ସବୁ ମନ୍ତ୍ର ‘ଓଁ’ ରୁ ଆରମ୍ଭ ହୋଇ ‘ସ୍ୱାହା’ରେ ସରେ କାହିଁକି?

କର୍ମକର୍ମାଣିରେ, ଦେବ ଦେବୀ ଆରାଧନା ବେଳେ ପାଠ କରା ଯାଉ ଥିବା ସବୁ ମନ୍ତ୍ର ‘ଓଁ’ରୁ ଆରମ୍ଭ ହୋଇ ‘ସ୍ୱାହା’ରେ ଶେଷ ହୋଇ ଥାଏ। ଓଁ ଶବ୍ଦର ଅର୍ଥ ପ୍ରଣବ। ବୈଦିକ, ପୌରାଣିକ କିଂବା ବୀଜ ମନ୍ତ୍ର ଆଦି ସମସ୍ତ ମନ୍ତ୍ର ଓଁ ରୁ ହିଁ ଆରମ୍ଭ ହୋଇଥାଏ।
ଏହାର ରହସ୍ୟ ଧର୍ମଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ଧର୍ମଶାସ୍ତ୍ର କହେ: ତିନୋଟି ତତ୍ତ୍ୱରେ ସମଗ୍ର ବିଶ୍ୱ ନିର୍ମିତ ହୋଇଛି। ତାହା ହେଉଛି ରଜ, ସତ୍ୱ ଏବଂ ତମ।

ଓଁ ଏକାକ୍ଷର ବ୍ରହ୍ମ ବୋଲି ବିଶ୍ୱାସ କରାଯାଏ। ଏହା ହେଉଛି ସମଗ୍ର ପ୍ରକୃତିର ସ୍ରଷ୍ଟା ଏବଂ ସଂହାରକର୍ତ୍ତା। ତେଣୁ ‘ଓଁ’ ହେଉଛି ବିଶ୍ୱର ତିନି ତତ୍ତ୍ୱର ଈଶ୍ୱର।

ଗଣନାଥଙ୍କୁ ମଧ୍ୟ ପ୍ରକୃତିର ପରଂବ୍ରହ୍ମ ବୋଲି ବିବେଚନା କରାଯାଏ। ଓଁ ତାଙ୍କର ପ୍ରତୀକ। ସେ ଅଗ୍ରପୂଜ୍ୟ ହୋଇଥିବାରୁ ମନ୍ତ୍ର ଆରମ୍ଭରେ ଓଁ ଉଚ୍ଚାରଣ କରାଯାଏ। ଏହାଛଡ଼ା ଓଁ ଅତି ପବିତ୍ର ଏବଂ ତା’ର ଚମତ୍କାରୀ ଶକ୍ତି ଥାଏ।

ଓଁରୁ ଆରମ୍ଭ ହେବା ପରେ ମନ୍ତ୍ର ସରେ ‘ସ୍ୱାହା’ ଉଚ୍ଚାରଣରେ। ଏହାର ମଧ୍ୟ କାରଣ ରହିଛି। ସୃଷ୍ଟିର ଆଦ୍ୟ କାଳରେ ଦେବତାମାନେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇ ଥିଲେ। ସମାଧାନ ପାଇଁ ସେମାନେ ବ୍ରହ୍ମାଙ୍କ ନିକଟରେ ପହଞ୍ଚିଥିଲେ।

ତେଣୁ ବ୍ରହ୍ମା ସ୍ଥିର କଲେ ଯଜ୍ଞ ସମୟରେ ବ୍ରାହ୍ମଣମାନେ ଦେଉଥିବା ଆହୂତିକୁ ଦେବତାମାନଙ୍କ ବ୍ୟବହାର ଉପଯୋଗୀ କରାଇବେ। ଫଳରେ ଏହା ପୋଡ଼ି ନ ଯାଇ ଦେବତାଙ୍କ ବ୍ୟବହାରରେ ଆସିବ।


ବ୍ରହ୍ମା ଆଦି ପ୍ରକୃତିଙ୍କୁ ତପସ୍ୟା କଲେ। ଜଣେ ଦେବୀ ପ୍ରକଟ ହୋଇ ବ୍ରହ୍ମାଙ୍କୁ ବର ଯାଚିଲେ। ସେ ତାଙ୍କୁ ଅଗ୍ନିଙ୍କ ସହ ରହିବାକୁ ଅନୁରୋଧ କଲେ। ସେ ହେଉଛନ୍ତି ଦେବୀ ସ୍ୱାହା।

ବ୍ରହ୍ମା କହିଲେ ସ୍ୱାହାଙ୍କ ନାମ ଉଚ୍ଚାରଣ ପୂର୍ବକ ଯେଉଁ ଆହୂତି ଦିଆଯିବ ତାହା ଦେବତାଙ୍କ ନିକଟରେ ପହଞ୍ଚିବ। ସ୍ୱାହା ଅଗ୍ନିଙ୍କ ପତ୍ନୀ ହୋଇ ରହିଲେ।

ତେଣୁ ମନ୍ତ୍ର ଓଁ ରୁ ଆରମ୍ଭ ହୋଇ ସ୍ୱାହା ଉଚ୍ଚାରଣ ସହ ଶେଷ ହୁଏ।

ସମ୍ବନ୍ଧିତ ଖବର