ଶରୀର ପାଇଁ ନିୟମିତ ବ୍ୟାୟାମର ଅନେକ ଉପକାରିତା ରହିଛି ବୋଲି ଜାଣିବା ସତ୍ତ୍ବେ ଅଧିକାଂଶ ଲୋକ ନିୟମିତ ଏହା କରିବାରୁ ବିରତ ରହିଥା’ନ୍ତି। ତେଣୁ ନିରନ୍ତର ବ୍ୟାୟାମ କରିବା ପାଇଁ ମନୋବଳ ଦୃଢ଼ କରିବାର ଆବଶ୍ୟକତା ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ, ବିଶ୍ବରେ ପ୍ରତି ଚାରିଜଣଙ୍କ ଭିତରୁ ଜଣେ ସୁପାରିସ ସ୍ତରର ଶାରୀରିକ କାର୍ଯ୍ୟକଳାପ କରନ୍ତି ନାହିଁ। ଫଳରେ ସେମାନଙ୍କର ହୃଦ୍ରୋଗ, ମଧୁମେହ ଓ ମେଦବହୁଳତାର ବିପଦ ବୃଦ୍ଧି ପାଇଥାଏ। ତେବେ ବ୍ୟାୟାମ କାତରତାର କାରଣଗୁଡ଼ିକୁ ବୁଝି ପ୍ରଭାବୀ ରଣନୀତି ଆପଣେଇଲେ ସଂପୃକ୍ତ ପ୍ରତିବନ୍ଧକଗୁଡ଼ିକ ଦୂର ହୋଇପାରିବ।
ଅଧିକ ସମୟ ବ୍ୟାୟାମ ଦ୍ବାରା ତାହା ପ୍ରଭାବୀ ହୋଇଥାଏ ବୋଲି ଅନେକ ଭାବିଥା’ନ୍ତି, ମାତ୍ର ତାହା ଠିକ୍ ନୁହେଁ। ସ୍ପଷ୍ଟ ଲକ୍ଷ୍ୟ ସ୍ଥିର ନ କରି ବ୍ୟାୟାମ କରିବା ଦ୍ବାରା ଆଗ୍ରହ ହ୍ରାସ ପାଇଥାଏ। ସେହିପରି ବ୍ୟାୟାମ ପ୍ରତି ପ୍ରାରମ୍ଭିକ ଉତ୍ସାହ ଦୃଶ୍ୟମାନ ଫଳାଫଳ ବିନା ଫିକା ପଡ଼ିଥାଏ। ଖରାପ ନିଦ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଥକାପଣ ଆଣିବାରୁ ସେଥି ପ୍ରତି ମନ ବଳିନଥାଏ। ପ୍ରତ୍ୟହ ଏକା ପ୍ରକାରର ବ୍ୟାୟାମ କରିବା ଦ୍ବାରା ରୁଚି କମିଥାଏ। କିଛି ଲୋକ ଦୌଡ଼ିବା କିମ୍ବା ଓଜନ ଉଠାଇବା ଭଳି ପାରମ୍ପରିକ ବ୍ୟାୟାମକୁ ନାପସନ୍ଦ କରିଥା’ନ୍ତି। ଅନେକ ଲୋକ ନିଜ କାର୍ଯ୍ୟଦକ୍ଷତା ସ୍ତର କିମ୍ବା ଶରୀରର ଆକୃତି ବାବଦରେ ଆତ୍ମସଚେତନ ଥାଆନ୍ତି।ବ୍ୟାୟାମଶାଳାରେ ନିଜ ଶରୀରକୁ ନେଇ ଅସୁରକ୍ଷାବୋଧ ଏଭଳି ନବାଗତଙ୍କୁ ନିରୁତ୍ସାହିତ କରିଥାଏ। ଆଣ୍ଠୁଗଣ୍ଠି କି ପିଠି ଯନ୍ତ୍ରଣା କି ପୂର୍ବର କୌଣସି ଆଘାତ ଯୋଗୁଁ ବ୍ୟାୟାମ କଷ୍ଟକର ଲାଗିଥାଏ।
ଏଭଳି ବହୁବିଧ ଆହ୍ବାନ ସତ୍ତ୍ବେ ବ୍ୟାୟାମକୁ ଏକ ସ୍ଥିର ତଥା ଉପଭୋଗ୍ୟ ଅଭ୍ୟାସ କରିବାର ଉପାୟ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିସ କରାଯାଇଥିବା ସପ୍ତାହକୁ ୧୫୦ ମିନିଟ୍ର ବ୍ୟାୟାମକୁ ଛୋଟ ଛୋଟ ଅବଧିରେ ବାଣ୍ଟି ଦେଇହେବ। ପ୍ରତ୍ୟହ ମାତ୍ର ୧୦ ମିନିଟ୍ ଚାଲିବା ମଧ୍ୟ ଏକ ଉତ୍ତମ ଆରମ୍ଭ। କୌଣସି ବ୍ୟାୟାମଶାଳା ଯିବା ଦରକାର ନାହିଁ। ନିୟମିତ ନାଚ, ସନ୍ତରଣ, ଲମ୍ବା ଚାଲି କି ଖେଳାଖେଳି କରି ମଧ୍ୟ ଆଶାନୁରୂପ ଫଳ ମିଳିପାରିବ। କାର୍ଯ୍ୟକଳାପ ବଦଳାଇ ବ୍ୟାୟାମକୁ ଆକର୍ଷଣୀୟ ତଥା ଉତ୍ସାହଜନକ କରିହେବ। ନାଟକୀୟ ଓଜନହ୍ରାସ ପାଇଁ ଲକ୍ଷ୍ୟ ନରଖି ପ୍ରତ୍ୟହ ମାତ୍ର ୫,୦୦୦ ପାହୁଣ୍ଡ ଚାଲିବା ପରି କ୍ଷୁଦ୍ରକାଳୀନ ଲକ୍ଷ୍ୟ ରଖିଲେ ଭଲ। ବ୍ୟାୟାମକୁ ସୂଚୀବଦ୍ଧ କରିବା ବାଞ୍ଛନୀୟ। ସେହିପରି ଜଣେ ବ୍ୟାୟାମ ସାଥୀ ବାଛିବା ଦ୍ବାରା ଉତ୍ସାହ ତଥା ପ୍ରେରଣା ମିଳିପାରିବ। ଯୋଗ କିମ୍ବା ସାଇକେଲିଂ ଗୋଷ୍ଠୀ ଭଳି ଦଳଗତ କାର୍ଯ୍ୟକଳାପ ବ୍ୟାୟାମକୁ ଅଧିକ ମଜାଦାର କରିପାରିବ।