ସାରା ଦେଶରେ ପୁଲିସ୍‌ମାନଙ୍କ ପୋଷାକ ଖାକି, ହେଲେ କୋଲକାତାରେ ଧଳା କାହିଁକି?

କୋଲକାତା: ପୁଲିସ୍‌ ମାନେ ଆମ ବୁଝୁ ଖାକି ପୋଷାକ ପିନ୍ଧା। ଆମ ଦେଶର ଯେକୌଣସି ସ୍ଥାନକୁ ଗଲେ ପୁଲିସ୍‌ମାନେ ଖାକି ପୋଷାକ ପିନ୍ଧିଥିବା ଆମେ ଦେଖିଥାଉ। ଖାକିକୁ ନେଇ ପୁଲିସମାନେ ଗର୍ବ ବି କରନ୍ତି । ତେଣୁ ଥରେ ଖାକିରେ କଳଙ୍କ ଲାଗିଗଲେ ତା ଜଣେ ପୁଲିସ୍‌ କର୍ମଚାରୀଙ୍କ ପାଇଁ ବଡ଼ ଅପମାନ ହୁଏ ବୋଲି କୁହାଯାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା ବୋଧହୁଏ ଆପଣ ଜାଣି ନଥିବେ । ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ପୁଲିସ୍‌ମାନେ ଖାକି ପୋଷାକ ପିନ୍ଧନ୍ତିନି । ଖାକି ବଦଳରେ ସେମାନେ ପିନ୍ଧିଥାନ୍ତି ଧଳା ରଙ୍ଗର ୟୁନିଫର୍ମ ।

ଆଉ ସେ ସ୍ଥାନର ନାଁ ହେଉଛି କୋଲକାତା । ସାରା ଦେଶରେ ପୁଲିସ୍‌ମାନେ ଖାକି ପୋଷାକ ପିନ୍ଧୁଥିବା ବେଳେ କୋଲାକାତା ପୁଲିସ୍‌ ହିଁ ଧଳା ରଙ୍ଗର ପୋଷାକ ପିନ୍ଧେ। ଯାହା ଅନ୍ୟମାନଙ୍କ ଅପେକ୍ଷା ବେଶ ନିଆରା । ତେବେ ଆପଣ ଭାବୁଥିବେ ସାରା ଦେଶରେ ପୁଲିସ୍‌ ଖାକି ପୋଷାକ ପିନ୍ଧୁଥିବା ବେଳେ କାହିଁକି କୋଲକାତା ପୁଲିସ୍‌ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଛି । ଏହା ଜାଣିବାକୁ ଚାହୁଁଥିଲେ ଆପଣ ବ୍ରିଟିଶ କାଳର ଏହି କଥା ଜାଣିବା ନିହାତି ଦରକାର ।


India TV News

ଆମେ ସମସ୍ତେ ଜାଣିଛେ, ଆମ ଦେଶକୁ ବହୁ ବର୍ଷ ଧରି ଇଂରେଜମାନେ ଶାସନ କରିଥିଲେ । ଆଉ ଇଂରେଜମାନେ ହିଁ ଆମ ଦେଶରେ ଏହି ପୁଲିସ୍‌ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ଇଂରେଜ ଶାସନ ସମୟରେ ଯେତେବେଳ ନୂଆ କରି ପୁଲିସ୍‌ ବ୍ୟବସ୍ଥା ଆରମ୍ଭ ହେଲା ସେତେବେଳେ ପୁଲିସ୍‌ ଧଳା ରଙ୍ଗର ୟୁନିଫର୍ମ ପିନ୍ଧୁଥିଲେ । ହେଲେ ବହୁତ ସମୟ ଡ୍ୟୁଟି କରିବା ପରେ କିନ୍ତୁ ଏହି ଧଳା ପୋଷକ ଖରାପ ହେଇଯାଉଥିଲା । ଯେଉଁ କାରଣରୁ ଇଂରେଜ ଅଫିସରମାନେ ସେତେବେଳେ ଏହି ପୋଷାକର ରଙ୍ଗ ବଦଳାଇବାକୁ ଇଚ୍ଛା କରିଥିଲେ । ଆଉ ୧୮୪୭ ମସିହାରେ ଖାକି ପୋଷାକକୁ ପୁଲିସ୍‌ ପୋଷାକ ଭାବେ ଘୋଷଣା କରାଯାଇଥିଲା।

ହେଲେ କୋଲକାତା ପୁଲିସ୍‌ର ପୋଷାକ କିନ୍ତୁ ବଦଳି ନଥିଲା । ପୂର୍ବଭଳି କୋଲକାତାର ପୁଲିସ୍‌ ଧଳା ରଙ୍ଗର ପୋଷାକ ପିନ୍ଧିବା ଜାରି ରଖିଥିଲେ । କୁହାଯାଏ, କୋଲକାତା ସମୁଦ୍ର ଉପକୂୂଳରେ ରହିଥିବାରୁ ସେଠାରେ ପ୍ରବଳ ଗରମ ଅନୁଭୂତ ହୋଇଥାଏ । ଆଉ ଖାକି ପୋଷାକ ଅପେକ୍ଷା ଧଳା ରଙ୍ଗର ପୋଷାକରେ ଅଧିକ ଗରମ ହୋଇନଥାଏ । ତେଣୁ ସେତେବେଳେ ଇଂରେଜ ସରକାର କୋଲକାତା ପୁଲିସ୍‌ର ପୋଷାକ ପରିବର୍ତ୍ତନ କରିନଥିଲେ । ସେତେବେଳେ ସାରା ଦେଶରେ ପୁଲିସ ଖାକି ପୋଷାକ ପିନ୍ଧୁଥିବାବେଳେ କୋଲକାତା ପୁଲିସ୍‌ ଧଳା ୟୁନିଫର୍ମ ପିନ୍ଧୁଥିଲା । ସ୍ୱାଧୀନତା ପରେ ବି ଏହି ଢାଞ୍ଚା ରହିଆସିଛି । ଆଉ ଏବେ ବି କୋଲକାତା ପୁଲିସ୍‌ର ୟୁନିଫର୍ମ ସେହି ଧଳା ରଙ୍ଗ ରହିଛି ।

ସମ୍ବନ୍ଧିତ ଖବର