ନବବିବାହିତ ଦମ୍ପତିମାନେ ଏକ ସୁଗମ ବୈବାହିକ ଜୀବନ ଆରମ୍ଭ କରିବାର ଅଭିଳାଷ ରଖିଥା’ନ୍ତି। ସେଥିପାଇଁ ସେମାନେ ନିଜ ଜୀବନସାଥୀଙ୍କର ସ୍ବାସ୍ଥ୍ୟ, ସାଧୁତା ଓ ପାରସ୍ପରିକ ସମ୍ପର୍କ ଉପରେ ଗୁରୁତ୍ବ ଦେଉଥିବାରୁ ବିବାହ ପୂର୍ବରୁ ଜିନ୍ଗତ ପରୀକ୍ଷାଠାରୁ ଆରମ୍ଭ କରି ପ୍ରଜନନ କ୍ଷମତା ଯାଏ ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ତାହା ପଛରେ ଅନେକ ଗୁରୁତ୍ବପୂର୍ଣ୍ଣ କାରଣସବୁ ନିହିତ ରହିଥିବା କଥା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଆଜି ସେଭଳି କିଛି କାରଣ ବାବଦରେ ଜାଣିବା।
ପ୍ରଥମ କଥା ହେଲା, ଜୀବନସାଥୀଙ୍କର ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନତା। ଯେହେତୁ ଜିନ୍ଗତ ଅସ୍ବାଭାବିକତା, ସଂକ୍ରାମକ ଅସୁସ୍ଥତା ଓ ଜୀବନଶୈଳୀ ସହ ଜଡ଼ିତ ସ୍ବାସ୍ଥ୍ୟାବସ୍ଥା ଆଦି ଅତି ସାଧାରଣ କଥା ପାଲଟିଛି, ସୁତରାଂ ନିଜେ ଗଢ଼ିବାକୁ ଯାଉଥିବା ପରିବାର ଯେପରି ତା’ ଦ୍ବାରା ପ୍ରଭାବିତ ନହୁଏ, ସେଥିଲାଗି ସେମାନେ ସମ୍ଭାବ୍ୟ ସ୍ବାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ବାରୋପ କରୁଛନ୍ତି। ତେଣୁ ବିବାହ ପୂର୍ବରୁ କିଛି ଗୁରୁତ୍ବପୂର୍ଣ୍ଣ ଡାକ୍ତରୀ ପରୀକ୍ଷା ଅବଶ୍ୟମ୍ଭାବୀ ହୋଇପଡ଼ିଛି। ସେଗୁଡ଼ିକ ମଧ୍ୟରେ ରହିଛି କୌଣସି ଜିନ୍ଗତ ରୋଗ ଅଥବା ଯୌନ ସଂକ୍ରମିତ ରୋଗ ବାବଦରେ ଜାଣିବାର ପରୀକ୍ଷା ସମେତ ସ୍ବାଭାବିକ ଶାରୀରିକ ସୁସ୍ଥତା ପରଖିବା ପାଇଁ ସାଧାରଣ ରକ୍ତ ବିଶ୍ଳେଷଣ। ଏହାଦ୍ବାରା ଉଭୟ ଜୀବନସାଥୀ ଏକ ଉତ୍ତମ ସାଂସାରିକ ଜୀବନ ଆରମ୍ଭ କରିବା ପାଇଁ ନିଶ୍ଚିତ ହେବା ସହ ପରପିଢ଼ି ଶିଶୁମାନଙ୍କ ଠାରେ କୌଣସି ଜିନ୍ଗତ ଅସ୍ବାଭାବିକତା ରହିବାର ଆଶଙ୍କା ରହି ନ ଥାଏ।
ଏହିସବୁ ପରୀକ୍ଷା ପରେ ବିବାହ କରିବାକୁ ଯାଉଥିବା ଯୋଡ଼ି ନିଜ ଭବିଷ୍ୟତ ବାବଦରେ ଉତ୍ତମ ନିଷ୍ପତ୍ତି ନେଇପାରିବେ। ଉଭୟ ସ୍ବାମୀ-ସ୍ତ୍ରୀ ନିଜର ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ସାଧୁତାର ସହ ଜୀବନସାଥୀଙ୍କ ସହ ଆଲୋଚନା କରି ଆବଶ୍ୟକ ଡାକ୍ତରୀ ପରାମର୍ଶ ଗ୍ରହଣ କରିପାରିବେ। ଏହା ପରସ୍ପର ଉପରେ ଭରସା ଓ ବିଶ୍ବାସକୁ ସୁଦୃଢ଼ କରିପାରିବ। ସେହିପରି ଏପରି ପରୀକ୍ଷା ଦ୍ବାରା କୌଣସି ସ୍ବାସ୍ଥ୍ୟଗତ ସଂକଟ ବାବଦରେ ଆଗୁଆ ଜାଣିହେବ ଏବଂ ତଦନୁଯାୟୀ ପ୍ରତିକାର ମଧ୍ୟ କରିହେବ। ଏହାଦ୍ବାରା ଦମ୍ପତିମାନେ ନିଜର ପରିବାର ଯୋଜନାକୁ ସୁସଂଗଠିତ କରିପାରିବା ସହ ସ୍ବାଭାବିକ ସୁସ୍ଥ ଜୀବନ ବିତାଇପାରିବେ।