ଭାରତରେ ପ୍ରତିବର୍ଷ ଜାନୁଆରି ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ୧୯୫୦ ମସିହାରେ ଏହି ଦିନରେ ଆ‌ମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। କିନ୍ତୁ ସମ୍ବିଧାନ ପ୍ରଣୟନ ସଭା ଓ ସ୍ବାଧୀନ ଭାରତର ପ୍ରଥମ ସରକାର ଜାନୁଆରି ୨୬କୁ କାହିଁକି ଏହି ଐତିହାସିକ କାର୍ଯ୍ୟ ଲାଗି ଚୟନ କରିଥିଲେ? 
ଏହି ପ୍ରଶ୍ନର ଉତ୍ତର ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଐତିହାସିକ ଘଟଣା ସହ ଯୋଡ଼ି ହୋଇରହିଛି। ୧୯୩୦ ଜାନୁଆରି ୨୬ ତାରିଖ ଦିନ ଭାରତୀୟ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ପଣ୍ଡିତ ଜବାହରଲାଲ୍‌ ନେହେରୁ ‘ପୂର୍ଣ୍ଣ ସ୍ବରାଜ’ ବା ପୂର୍ଣ୍ଣ ସ୍ବାଧୀନତା ଦାବି ଉପସ୍ଥାପନ କରିଥିଲେ। ଗାନ୍ଧିଜୀ ଏହି ଦିନକୁ ‘ସ୍ବତନ୍ତ୍ର ସଙ୍କଳ୍ପ ଦିବସ’ ବୋଲି ନାମିତ କରିଥିଲେ। ସେଥିପାଇଁ ୧୯୩୧ ମସିହା ଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତିବର୍ଷ ସମଗ୍ର ଦେଶରେ ଜାନୁଆରି ୨୬ ତାରିଖକୁ ସ୍ବାଧୀନତା ଦିବସ ଭାବେ ପାଳନ କରାଗଲା। ଆତ୍ମ-ପ୍ରତିବଦ୍ଧତା ଏବଂ ଗଣତନ୍ତ୍ର ଓ ସାର୍ବଭୌମ ନୀତି ଆଧାରିତ ଭବିଷ୍ୟତ ଲାଗି କ୍ଷେତ୍ର ପ୍ରସ୍ତୁତ କରିବା ନିମନ୍ତେ ଅ‌େନ୍ବଷଣ ଚଳାଇଥିବା ଭାରତ ନିମନ୍ତେ ଏ ଘୋଷଣା ଥିଲା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଏହାର ଦୁଇ ଦଶନ୍ଧି ପରେ ଡକ୍ଟର ବି. ଆର୍‌. ଆମ୍ବେଦକରଙ୍କ ନେତୃତ୍ବରେ ଭାରତର ସମ୍ବିଧାନ ସଭା କଠିନ ଶ୍ରମ ସ୍ବୀକାର କରି ଭାରତୀୟ ସମ୍ବିଧାନର ରୂପରେଖ ପ୍ରସ୍ତୁତ କରିଥିଲା। ୧୯୫୦ ମସିହା ଜାନୁଆରି ୨୬ ତାରିଖ ଦିନ ଏହି ସମ୍ବିଧାନ ଗୃହୀତ କରାଯାଇ ଦେଶ ଶାସନର ମୂଳଦୁଆ ପକାଯିବା ସହିତ ଭାରତୀୟ ସାଧାରଣତନ୍ତ୍ରର ସୂତ୍ରପାତ ହୋଇଥିଲା। ଏହି ତାରିଖକୁ ମନୋନୀତ କରାଯିବାର ଆଉ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ମଧ୍ୟ ଥିଲା। ତାହା ହେଉଛି ଐତିହାସିକ ଉଦ୍‌ଘୋଷଣା ‘ପୂର୍ଣ୍ଣ ସ୍ବରାଜ’କୁ ସମାନ୍ତରାଳ ଭାବେ ପାଳନ କରିବା।

Advertisment

ଏହାଛଡ଼ା, ଜାନୁଆରି ୨୬ ତାରିଖକୁ ସାଧାରଣତନ୍ତ୍ର ଦିବସ ଭାବେ ଚୟନ କରାଯିବାରେ କିଛି ଗୂଢ଼ ସାଙ୍କେତିକ ମର୍ମ ବି ରହିଛି। ଏହା ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟରେ ସଂଯୋଗ-ସେତୁ ଭାବେ କାର୍ଯ୍ୟ କରୁଛି। ଏ ଦିବସ ଭାରତର ‘ପୂର୍ଣ୍ଣ ସ୍ବରାଜ’ ଉଦ୍‌ଘୋଷଣା ଉଚ୍ଛ୍ବାସକୁ ଅଳଙ୍କୃତ କରିବା ସହିତ ସ୍ବାଧୀନତା ସଂଗ୍ରାମରୁ ଆରମ୍ଭ କରି ଗଣତାନ୍ତ୍ରିକ ଓ ସାର୍ବଭୌମ ସାଧାରଣତନ୍ତ୍ର ସ୍ଥାପନା ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଯାତ୍ରା ଉପରେ ଗୁରୁତ୍ବାରୋପ କରୁଛି। ପୁନଶ୍ଚ ଏହା ସ୍ବାଧୀନ ରାଷ୍ଟ୍ର ନିମନ୍ତେ ଭାରତର ଯାତ୍ରାପଥକୁ ଦିଗ୍‌ଦର୍ଶନ ଦେଇଥିବା ଦୀର୍ଘସ୍ଥାୟୀ ମୂଲ୍ୟବୋଧର ପ୍ରାମାଣିକ ସଙ୍କେତ ମଧ୍ୟ ବହନ କରେ।

ଜାନୁଆରି ୨୬: ସ୍ମରଣୀୟ ଘଟଣାବଳି
ରାଜଗୋପାଳଚାରୀଙ୍କ ଇସ୍ତଫା
୧୯୫୦ ଜାନୁଆରି ୨୬ ତାରିଖ ଦିନ ସ୍ବାଧୀନ ଭାରତର ପ୍ରଥମ ତଥା ଶେଷ ଗଭର୍ଣ୍ଣର୍‌ ଜେନେରାଲ୍‌ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ଇସ୍ତଫା ଦେଇଥିଲେ। ୧୯୪୮ ଜୁନ୍‌ରେ ମାଉଣ୍ଟ୍‌ବେଟେନ୍‌ ଭାରତରୁ ଚାଲିଯିବା ପରେ ରାଜଗୋପାଳଚାରୀଙ୍କୁ ଉକ୍ତ ପଦବିରେ ଅବସ୍ଥାପିତ କରାଯାଇଥିଲା।
ଜାତୀୟ ସଙ୍କେତ
ନୀତିବାକ୍ୟ ‘ସତ୍ୟମେବ ଜୟତେ’ ସମେତ ସିଂହ ଶୋଭିତ ଅଶୋକସ୍ତମ୍ଭର ଶୀର୍ଷଭାଗକୁ ୧୯୫୦ ଜାନୁଆରି ୨୬ ତାରିଖ ଦିନ ଭାରତର ଜାତୀୟ ସଙ୍କେତ ଭାବେ ଗୃହୀତ କରାଯାଇଥିଲା। ଏହି ଅଶୋକସ୍ତମ୍ଭ ଖ୍ରୀଷ୍ଟପୂର୍ବ ୨୫୦ରେ ସାରନାଥଠାରେ ସ୍ଥାପନ କରାଯାଇଥିଲା।
ଜାତୀୟ ପକ୍ଷୀ
୧୯୬୩ ଜାନୁଆରି ୨୬ରେ ଭାରତ ସରକାର ମୟୂରକୁ ଦେଶର ଜାତୀୟ ପକ୍ଷୀ ବୋଲି ଘୋଷଣା କରିଥିଲେ।
ଅମର ଯବାନ ଜ୍ୟୋତି
୧୯୭୨ ଜାନୁଆରି ୨୬ ତାରିଖ ଦିନ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ରେ ଜାତୀୟ ସ୍ମାରକୀ ‘ଅମର ଯବାନ ଜ୍ୟୋତି’ ସ୍ଥାପନ କରାଯାଇଥିଲା। ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କ ସ୍ମୃତିରକ୍ଷା ନିମନ୍ତେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ସ୍ଥାପନା କରିଥିଲେ। ସୂଚନାଯୋଗ୍ୟ, ୫୦ ବର୍ଷ ପରେ ୨୦୨୨ ଜାନୁଆରି ୨୧ ଦିନ ଇଣ୍ଡିଆ ଗେଟ୍‌ସ୍ଥିତ ଅମର ଯବାନ ଜ୍ୟୋତିକୁ ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ବିଲୀନ କରାଯାଇଛି।

ବିଶ୍ବର ଐତିହାସିକ ଘଟଣାବଳି
l ‌୧୩୪୦ ଜାନୁଆରି ୨୬ ଦିନ ଇଂଲିସ୍‌ ରାଜା ତୃତୀୟ ଏଡ୍‌ୱାର୍ଡଙ୍କୁ ଫ୍ରାନ୍‌ସ୍‌ର ରାଜା ବୋଲି ଘୋଷଣା କରାଯାଇଥିଲା।
l ‌୧୭୮୮ ଜାନୁଆରି ୨୬ରେ ବ୍ରିଟିସ୍‌ କପ୍ତାନ ଅର୍ଥର୍‌ ଫିଲିପ୍‌ ସିଡ୍‌ନି କୋଭ୍‌, ନିୟୁ ସାଉଥ୍‌ ୱାଲେସ୍‌ରେ ୟୁନିୟନ୍‌ ଫ୍ଲାଗ୍‌ ଉତ୍ତୋଳନ କରି ଔପଚାରିକ ଭାବେ ସେ ଅଞ୍ଚଳକୁ ବ୍ରିଟିସ୍‌ ଉପନିବେଶ ବୋଲି ଘୋଷଣା କରିଥିଲେ। ସେବେଠାରୁ ଏହି ଦିନକୁ ଅଷ୍ଟ୍ରେଲିଆ ଦିବସ ଭାବେ ପାଳନ କରାଯାଉଛି।
l ‌୧୮୮୭ ଜାନୁଆରି ୨୬ରେ ପ୍ୟାରିସ୍‌ରେ ଆଇଫଲ୍‌ ଟାୱାର୍‌ ନିର୍ମାଣ ଆରମ୍ଭ ହୋଇଥିଲା।
l ‌୧୯୦୫ ଜାନୁଆରି ୨୬ରେ ଦକ୍ଷିଣ ଆଫ୍ରିକାରେ ୩୧୦୬ କ୍ୟାରେଟ୍‌ ଓଜନବିଶିଷ୍ଟ ବିଶ୍ବର ବୃହତ୍ତମ ହୀରା କୁଲିନିଆନ୍‌ ଆବିଷ୍କୃତ ହୋଇଥିଲା।