ସାଧାରଣତଃ ଚିକିତ୍ସାର ଦୁଇଟି ଦିଗ ରହିଛି। ଗୋଟିଏ ହେଲା ମାନବୀୟ ଓ ଅନ୍ୟଟି ଯାନ୍ତ୍ରିକ ଚିକିତ୍ସା। ବାସ୍ତବିକ କ୍ଷେତ୍ରରେ ଏକ୍ମୋ ଚିକିତ୍ସା ଶରୀରର ଦୁଇଟି ଅଙ୍ଗକୁ କୃତ୍ରିମ ଭାବରେ ସହାୟତା ଯୋଗାଇଥାଏ। ଫୁସ୍ଫୁସ୍(ଲଙ୍ଗସ୍) ଓ ହୃଦ୍ଯନ୍ତ୍ର(ହାର୍ଟ)। ଯଦି ଜଣେ ବ୍ୟକ୍ତିର ବିଶେଷ କରି କୋଭିଡ୍ ସଂକ୍ରମିତଙ୍କ ଫୁସ୍ଫୁସ୍ ଠିକ୍ରେ କାମ କରୁନି ବା ହୃଦ୍ରୋଗୀଙ୍କ ହୃଦ୍ଯନ୍ତ୍ର ମଧ୍ୟ ଅକାମୀ ବା ଫେଲିଓର ରହିଥାଏ। ଶରୀରରେ ଯେତିକି ଅମ୍ଳଜାନର ଆବଶ୍ୟକତା ହୁଏ, ତା ଆମ ଶରୀର ଠିକ୍ ଭାବରେ ପାଇପାରେନି। କାରଣ ଶରୀରର ଯେତେ ସବୁ ଦୂଷିତ ରକ୍ତ ସେସବୁ ହୃଦ୍ଯନ୍ତ୍ର ସଂଚାଳନ କରି ଫୁସ୍ଫୁସ୍କୁ ପଠାଇଥାଏ। ଫୁସ୍ଫୁସ୍ରେ ଦୂଷିତ ରକ୍ତରୁ ଅଙ୍ଗାରକାମ୍ଳକୁ ବାହାର କରି ଦିଆଯାଇ ଅମ୍ଳଜାନକୁ ମିଶାଯାଉଛି। ଯାହାଫଳରେ ଦୂଷିତ ରକ୍ତ ବିଶୁଦ୍ଧ ରକ୍ତରେ ପରିଣତର ହେଉଛି। ସେହି ବିଶୁଦ୍ଧ ରକ୍ତ ଆସିବା ପରେ ହୃଦ୍ଯନ୍ତ୍ର ଶରୀରର ସବୁ ଅଙ୍ଗକୁ ପଠାଉଛି। ଯେତେବେଳେ କୌଣସି ରୋଗୀର ଫୁସ୍ଫୁସ୍ ଅକାମୀ ଓ ହୃଦ୍ଯନ୍ତ୍ର ଅକାମୀ ହୋଇଯାଏ ସେତେବେଳେ ଆମ ଶରୀର ବାହାରେ ଏକ ଯନ୍ତ୍ର ରଖି ଏହି ଅଙ୍ଗଗୁଡ଼ିକର କାର୍ଯ୍ୟକୁ ସଂପାଦନ କରାଯାଇଥାଏ। ସେହି ଯନ୍ତ୍ରର ନାମ ହେଉଛି ‘ଏକ୍ମୋ’ ବା ‘ଏକ୍ସଟ୍ରା କର୍ପୋରିଆଲ ମେନ୍ବ୍ରେନ୍ ଅକ୍ସିଜେନେସନ୍’। ସେଥିରୁ ଏକ୍ସିଟ୍ରା କର୍ପୋରିଆଲର ଅର୍ଥ ହେଉଛି ‘ଆମ ଶରୀର। ସାଧାରଣ ଭାବେ ରକ୍ତକୁ ଶରୀର ବାହାକୁ ନିଆଯାଇ ଯନ୍ତ୍ର ବା ମେନ୍ବ୍ରେନ୍ ଅର୍ଥ ଆବରଣ ବା ପରଦା ଯାହା ଭିତର ଦେଇ ଆମର ଅଙ୍ଗାରକାମ୍ଳ ଓ ଅମ୍ଳଜାନ ଯାତାୟତ କରିପାରିବ। ସେହି ଯନ୍ତ୍ରରେ ଆମ ଶରୀରରେ ଫୁସ୍ଫୁସ୍ କାମ କରୁନି। ରକ୍ତ ଯିବ ଯନ୍ତ୍ରକୁ ଓ ଯନ୍ତ୍ର ମାଧ୍ୟମରେ ଫୁସ୍ଫୁସ୍ କାମ ହୋଇଥାଏ। ଯେଉଁ କୋଭିଡ୍ ରୋଗୀଙ୍କର ଫୁସ୍ଫୁସ୍ ସଂକ୍ରମିତ ହୋଇ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରିତା ହରାଇ ବସିଥାଏ ଏବଂ ଭେଣ୍ଟିଲେଟର୍ର ସହାୟତା ସତ୍ବେ ମଧ୍ୟ ଶତକଡା ୮୦ଭାଗ ଅକ୍ସିଜେନ ସାଚୁରେସନ୍ ରଖିପାରେ ନାହିଁ, ସେତେବେଳେ ସେମାନଙ୍କୁ ଏକ୍ମୋ ଯନ୍ତ୍ରର ସହାୟତା ନେବା କଥା ଚିନ୍ତା କରାଯାଇଥାଏ।
ଏତେ ଖର୍ଚ୍ଚ କଣ ପାଇଁ ହେଉଛି?
୪୦ଲକ୍ଷ ଦେଇ ଯନ୍ତ୍ର କିଣିଲେ, କିନ୍ତୁ ଏତେ ଖର୍ଚ୍ଚ ହେଉଛି କ’ଣ ପାଇଁ? ସେ ନେଇ ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି। ଭାରତର ଯେଉଁ ୨୧ଟି କେନ୍ଦ୍ରରେ ଏକ୍ମୋ ଅଛି, ଦୈନିକ ଖର୍ଚ୍ଚ ରୋଗୀ ପିଛା ଦେଢ଼ଲକ୍ଷରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ପଡୁଛି। ଖର୍ଚ୍ଚର କାରଣ ଏକ୍ମୋ ଯନ୍ତ୍ରରେ ସଂଲଗ୍ନ ହୋଇ ରହିଥାଏ ସେମାନଙ୍କର ଭାଇଟାଲ ପାରାମିଟରର୍ସ। ପ୍ରତି ୨/୩ମିନିଟରେ ନିରୀକ୍ଷଣ କରିବା ଜରୁରୀ। ତେଣୁ ଗୋଟିଏ ଏକ୍ମୋ ରୋଗୀ ପିଛା ଅତିକମ୍ରେ ୩ରୁ ୪ଜଣ ଏକ୍ମୋ ଟେକ୍ନସିଆନ ତାଙ୍କ ଚିକିତ୍ସାରେ ୨୪ଘଣ୍ଟିଆ(ରାଉଣ୍ଡ ଓ କ୍ଲକ୍) ରହିଥାନ୍ତି। ୨ରୁ ୩ ମିନିଟରେ ସ୍ବାସ୍ଥ୍ୟବସ୍ଥା ପଲ୍ସ, ପରିସ୍ରାଠାରୁ ଆରମ୍ଭ କରି ଅକ୍ସିଜେନ୍ ସପୋର୍ଟ ସିଷ୍ଟମ୍ର ତାର ପାରାମିଟରକୁ ଅନୁଧ୍ୟାନ ବା ମନିଟର କରିବେ। ଏକ୍ମୋରେ ଥିବା ରୋଗୀଙ୍କ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଚିକିତ୍ସା ଭିତରେ ଅକାମୀ ହୋଇପଡ଼େ। ଯଦି କିଡ୍ନି ଅକାମୀ ହୋଇଯାଏ ତାହେଲେ ସେମାନଙ୍କୁ ଏକ୍ମୋ ସହିତ ଡାଏଲିସିସ୍ କରିବାକୁ ପଡ଼ିଥାଏ। ଏବଂ ଏକ୍ମୋ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧ ଓ ରାସାୟନିକ ପଦାର୍ଥଗୁଡ଼ିକ ବ୍ୟୟବହୁଳ। ସାମଗ୍ରିକ ଭାବେ ଏସବୁ ଖର୍ଚ୍ଚ ମିଶିବା ପରେ ଜଣେ ରୋଗୀ ପିଛା ଦିନକୁ ଦେଢ଼ଲକ୍ଷରୁ ଦୁଇଲକ୍ଷ ଟଙ୍କା ବେସରକାରୀ ଡାକ୍ତରଖାନାରେ ଖର୍ଚ୍ଚ ହୋଇଥାଏ।
କୋଭିଡ୍ ପୂର୍ବରୁ ୪୦ପ୍ରତିଶତ ରୋଗୀ ଏକ୍ମୋରୁ ସୁସ୍ଥ ହୋଇ ଫେରୁଥିଲେ, କିନ୍ତୁ କୋଭିଡ୍ ପରେ ଏହାର ସଂଖ୍ୟା କମିଛି। ପରଦା ମାଧ୍ୟମରେ ଅକ୍ସିଜେନ ପରିବର୍ତ୍ତନ ହୁଏ। ରୋଗୀ କ୍ଷେତ୍ରରେ ତାର ଚିକିତ୍ସାରେ ବ୍ୟବହୃତ ସାମଗ୍ରୀ ପରିବର୍ତ୍ତନଶୀଳ। ଜଣଙ୍କର ବ୍ୟବହୃତ ସାମଗ୍ରୀ ଅନ୍ୟ ରୋଗୀଙ୍କ ଠାରେ ବ୍ୟବହାର ହୋଇପାରିବନି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଡିସ୍ପୋଜେବୁଲ କମ୍ପୋନେଣ୍ଟ୍ଗୁଡିକ ମଧ୍ୟ ଏହି ଚିକିତ୍ସାର ଅଧିକ ବ୍ୟବବହୁଳ। ତେଣୁ ଯନ୍ତ୍ର ସିନା ୪୦ଲକ୍ଷ କିନ୍ତୁ ଦୈନିକ ରୋଗୀ ପିଛା ଖର୍ଚ୍ଚ ୨ଲକ୍ଷ ନିଆଯାଉଥିବା ଜଣାପଡ଼ିଛି।
ଆସିଷ୍ଟାଣ୍ଟ ପ୍ରଫେସର, ହୃଦ୍ରୋଗ ବିଭାଗ
ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ