ଛିଙ୍କିବା ବେଳେ ଆଶୀର୍ବାଦ କାହିଁକି?

ଆମକୁ ଯେତେବେଳେ ଛିଙ୍କ ଆସିଥାଏ, ସେତିକିବେଳେ ଆମ ପାଖରେ ଥିବା ଗୁରୁଜନ ବା ବନ୍ଧୁସହୋଦରଙ୍କର ଠାରୁ ସାଧାରଣତଃ ଏକ ନିଆରା ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ। କେହି ଛିଙ୍କିଲା ମାତ୍ରକେ ସେଠାରେ ଥିବା ଅନ୍ୟମାନଙ୍କ ପାଟିରୁ ସ୍ବତଃପ୍ରବୃତ୍ତ ଭାବେ ‘ବୁଢ଼ାଟିଏ ହୋଇଥାଅ’ ବା ‘ଦୀର୍ଘାୟୁ ଭବ’ ପରି ଆଶୀର୍ବାଦ ବାଣୀ ବାହାରି ଆସିଥାଏ। ଏହା ଏକ ପ୍ରଥାରେ ପାଲଟିଥିବା ବେଳେ ଏପରି ନିଆରା ଆଶୀର୍ବାଦ ପ୍ରଦାନ କେବେଠୁ ଆରମ୍ଭ ହେଲା ତାହାର କୌଣସି ସବିଶେଷ ବିବରଣୀ ନାହିଁ। ତେବେ ତାହା ପଛରେ ଏକ ନିର୍ଦ୍ଦିଷ୍ଟ କାରଣ ରହିଛି। ସାଧାରଣତଃ ନାକପୁଡ଼ାରେ କୌଣସି ସଲସଲ ହେଲା ପରି ଅନୁଭବ ଆସିଲେ ଆମକୁ ଛିଙ୍କ ମାଡ଼ିଥାଏ। ନାକକୁ କୌଣସି ବାହ୍ୟ ଶକ୍ତି ଉତ୍ତ୍ୟକ୍ତ କରୁଛି ବୋଲି ସେଠାରେ ଥିବା ସ୍ନାୟୁକୋଷଗୁଡ଼ିକ ତତ୍କାଳ ମସ୍ତିଷ୍କକୁ ସଂକେତ ପଠାଇଥା’ନ୍ତି। ଫଳସ୍ବରୂପ, ଏଭଳି ଅସ୍ବାଭାବିକତାକୁ ଦୂରେଇ ଦେବା

ଲାଗି ମସ୍ତିଷ୍କ ମଧ୍ୟ ଶରୀରକୁ ନିର୍ଦ୍ଦେଶ କରିଥାଏ। ତଦନୁସାରେ ଶରୀର ମଧ୍ୟ ଏହାର ମୁକାବିଲା ପାଇଁ ଏକ ଦୀର୍ଘ ପ୍ରଶ୍ବାସ ନେଇ ଛାତିର ମାଂସପେଶୀକୁ ସଂକୁଚିତ କରିଥାଏ। ଫଳରେ ଅନ୍ତରସ୍ଥ ଫୁସ୍‌ଫୁସ୍‌ରେ ଚାପ ବଢ଼ିବା ସହ ଆଖି ବୁଜି ହୋଇଯାଏ, ପାଟିର ଉପରିଭାଗକୁ ଜିଭ ଲାଗିଯାଏ ଏବଂ ନାକ ବାଟେ ପ୍ରଖର ବେଗରେ ନିଶ୍ବାସ ବାହାରି ଆସିଥାଏ। ଛାତି ଭିତରର ଏହି ବର୍ଦ୍ଧିତ ଚାପ ରକ୍ତ ସଂଚାଳନ ସମେତ ହୃଦସ୍ପନ୍ଦନରେ ମଧ୍ୟ ପରିବର୍ତ୍ତନ ଆଣିଥାଏ। ଏହାଦ୍ବାରା ହୃଦସ୍ପନ୍ଦନ ଟିକେ କ୍ଷିପ୍ର ହେବା ସହ ବିଳମ୍ବିତ ହୋଇଥାଏ। ଫଳରେ କ୍ଷଣିକ ପାଇଁ ହୃଦକ୍ରିୟା ବନ୍ଦ ହେଲା ପରି ଜଣାପଡ଼େ। ତେଣୁ ଆଶୀର୍ବାଦ ପୂର୍ବକ ଏପରି ଆସନ୍ନ ମୃତ୍ୟୁ ଆଶଙ୍କାକୁ ଏଡ଼ାଇ ଦିଆଯାଇଥାଏ। ଏହାକୁ ଅନ୍ଧବିଶ୍ବାସ କୁହାଯାଇପାରେ, ମାତ୍ର ଚମତ୍କାର ଏହା ପଛର ବିଜ୍ଞାନ।

ସମ୍ବନ୍ଧିତ ଖବର