ଭୁବନେଶ୍ବର: ଶୀତ ଆସିଲେ କୁହୁଡି ସୃଷ୍ଟି ହୁଏ । ଗାଁଠୁ ସହର ସବୁଠି କୁହୁଡିର ଚାଦର ଦେଖିବାକୁ ମିଳେ । କୁହୁଡିର ମାତ୍ରା ଏତେ ଅଧିକ ହୁଏ ଯେ ବାଟଘାଟ କିଛି ଦିଶେନି । କୁହୁଡି ପାଇଁ ଅସ୍ତବ୍ୟସ୍ତ ହୁଏ ଜୀବନ, କୁହୁଡି ପାଲଟେ ଗଣମାଧ୍ୟମର ଖବର ଶିରୋନାମା । ଆଉ କେହି କେହି କୁହୁଡିକୁ ନେଇ ରିଲ୍ସ ବି କରନ୍ତି ।
କୁହୁଡି ପଡିଲେ ଚେଇଁ ଉଠେ କବି, ମାଟିର ଛାତି କୁକୁଡିରେ ଓଦା ହେଲାପରି ଓଦା ହୁଏ ବି କବିର ମନ ଆଉ କୁହୁଡିକୁ ନେଇ ଲେଖେ ସିଏ ରାଶିରାଶି କବିତା । ଆମ ଓଡିଆ ସାହିତ୍ୟ ଏବଂ ଓଡିଆ ସଂଗୀତ ଜଗତରେ କୁହୁଡିକୁ ନେଇ ଅନେକ କଥା, କବିତା ଓ ଗୀତ ଅଛି । କୁହୁଡି ଗାଁରେ ଗୋଟେ ଅତିଥି, ପାହାଡି ଇଲାକାରେ ନିଇତି ଜୀବନ-ୟନ୍ତ୍ରଣାର ଚିତ୍ର ଆଙ୍କୁଥିବା ଗୋଟେ କାରିଗର, ଗୋଟେ ଧୂଆଁଳିଆ ଚିତ୍ରଶିଳ୍ପୀ ଯିଏ ନିଜ ଭିତରେ ସବୁକିଛି ହଜେଇ ଦିଏ । ପ୍ରେମ, ପ୍ରତାରଣା ଆଉ ଦୁର୍ଘଟଣା । ଏଇ କୁହୁ଼ଡି ପାଇଁ ବାଜିରେ ଲାଗେ ଜୀବିକା, ନଷ୍ଟ ହୁଏ ଅନେକ ଫସଲ, ଧାନ ବିଲର ଘାସରେ ସିନା କୁହୁଡି କାକରରେ ହୀରା ପରି ଝଟକେ ହେଲେ ସେହି ବିଲର ମାଲିକ ଏଇ କୁହୁଡି ପାଇଁ କେବେ କେବେ କାନ୍ଦେ...
ତେବେ ଆମେ ନିଇତି ଶୀତଦିନେ ଭେଟୁଥିବା କୁହୁଡିକୁ ନେଇ ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି, ଯେ କାହିଁକି ହୁଏ କୁହୁଡି ? କେମିତି ସୃଷ୍ଟି ହୁଏ କୁହୁଡି ? କୁହୁଡି ସୃଷ୍ଟି ହେବା ପଛର କାରଣ କଣ ବୋଲି ? ଯଦି ଆପଣଙ୍କ ମନରେ ଏସବୁ ପ୍ରଶ୍ନ ଉଠୁଛି ତାହାଲେ ଜାଣନ୍ତୁ ତାହାର ସରଳ ଉତ୍ତର ।
ଶୀତଦିନେ ସାଧାରଣତ ପାଗ ଥଣ୍ଡା ରୁହେ । ପରିବେଶ ସେତେଟା ଗରମ ନଥାଏ । ଯେତେବେଳେ ପାଗ ଥଣ୍ଡା ଥାଏ ସେତେବେଳେ ବାୟୁ ଉଦ୍ଭିଦମାନଙ୍କ ସଂସ୍ପର୍ଶରେ ଆସେ ଆଉ ବାୟୁମଣ୍ଡଳରେ ଥିବା ଛୋଟ ଛୋଟ ଜଳୀୟ ଅଂଶ ବୁନ୍ଦା ଆକାରରେ ପତ୍ରରେ ଜମା ହୁଏ ଯାହାକୁ ଆମେ କାକର ବୋଲି କହିଥାଉ । ମାତ୍ର ଯେତେବେଳେ ବାୟୁରେ ଥିବା ଜଳୀୟ ବାଷ୍ପ ଘନୀଭୂତ ହୋଇ ଧୂଆଁ ଆକାରର ବାୟୁରେ ଭାସିବୁଲେ ତାହାକୁ କୁହୁଡି କୁହାଯାଏ ଆଉ ଏହା ଯେତେବେଳେ ଅଧିକ ହୁଏ ତାହାକୁ ଘନକୁହୁଡି କୁହାଯାଏ ।