ଅଧିକାଂଶ ଲୋକଙ୍କ ପାଇଁ ଚକ୍ଷୁ ପରୀକ୍ଷାର ଅର୍ଥ ହେଉଛି ଏକ ଚାର୍ଟରୁ ଅକ୍ଷର ପଢ଼ି ଚଷମାର ପାଵାର ଜାଣିବା। କିନ୍ତୁ ଆଧୁନିକ ଚକ୍ଷୁ ପରୀକ୍ଷା କେବଳ ଦୃଷ୍ଟିଦୋଷ ସଂଶୋଧନ ପାଇଁ ନୁହେଁ, ବରଂ ଲକ୍ଷଣ ଦେଖାଦେବା ପୂର୍ବରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଚିହ୍ନଟ କରିବାର ଏକ ମାଧ୍ୟମ। ସେଥିପାଇଁ ଚକ୍ଷୁ ବିଶେଷଜ୍ଞମାନେ ନିୟମିତ ଚକ୍ଷୁ ପରୀକ୍ଷା ଉପରେ ଗୁରୁତ୍ୱାରୋପ କରନ୍ତି। ଚକ୍ଷୁଡୋଳା ଚାପ ଯାଞ୍ଚ, ରେଟିନା ମୂଲ୍ୟାଙ୍କନ ଭଳି ବ୍ୟାପକ ଚକ୍ଷୁ ପରୀକ୍ଷା ଦ୍ବାରା ବିଶେଷ କ୍ଷତି ହେବା ପୂର୍ବରୁ ଚକ୍ଷୁରୋଗ ଚିହ୍ନଟ କରିହୁଏ। ଏଥି ସହିତ ନିୟମିତ ଚକ୍ଷୁପରୀକ୍ଷା ଦ୍ବାରା ଉଚ୍ଚ ରକ୍ତଚାପ, ମଧୁମେହ ଓ ଉଚ୍ଚ କୋଲେଷ୍ଟ୍ରଲ୍ ବିଷୟରେ ମଧ୍ୟ ଜାଣିହେବ।
ବିଭିନ୍ନ ବିପଜ୍ଜନକ ଦୃଷ୍ଟି ସମସ୍ୟା ସାଧାରଣତଃ ଶେଷ ପର୍ଯ୍ୟାୟରେ ପରିଲକ୍ଷିତ ହେଉଥିବାରୁ ଚିକିତ୍ସା ଜଟିଳ ହୋଇପଡ଼େ। ତେଣୁ ନିୟମିତ ଯାଞ୍ଚ ଦ୍ବାରା ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କ କ୍ଷେତ୍ରରେ ଚକ୍ଷୁପରୀକ୍ଷା ଦ୍ବାରା ଆମ୍ଲିଓପିଆ, ଷ୍ଟ୍ରାବିସମସ୍ କିମ୍ବା ପ୍ରତିସରଣ ତ୍ରୁଟି ଧରିହେବ। ସେହିପରି ବୟସ୍କମାନଙ୍କ କ୍ଷେତ୍ରରେ ମୋତିଆବିନ୍ଦୁ ଚିହ୍ନଟ କରାଯାଇପାରିବ।
ଶରୀରର ଅନ୍ୟ ଅଂଶରେ କ’ଣ ଘଟୁଛି ତାହା ମଧ୍ୟ ଆଖିରେ ଆଗୁଆ ପ୍ରତିଫଳିତ ହୋଇଥାଏ। ରକ୍ତବାହୀ ନଳୀ ବା ଅପ୍ଟିକ୍ ସ୍ନାୟୁରେ ପରିବର୍ତ୍ତନ ଲୁପସ୍, ବ୍ରେନ୍ ଟ୍ୟୁମର କିମ୍ବା ଅଟୋଇମ୍ମ୍ୟୁନ୍ ରୋଗକୁ ସୂଚାଇପାରେ। ଶରୀରରେ ଅନ୍ୟତ୍ର ଉଚ୍ଚ ରକ୍ତଚାପ କିମ୍ବା ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ପ୍ରକାଶିତ ହେବା ଆଗରୁ ଚକ୍ଷୁ ଡାକ୍ତରମାନେ ତାହା ଚିହ୍ନଟ କରିପାରନ୍ତି। ମୋଟାମୋଟି ଭାବେ ନିୟମିତ ଚକ୍ଷୁ ପରୀକ୍ଷା ଜୀବନ ରକ୍ଷାକାରୀ ମଧ୍ୟ ହୋଇପାରେ।