ସାଧାରଣତଃ ଆମ ବାସଗୃହଗୁଡ଼ିକର ଝରକା ଓ କବାଟ ସବୁ ଆୟତାକାର ହୋଇଥାଏ। ବେଳେ ବେଳେ ସୌଖୀନ ଅନୁସାରେ ସେଗୁଡ଼ିକ ମଧ୍ୟ ବିଭିନ୍ନ ଆକାର ଧାରଣ କରିଥା’ନ୍ତି। ମାତ୍ର ଉଡ଼ାଜାହାଜର ଝରକାଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ବର୍ତ୍ତୁଳାକାର କରାଯାଇଥାଏ। ଏହା ପଛରେ ନିର୍ଦ୍ଦିଷ୍ଟ ବିଜ୍ଞାନସମ୍ମତ କାରଣ ରହିଛି। ପୂର୍ବରୁ ଉଡ଼ାଜାହାଜର ଝରକାଗୁଡ଼ିକ ଆୟତାକାର ବା ବର୍ଗାକାର ହେଉଥିଲା। ତେବେ ୧୯୫୩ ମସିହାରେ ଦୁଇଟି ଉଡ଼ାଜାହାଜ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିବା ପରେ ସେମାନଙ୍କର ବର୍ଗାକାର ଝରକା ହିଁ ସେଥି ପାଇଁ ଦାୟୀ ବୋଲି ଜଣାପଡ଼ିଥିଲା। ସାଧାରଣତଃ ଉଡ଼ାଜାହାଜର ଭିତର ପାର୍ଶ୍ବର ବାୟୁଚାପ ଓ ବାହାରର ବାୟୁଚାପ ମଧ୍ୟରେ ଢେର ବ୍ୟବଧାନ ରହିଥାଏ। ଏହି ଚାପ ବ୍ୟବଧାନ ହିଁ ଝରକାକୁ ଫାଟିଯିବାରେ ସହାୟକ ହୋଇଥାଏ।
ସେହିପରି ଭୀଷଣ ଚାପ ବେଳେ ଝରକାର କୋଣଗୁଡ଼ିକ ଫାଟିଯିବାର ଆଶଙ୍କା ଅଧିକ ରହିଥାଏ। ନାନା ପରୀକ୍ଷା ନିରୀକ୍ଷା ପରେ ଝରକାରେ ଯେତେ କୋଣ ରହିବ ତାହା ସେତିକି ଦୁର୍ଘଟଣାପ୍ରବଣ ହେବ ବୋଲି ଜଣାପଡ଼ିଥିଲା। ଅର୍ଥାତ୍ ଆଗରୁ ଝରକାରେ ଚାରିଟି କୋଣ ଥିବାରୁ ତାହା ଚାରିଟି ଦୁର୍ଘଟଣାପ୍ରବଣ ସ୍ଥଳକୁ ବହନ କରୁଥିବା ସ୍ପଷ୍ଟ ହୋଇଥିଲା। ତେଣୁ ଉଡ଼ାଜାହାଜ ଶରୀରର ରୂପରେଖ ପ୍ରସ୍ତୁତ କରୁଥିବା ଯନ୍ତ୍ରୀମାନେ ପରେ ଝରକାରେ ଥିବା କୋଣଗୁଡ଼ିକୁ ହଟାଇ ତାହାକୁ ଗୋଲାକାର କରିଦେଇଥିଲେ। ଏହାଦ୍ବାରା ଝରକା ଦ୍ବାରା ଅନୁଭୂତ ହେଉଥିବା ବାୟୁଚାପର ତାରତମ୍ୟକୁ ସମଗ୍ର ଝରକା ସାରା ସମାନ ଭାବରେ ଖେଳାଇ ଦିଆଯାଇପାରିଲା। ତେଣୁ କୋଣ ସ୍ଥାନରେ ତାହା ଫାଟିଯିବାର ଆଶଙ୍କା ଦୂରୀଭୂତ ହୋଇଗଲା।