ଜଳବାୟୁ ପରିବର୍ତ୍ତନ ହେତୁ ବୈଶ୍ବିକ ତାପମାତ୍ରା ବୃଦ୍ଧିର ଭୟାବହତା ଆମେ ଉପଲବ୍ଧି କରୁଛେ। ଏଣୁ ପରିବେଶ ଅନୁକୂଳ ଜୀବନଯାପନ କରି ଆମର ତଥା ଆମ ଭବିଷ୍ୟତ ବଂଶଧରଙ୍କ ପାଇଁ ଏକ ସୁରକ୍ଷିତ ପୃଥିବୀ ଗଠନ କରିବା ହିଁ ମୁଖ୍ୟକାର୍ଯ୍ୟ। ଏ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଉଛି ପରିବେଶ ଅନୁକୂଳ ଶକ୍ତିର ବ୍ୟବହାର। ସୌରଶକ୍ତି, ପବନଶକ୍ତି, ଭୂ-ଉତ୍ତାପ ଶକ୍ତି ଓ ଜଳବିଦ୍ୟୁତ୍ ଶକ୍ତି ହେଉଛି ଅକ୍ଷୟଶକ୍ତି ତଥା ପରିବେଶ ଅନୁକୂଳ। ଏହି ଶକ୍ତି-ଉତ୍ସଗୁଡ଼ିକର ଭରଣା ପ୍ରକୃତି ଦ୍ବାରା ସ୍ବାଭାବିକ ଭାବେ ହୋଇଥାଏ। ଏ ଭିତରେ ଭଲ ଖବରଟିଏ ହେଉଛି, ଏସବୁ ପରିବେଶ ଅନୁକୂଳ ଶକ୍ତିର ମୂଲ୍ୟ ହ୍ରାସ। ସୌର ଓ ପବନ ଶକ୍ତିର କ୍ରମାଗତ ଦର ହ୍ରାସ ହେତୁ ଏହାର ବ୍ୟବହାର ବଢ଼ିବା ସହ ଶକ୍ତି ଉତ୍ପାଦନ ଜନିତ ପ୍ରଦୂଷଣ ହ୍ରାସ ପାଇବ।
ପରିବେଶ ଅନୁକୂଳ ଯାତ୍ରା ସଂପର୍କରେ ଆପଣ ଆପଣଙ୍କ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ବାର୍ତ୍ତା ବାଣ୍ଟିବା ସହିତ ସେମାନଙ୍କୁ ନୂତନ ପୃଥିବୀ ଗଠନର ଅଭିନବ ଆନ୍ଦୋଳନ ‘ପୁନଶ୍ଚ ପୃଥିବୀ’ରେ ସାମିଲ ହେବାକୁ ନିମନ୍ତ୍ରଣ କରନ୍ତୁ।
ଏକ ସୁନ୍ଦର, ସବୁଜ ଓ ନିରାପଦ ପୃଥିବୀ ଗଠନ ସକାଶେ ଆମକୁ ପରିବେଶ ଅନୁକୂଳ ଶକ୍ତି ବ୍ୟବହାର କରିବାକୁ ପଡ଼ିବ ଏବଂ ଏ ଦିଗରେ ପାଖପଡ଼ୋଶୀଙ୍କୁ ଉତ୍ସାହିତ କରିବାକୁ ହେବ। ଏଥିସହ ଏନର୍ଜି ଷ୍ଟାର୍ ଲେବଲ୍ ଥିବା ବୈଦ୍ୟୁତିକ ଉପକରଣ ବ୍ୟବହାର ଦ୍ବାରା ଆମକୁ ଆର୍ଥିକ ସୁରକ୍ଷା ମିଳିବା ସହ ପରିବେଶ ସୁରକ୍ଷିତ ହେବ। ଶକ୍ତି ଦକ୍ଷତା ସକାଶେ ଅର୍ଥ ବିନିଯୋଗ ମଧ୍ୟ ଏକ ଉତ୍ତମ ଚିନ୍ତା। ସୌର ଶକ୍ତିକୁ ଯଥାସମ୍ଭବ ଅଧିକରୁ ଅଧିକ ବ୍ୟବହାର କରିବାକୁ ହେବ। ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବା ସହ ଗୋଷ୍ଠୀସ୍ତରରେ ଏଭଳି ପ୍ରକଳ୍ପଗୁଡ଼ିକର ପ୍ରୋତ୍ସାହନ ବି ଜରୁରି। ଏପରି ହେଲେ ଘରେ ଲାଗିଥିବା ସୌର ପ୍ୟାନେଲ୍ଗୁଡ଼ିକ ଗୋଟିଏ ଗୋଟିଏ ପରିବେଶ ଉପଯୋଗୀ ଶକ୍ତିକେନ୍ଦ୍ର ପାଲଟିବ।
ବିଦ୍ୟୁତ୍ ବ୍ୟବହାର ହ୍ରାସ କରିବା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଅନାବଶ୍ୟକ ବ୍ୟବହାର ଓ ଅପଚୟର ନିୟନ୍ତ୍ରଣ ଜରୁରି। ପ୍ରାକୃତିକ ଆଲୋକରେ ଯଥାସମ୍ଭବ ଚଳିବା ସକାଶେ ପ୍ରୟାସ କରନ୍ତୁ। ଯେତେସମ୍ଭବ ଓଦା ଲୁଗାସବୁକୁ ୱାସିଂ ମେସିନରେ ନଶୁଖାଇ ଖରା ଓ ପବନ ମାଧ୍ୟମରେ ଶୁଖାନ୍ତୁ। ଏହିପରି ଛୋଟଛୋଟ କାମ ପରିବେଶ ସୁରକ୍ଷାରେ ବଡ଼ ଭୂମିକା ଗ୍ରହଣ କରେ।
ସଚେତନତା ପରିବେଶ ସୁରକ୍ଷାର ମୂଳମନ୍ତ୍ର। ଜଳବାୟୁ ପରିବର୍ତ୍ତନର ଭୟାବହତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାନ୍ତୁ। ପରିବେଶ ଅନୁକୂଳ ଯାତ୍ରା ସଂପର୍କରେ ଆପଣ ଆପଣଙ୍କ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ବାର୍ତ୍ତା ବାଣ୍ଟିବା ସହିତ ସେମାନଙ୍କୁ ନୂତନ ପୃଥିବୀ ଗଠନର ଅଭିନବ ଆନ୍ଦୋଳନ ‘ପୁନଶ୍ଚ ପୃଥିବୀ’ରେ ସାମିଲ ହେବାକୁ ନିମନ୍ତ୍ରଣ କରନ୍ତୁ।