ଆମ ଅନ୍ତନଳୀରେ କୋଟି କୋଟି ସଂଖ୍ୟାରେ ଉଭୟ ହିତକରୀ ଓ ଅହିତକରୀ ଅଣୁଜୀବ ରହିଥା’ନ୍ତି, ଯେଉଁମାନେ ପାଚନ ଓ ରୋଗପ୍ରତିରୋଧକ ଶକ୍ତିଠାରୁ ଆରମ୍ଭ କରି ମନୋଭାବ ଓ ମାନସିକ ଦକ୍ଷତା ପର୍ଯ୍ୟନ୍ତକୁ ପ୍ରଭାବିତ କରିଥା’ନ୍ତି। ହିତକାରୀ ଅଣୁଜୀବମାନଙ୍କ ବୃଦ୍ଧି ଆମ ଶରୀରର ଉନ୍ନତିରେ ସାହାଯ୍ୟ କରୁଥିବା ବେଳେ ଅହିତକାରୀ ଅଣୁଜୀବଙ୍କ ବୃଦ୍ଧି ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଆଣିଥାଏ। ଲାକ୍ଟୋବାସିଲସ୍‌, ବିଫିଡୋବ୍ୟାକ୍ଟେରିଅମ୍‌ ଓ ସାକାରୋମାଇସେସ୍‌ ବୌଲାର୍ଡି ଭଳି ଅଣୁଜୀବ ଅନ୍ତନଳୀରେ ସୁରକ୍ଷାମୂଳକ ଭୂମିକା ଗ୍ରହଣ କରନ୍ତି। ଦହି, କାଞ୍ଜି ଓ ଅନ୍ୟାନ୍ୟ ପାରମ୍ପରିକ ବାସି ଖାଦ୍ୟରେ ପ୍ରାକୃତିକ ଭାବେ ଉପଲବ୍‌ଧ ଏହି ଉପକାରୀ ଅଣୁଜୀବଗୁଡ଼ିକ ପୁଷ୍ଟି ଅବଶୋଷଣରେ ସାହାଯ୍ୟ କରିବା ସହ ଅତ୍ୟାବଶ୍ୟକ ଖାଦ୍ୟସାର ସଂଶ୍ଳେଷଣ ଓ କ୍ଷତିକାରକ ଅଣୁଜୀବମାନଙ୍କ ଉପଦ୍ରବକୁ ନିୟନ୍ତ୍ରଣ କରିଥା’ନ୍ତି ଏବଂ ଶରୀରକୁ ସଂକ୍ରମଣରୁ ରକ୍ଷା କରିଥା’ନ୍ତି। 

Advertisment

ଅପରପକ୍ଷେ, କ୍ଳୋଷ୍ଟ୍ରିଡିଅମ୍‌ ଡିଫିସିଲ୍‌, ଇ. କୋଲି ଓ ସିଗେଲା ଭଳି ଅଣୁଜୀବମାନଙ୍କ ପ୍ରାଧାନ୍ୟ ବିସ୍ତାର ଯୋଗୁଁ ପାଚନ ସମସ୍ୟା, ପ୍ରଦାହ, ଚର୍ମ ସମସ୍ୟା, ଓଜନ ହ୍ରାସ ଏବଂ ଏପରିକି ମନୋଭାବ ବିକୃତ ହୋଇପାରେ। ସୁତରାଂ ଆମ ସ୍ବାସ୍ଥ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଏହି ଅଣୁଜୀବମାନଙ୍କ ସନ୍ତୁଳନ ଖୁବ୍ ଜରୁରି। ପ୍ରକ୍ରିୟାକୃତ ଖାଦ୍ୟ, ଦୀର୍ଘକାଳୀନ ମାନସିକ ଚାପ, ଅନିୟମିତ ନିଦ ଓ ବାରମ୍ବାର ଆଣ୍ଟିବାୟୋଟିକ୍‌ର ବ୍ୟବହାର ଅଣୁଜୀବମାନଙ୍କର ସନ୍ତୁଳନ ବିଗିଡ଼ିବା ପାଇଁ ଦାୟୀ। ଆଣ୍ଟିବାୟୋଟିକ୍‌ର ମାତ୍ରାଧିକ ଅଥବା ଅନୁପଯୁକ୍ତ ବ୍ୟବହାର କ୍ଷତିକାରକ ଅଣୁଜୀବମାନଙ୍କୁ ତ ମାରିଦେଇଥାଏ, ଏଥି ସହିତ ଉପକାରୀ ଜୀବାଣୁଗୁଡ଼ିକୁ ମଧ୍ୟ ନଷ୍ଟ କରିଦେଇଥାଏ। କ୍ଷତିକାରକ ଅଣୁଜୀବମାନଙ୍କର ବୃଦ୍ଧି ସାଧାରଣତଃ ଦ୍ରୁତ ବେଗରେ ହେଉଥିବା ବେଳେ ଉପକାରୀ ଅଣୁଜୀବମାନଙ୍କର ପୁନଃସ୍ଥାପନ ହେବାକୁ ସମୟ ଲାଗିଥାଏ। 

ଅନ୍ତନଳୀରେ ଅଣୁଜୀବମାନଙ୍କର ସନ୍ତୁଳନର ଅର୍ଥ ନୁହେଁ ସମସ୍ତ କ୍ଷତିକାରକ ଅଣୁଜୀବକୁ ନଷ୍ଟ କରିଦେବା, ବରଂ ଏପରି ଏକ ପରିବେଶ ସୃଷ୍ଟି କରିବା ଯେଉଁଠି ଉପକାରୀ ଅଣୁଜୀବମାନଙ୍କ ବୃଦ୍ଧି ଘଟି ତାହା ଅହିତକରୀ ଅଣୁଜୀବଙ୍କୁ ନିୟନ୍ତ୍ରଣରେ ରଖିପାରିବ। ଏ ପରିପ୍ରେକ୍ଷୀରେ ଜୀବନଶୈଳୀରେ ସଚେତନ ପରିବର୍ତ୍ତନ ମାଧ୍ୟମରେ ଅନ୍ତନଳୀର ସନ୍ତୁଳନ ବଜାୟ ରଖିହେବ। ସେଥିପାଇଁ ଶସ୍ୟ, ଡାଲି, ଫଳ ଓ ପନିପରିବା ପରି ତନ୍ତୁଯୁକ୍ତ ଖାଦ୍ୟ ଖାଇବା ଦରକାର। ଏଥି ସହିତ ଦହି, କାଞ୍ଜି ଓ ଇଡଲି ଆଦିକୁ ଖାଦ୍ୟରେ ସାମିଲ କଲେ ଭଲ। ସେହିପରି କଦଳୀ, ପିଆଜ ଓ ରସୁଣ ପରି ଅପାଚନୀୟ ତନ୍ତୁଯୁକ୍ତ ଖାଦ୍ୟ ମଧ୍ୟ ଉତ୍ତମ ଫଳ ଦେଇଥାଏ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, କେବଳ ଆବଶ୍ୟକ ହେଲେ ଆଣ୍ଟିବାୟୋଟିକ୍‌ ଗ୍ରହଣ କରିବା ସହ ଧ୍ୟାନ, ଚାପ ପରିଚାଳନା ଓ ଦୈନିକ ଅନ୍ୟୂନ ୮ ଘଣ୍ଟା ଶୋଇବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି।