ରକ୍ତ ସଂଚାଳନକୁ ବାଧା ଦେଇପାରେ; ବେଳେବେଳେ ସଂପୂର୍ଣ୍ଣ ବନ୍ଦ କରି ଏହା ମରଣାନ୍ତକ ସ୍ଥିତି ଉପୁଜାଇଥାଏ। ଏହାର ଲକ୍ଷଣ ସ୍ବରୂପ ହଠାତ୍ କୌଣସି ସ୍ଥାନ ଫୁଲିଯାଏ, ଲାଲ୍ ପଡ଼ିଯାଏ। ବେଳେବେଳେ ଗଭୀର ପ୍ରଶ୍ବାସ ନେବାବେଳେ ଛାତିରେ ଯନ୍ତ୍ରଣା ହୁଏ।
ହୃତ୍ସ୍ପନ୍ଦନ ବଢ଼ିଯିବା ମଧ୍ୟ ଥ୍ରମ୍ବୋସିସ୍ର ଅନ୍ୟତମ ଲକ୍ଷଣ। ରକ୍ତ ଜମାଟ ବାନ୍ଧିବାର ପ୍ରମୁଖ ସ୍ଥାନ ହେଉଛି ଗୋଡ଼ରେ ଥିବା ଗଭୀର ଶିରା ଯାହାକୁ ଡିପ୍ ଭେନ୍ ଥ୍ରମ୍ବୋସିସ୍ (ଡିଭିଟି) କୁହାଯାଏ। ଗୋଡ଼ରେ ରକ୍ତ ଜମାଟ ବାନ୍ଧିବାର ଅନେକ କାରଣ ରହିଛି। ପ୍ରଥମତଃ ରକ୍ତ ସଂଚାଳନ କରାଉଥିବା ହୃତ୍ପିଣ୍ଡଠାରୁ ଗୋଡ଼ ଦୁଇଟି ଅପେକ୍ଷାକୃତ ଦୂରରେ ଅବସ୍ଥିତ, ସୁତରାଂ ସେଠାରେ ରକ୍ତ ପ୍ରବାହର ଚାପ କମ୍ ରହିଥାଏ। ଫଳରେ କୌଣସି ଜମାଟ-ରକ୍ତକୁ ଦୂର କରିବା ପାଇଁ ରକ୍ତପ୍ରବାହର ଚାପ ଯଥେଷ୍ଟ ହୋଇନଥାଏ। ସେହିପରି ଦୀର୍ଘ ସମୟ ଧରି ଶଯ୍ୟାରେ ବିଶ୍ରାମ ନେଲେ କି ବିମାନଯାତ୍ରା ବେଳେ କି ଶାରୀରିକ ନିଷ୍କ୍ରିୟତା ଯୋଗୁଁ ଗୋଡ଼ରେ ରକ୍ତପ୍ରବାହ କମିଯାଇ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ରହିଛି।
ଏଥିରୁ ବର୍ତ୍ତିବା ପାଇଁ ଦୈନିକ ଅତି କମ୍ରେ ୩୦ ମିନିଟ୍ର ବ୍ୟାୟାମ କି ଶାରୀରିକ ପରିଶ୍ରମ କରିବା ଉଚିତ। ଚୌକିରେ ବସି ଦୀର୍ଘ ସମୟ କାମ କରୁଥିଲେ କି ଗାଡ଼ି ମୋଟରରେ ଦୀର୍ଘ ଯାତ୍ରା କରୁଥିଲେ ମଝିରେ ମଝିରେ ଗୋଡ଼ ଦୁଇଟିକୁ ସିଧା କରି ରକ୍ତ ପ୍ରବାହକୁ ସୁଗମ କରିବା ଜରୁରି। ଯଥେଷ୍ଟ ପାଣି ପିଇ ରକ୍ତକୁ ଅଧିକ ତରଳ କରି ରକ୍ତ ଜମାଟକୁ ଦୂର କରିହେବ। ମୋଟାପଣ ଓ ଧୂମପାନ ଯୋଗୁଁ ରକ୍ତ ଜମାଟ ଆଶଙ୍କା ବଢ଼ିଥାଏ। ତେଣୁ ସେଥିରୁ ନିବୃତ୍ତ ରହିବା ବାଞ୍ଛନୀୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/12/Y3pW7UNRXXdxnuo5ruYu.jpg)