ଭୁବନେଶ୍ୱର : ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏହି ଟାଙ୍କି ପ୍ରତି ସରକାରଙ୍କ ଏତେ ଅନୁକମ୍ପା କାହିଁକି? ପୂର୍ବରୁ ଏଠାରେ ନିଆଁ ଲାଗିଥିଲା। ବିଭିନ୍ନ ସମୟରେ ଅପମିଶ୍ରିତ ତେଲ ନେଇ ଅଭିଯୋଗ ରହିଛି। ସରକାର କିଛି ଦିନ ମିଛିମିଛିକା ଟାଙ୍କି ବନ୍ଦ ରଖିବା ପରେ ବ୍ୟବସାୟ କରିବାକୁ ସୁଯୋଗ ଦେଇଛନ୍ତି। ଏ ଯେଉଁ ଅଘଟଣ ଘଟିଲା ତା’ ପାଇଁ ସରକାର ଦାୟୀ। ସମସ୍ତ ଆହତ ଯେଭଳି ଉନ୍ନତ ସ୍ବାସ୍ଥ୍ୟ ସେବା ପାଇବେ ସେଥିପ୍ରତି ସରକାର ଯତ୍ନବାନ ହେବେ। ଏହି ଟାଙ୍କିକୁ ତୁରନ୍ତ ଏଠାରୁ ହଟାଇ ନିଆଯାଉ ବୋଲି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ବେଳେ କହିଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ।
ଭୂମିକମ୍ପ ଭଳି ମାଟି ଥରିଥିଲା
ୟୁନିଟ୍-୭ ଅଞ୍ଚଳ ତଥା ଏହି ଟାଙ୍କିର ପାଖ ଅଞ୍ଚଳରେ ଥିବା ବସ୍ତିରେ ଖେଳୁଥିଲେ ସାହିର ହୁସେନ। ସାହି ଟାଙ୍କି ଠାରୁ ଶହେ ମିଟର ଦୂରରେ ଥିଲେ ମଧ୍ୟ ଭୂମିକମ୍ପ ଭଳି ପାଦ ତଳ ମାଟି ଥରିଥିଲା। ଆକାଶମାର୍ଗରୁ ଉଡ଼ି ଆସିଥିଲା ଇଟା, ଗୋଡ଼ି, ଭଙ୍ଗା ଆଜ୍ବେଷ୍ଟସ୍, ଲୁହା ଛଡ଼। ସିଧା ଆସି ମୁଣ୍ଡରେ ବାଜିଲା। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଚିତ୍କାର କରି ସେ ତଳେ ପଡ଼ି ଯିବା ପରେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ତାଙ୍କ ମୁଣ୍ଡରେ ୧୬ଟି ଷ୍ଟିଚ୍ ପଡ଼ିଛି।
ଟ୍ରାଫିକ୍ କଟକଣା: ସୂର୍ଯ୍ୟନଗର ପେଟ୍ରୋଲ ଟାଙ୍କି ବିସ୍ଫୋରଣ ପରେ ରାଜଭବନରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରିଛି କମିସନରେଟ୍ ପୁଲିସ। ଏହି ରାଂସ୍ତାକୁ ନୋ ‘ପ୍ଲାଇଙ୍ଗ୍ ଜୋନ୍’ ଭାବରେ ଘୋଷଣା କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବା ଯାଏଁ ଏଭଳି କଟକଣା ରହିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ଦୀର୍ଘ ଏକ ଘଣ୍ଟାଏ କାଳ ଘଟଣାସ୍ଥଳରେ ବୁଲି କମିସନରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଉଭୟ ପାର୍ଶ୍ବରେ ପୁଲିସର କଡ଼ା ପହରା ରହିଛି। ଭିତରକୁ କାହରିକୁ ଛଡ଼ା ଯାଉ ନାହିଁ। ବରିଷ୍ଠ ଅଧିକାରୀଙ୍କ ସହ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ଅଞ୍ଚଳ ବାସିନ୍ଦାଙ୍କ ଗମନାଗମନ ସୁବିଧା ପାଇଁ ବରିଷ୍ଠ ଅଧିକାରୀମାନେ ନିଷ୍ପତ୍ତି ନେବାକୁ କୁହାଯାଇଛି।
କ’ଣ କ୍ଷତି ହୋଇଥିଲା?
ପୁଳାପୁଳା ମାଂସ, ରକ୍ତ, ଚୁଟି, ଜୋତା, ବିସ୍ଫୋରଣରେ ମାଟିରୁ ବାହାରିଥିବା ଇଟା, ପଥର ଆଦି ପାଖାପାଖି ୨୦୦ମିଟର ପର୍ଯ୍ୟନ୍ତ ବିଚ୍ଛୁରିତ ହୋଇପଡ଼ିଥିଲା। କାଚ, ବିଦ୍ୟୁତ୍ ଖୁଣ୍ଟ, ଲୁହା ପାଇପ, ଟାଙ୍କି, ମୋଟର, ଆଜବେଷ୍ଟସ, ଗ୍ୟାସ୍ ଟାଙ୍କିର ଭଗ୍ନାଂଶ ଚାରି ଆଡ଼େ ପଡ଼ିଥିଲା। ବିଧାୟକ ରୋହିତ୍ ପୂଜାରୀ, ଆଇପିଏସ୍ ସନ୍ତୋଷ କୁମାର ବାର୍ଲା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ମନ୍ତ୍ରୀ ରଘୁନନ୍ଦନ ଦାସ, ଏଲ୍ଆଇସି ଅଫିସ୍, ଆମ୍ବେଦକର ଆପାର୍ଟମେଣ୍ଟ ସମେତ ବହୁ ବିଶିଷ୍ଟ ଲୋକଙ୍କ ଘର, ଏଟିଏମ୍ କାଉଣ୍ଟର, ଫାଷ୍ଟଫୁଡ୍ ଓ ଓମଫେଡ୍ ଷ୍ଟଲ୍ ଆଦି ଭାଙ୍ଗି ଯାଇଥିଲା। ପାଖରେ ଥିବା ଏକ ଛୋଟ ମଲ୍ ଦୁଆରମୁହଁ ଗେଟ୍ ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା। ବାଇକ୍ ଓ କାର୍ ସମେତ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଗାଡ଼ି ଭାଙ୍ଗି ଯାଇଥିଲା। ରାସ୍ତାକଡ଼ରେ ବିଭିନ୍ନ ପ୍ଲାଷ୍ଟିକ୍ ଡବା, ଚେୟାର ଆଦି ବିକୁଥିବା ଉଠା ବ୍ୟବସାୟୀର ବିକ୍ରି ସାମଗ୍ରୀ ରାସ୍ତାରେ ବିଛାଡ଼ି ହୋଇପଡ଼ିଥିଲା। ବିସ୍ଫୋରଣରେ କିଛି ଚଢ଼େଇ ମରିଥିବା ବେଳେ ଅନେକ ଗଛ ଭାଙ୍ଗିଯାଇଥିଲା।