ବର୍ଷା, ଭୂମିକମ୍ପ, ଆଗ୍ନେୟଗିରି ଉଦ୍‌ଗୀରଣ କିମ୍ବା ଅତ୍ୟଧିକ ମାନବୀୟ କାର୍ଯ୍ୟକଳାପ କାରଣରୁ ଭୂସ୍ଖଳନ ସଂଘଟିତ ହୋଇଥାଏ। ଭୂସ୍ଖଳନର ସର୍ବାଧିକ ବିପଦ ଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଅନ୍ୟତମ। ଭାରତର ପ୍ରାୟ ୪.୩ ଲକ୍ଷ ବର୍ଗ କିଲୋମିଟର ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନର ବିପଦ ରହିଛି। ତେଣୁ ଏକ ନିର୍ଭୁଲ ଭୂସ୍ଖଳନ ପୂର୍ବାନୁମାନ ସହିତ ସତର୍କ ସୂଚନା ଜନସାଧାରଣଙ୍କ ନିକଟରେ ପହଞ୍ଚିବା ଦରକାର। ଭୂସ୍ଖଳନର ସୂଚନା ଓ ବିଜ୍ଞାନ, କାରଣ ଓ ନିରାକରଣ ଆଦି ବିଭିନ୍ନ ଦିଗକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ।

Advertisment

ଭୂସ୍ଖଳନର ସର୍ବାଧିକ ବିପଦ ଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ । ଭାରତର ପ୍ରାୟ ୪.୩ ଲକ୍ଷ ବର୍ଗ କିଲୋମିଟର ପାହାଡ଼ିଆ ଓ ପାର୍ବତ୍ୟ ଅଞ୍ଚଳରେ ଭୂସ୍ଖଳନର ବିପଦ ରହିଛି। ୧୯୪୮ ସେପ୍ଟେମ୍ବର ୧୮ ତାରିଖରେ ଆସାମର ଗୌହାଟିରେ ଘଟିଥିବା ଭୂସ୍ଖଳନରେ ପ୍ରାୟ ୫୦୦ ଜଣ ମୃତ୍ୟୁ ବରଣ କରିଥିଲେ। ସେହି ସମୟରୁ ନେଇ ୨୦୧୩ ଜୁନ୍‌ ୧୬ରେ କେଦାରନାଥର ଭୟଙ୍କର ଭୂସ୍ଖଳନରେ ପ୍ରାୟ ୬୦୦୦ ଜଣଙ୍କର ପ୍ରାଣହାନି ସମେତ ଅନ୍ୟାନ୍ୟ ଭୂସ୍ଖଳନ ଘଟଣାମାନ ସମ୍ପର୍କରେ ପୂର୍ବାନୁମାନ କରିବା ଏବଂ ଭୂସ୍ଖଳନର ପ୍ରତିକାର କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବାର ବାଧ୍ୟବାଧକତା ସୃଷ୍ଟି କରିଛି। ଭୂବିଜ୍ଞାନୀଙ୍କ ମତରେ ପାରମ୍ପରିକ ଭାବେ ଅତ୍ୟଧିକ ବୃଷ୍ଟିପାତ ଏବଂ ଭୂମିକମ୍ପ ପରି ପ୍ରାକୃତିକ ପ୍ରକ୍ରିୟା ଯୋଗୁଁ ଅତୀତରେ ଭୂସ୍ଖଳନ ସଂଘଟିତ ହେଉଥିଲା। ମାତ୍ର ଏବେ ରାସ୍ତା ଓ କୋଠାଘର ନିର୍ମାଣ, ଖଣି ଖନନ, ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ଇତ୍ୟାଦି ମନୁଷ୍ୟକୃତ ପ୍ରକ୍ରିୟା ଭୂସ୍ଖଳନର କାରଣ ପାଲଟିଛି। ବିଶେଷତଃ ପାର୍ବତ୍ୟ ଅଞ୍ଚଳରେ କରାଯାଉଥିବା ବ୍ଲାଷ୍ଟିଙ୍ଗ୍‌ ଯୋଗୁ ଏପରି ଘଟୁଛି। ପାହାଡ଼ର ଢାଲୁ ଅଞ୍ଚଳ ଅଭ୍ୟନ୍ତରୀଣ ଭାବେ ଦୁର୍ବଳ ହେବା ଯୋଗୁ ଏପରି ଘଟୁଛି ବୋଲି ବି‌ଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବୃଷ୍ଟିପାତର ଧାରା ଏବଂ ବାଦଲଫାଟିବା ଭଳି ଚରମ ଜଳବାୟୁ ଘଟଣା ଭୂସ୍ଖଳନ ଲାଗି ଖୋରାକ ଯୋଗାଉଛି।

ତଥ୍ୟ କହେ, ୨୦୦୪ରୁ ୨୦୧୬ ମଧ୍ୟରେ ଭାରତରେ ୮୯୨ଟି ଭୂସ୍ଖଳନ ଘଟଣାରେ ୧୧,୦୨୦ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ଭୂସ୍ଖଳନ ଯୋଗୁଁ ହେଉଥିବା ମୃତ୍ୟୁସଂଖ୍ୟା, ମୋଟ୍‌ ବୈଶ୍ୱିକ ମୃତ୍ୟୁସଂଖ୍ୟାର ପ୍ରାୟ ୨୧%। ଉତ୍ତର-ପଶ୍ଚିମ ହିମାଳୟ ଅଞ୍ଚଳରେ ଭାରତର ମୋଟ୍‌ ଭୂସ୍ଖଳନର ୬୬.୫% ସଂଘଟିତ ହୋଇଥିବା ବେଳେ ଉତ୍ତର-ପୂର୍ବ ହିମାଳୟ ଅଞ୍ଚଳରେ ୧୮.୮% ଏବଂ ପଶ୍ଚିମଘାଟ ପର୍ବତମାଳାରେ ୧୪.୭% ଭୂସ୍ଖଳନ ସଂଘଟିତ ହୋଇଥାଏ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ଜାତୀୟ ଦୂରସମ୍ବେଦୀ କେନ୍ଦ୍ର ଦ୍ୱାରା ୪୫,୩୩୪ଟି ଭୂସ୍ଖଳନର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍କର୍ଷ ସାମ୍ନାକୁ ଆସିଛି। ଭାରତୀୟ ଭୂ-ବିଜ୍ଞାନ ସର୍ଭେ ବିଭାଗ ଏବେ ଜାତୀୟ ସ୍ତରରେ ଏକ ଭୂସ୍ଖଳନ ବିପଦ ପ୍ରବଣତା ମ୍ୟାପ୍‌ ପ୍ରସ୍ତୁତ କରୁଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଭୂସ୍ଖଳନ ସମ୍ଭାବନାକୁ ପରଖି ଦେଶକୁ ବିଭିନ୍ନ ସ୍ପର୍ଶକାତର ଅଞ୍ଚଳ (ଜୋନ୍‌)ରେ ବିଭକ୍ତ କରାଯାଇଛି। ଆମ ଦେଶର ୪.୩ ଲକ୍ଷ ବର୍ଗ କିଲୋମିଟର ଭୂସ୍ଖଳନ ପ୍ରବଣ ଅଞ୍ଚଳ ମଧ୍ୟରୁ ପ୍ରାୟ ୮୫% ଅଞ୍ଚଳ ପାଇଁ ଏକ ମ୍ୟାପ୍ ପ୍ରସ୍ତୁତ କରାଯାଇସାରିଛି।

ପୃଥିବୀ କ୍ଷୟ ହେବାର ପ୍ରକ୍ରିୟା!
କୌଣସି ଅଞ୍ଚଳରେ ମାଟି ଧସିବା କିମ୍ବା ତଳକୁ ପଶିଯିବା ପ୍ରକ୍ରିୟାକୁ ସାଧାରଣ ଭାବେ ଭୂସ୍ଖଳନ ବା ଲ୍ୟାଣ୍ଡ୍‌-ସ୍ଲାଇଡ୍ ବୋଲି କୁହାଯାଇଥାଏ। ବର୍ଷା, ଭୂମିକମ୍ପ, ଆଗ୍ନେୟଗିରି ଉଦ୍‌ଗୀରଣ କିମ୍ବା ଅତ୍ୟଧିକ ମାନବୀୟ କାର୍ଯ୍ୟକଳାପ କାରଣରୁ ଭୂସ୍ଖଳନ ସଂଘଟିତ ହୋଇଥାଏ। ପୃଥିବୀ ଗଠନର ଭୌତିକ ଦିଗକୁ ନେଇ ଅଧ୍ୟୟନ କରୁଥିବା ଭୂତତ୍ତ୍ବବିତ୍ ଓ ବୈଜ୍ଞାନିକମାନେ ଭୂସ୍ଖଳନକୁ ଭୂପୃଷ୍ଠ କ୍ଷୟର ପ୍ରାକୃତିକ ପ୍ରକ୍ରିୟାଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି ବର୍ଣ୍ଣନା କରିଥାଆନ୍ତି। ସେହିପରି ବଡ଼ ବଡ଼ ପଥର ଖଣ୍ଡ ତଳକୁ ତଳକୁ ଗଡ଼ି ଆସିବା ଏବଂ ଉପକୂଳରେ ଜମା ହେଉଥିବା ପଟୁମାଟିର ସ୍ଥାନାନ୍ତରଣ ଇତ୍ୟାଦିକୁ ବି ପୃଥିବୀପୃଷ୍ଠ କ୍ଷୟ ହେବାର ସଂକେତ ଭାବେ ପରିଗଣନା କରାଯାଏ।

ଭୂସ୍ଖଳନର କାରଣ କ’ଣ?
ଭୂସ୍ଖଳନ ଏକ ଭୂତାତ୍ତ୍ବିକ ପ୍ରକ୍ରିୟା, ଯେଉଁଥିରେ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବ କାରଣରୁ ଭୂମିର ଗୋଟାଏ ଗଡ଼ାଣିଆ ବା ଢାଲୁ ଅଂଶରୁ ହଠାତ୍‌ ଦ୍ରୁତ ବେଗରେ ଶିଳା, ମାଟି ଓ କର୍ଦ୍ଦମାଦି ତରଳ ପଦାର୍ଥ ତଳକୁ ଗଡ଼ିଆସେ। ବର୍ଷା, ଭୂମିକମ୍ପ, ଆଗ୍ନେୟଗିରି ଉଦ୍‌ଗୀରଣ ଏବଂ ଅନ୍ୟାନ୍ୟ କାରଣରୁ ସ୍ଥିର ଢାଲୁଆ ଭୂମି ଅସ୍ଥିର ହୋଇଯିବା ଫଳରେ ଭୂସ୍ଖଳନ ହୁଏ।

ପୃଥିବୀ ଗଠନ ଉପରେ ଅଧ୍ୟୟନ କରୁଥିବା ଭୂତତ୍ତ୍ବବିତ୍‌ ଓ ବୈଜ୍ଞାନିକମାନେ କହନ୍ତି ଯେ, ଭୂସ୍ଖଳନ ହେଉଛି ଶିଳା, ମୃତ୍ତିକା ଓ ଅନ୍ୟାନ୍ୟ ପଦାର୍ଥ ଆଦିର ନିମ୍ନଗାମୀ ଚଳନ।
ଭୂସ୍ଖଳନର ଦୁଇଟି ପ୍ରମୁଖ କାରଣ- ପ୍ରାକୃତିକ ଓ ମନୁଷ୍ୟକୃତ। ପ୍ରାକୃତିକ କାରଣଗୁଡ଼ିକ ମଧ୍ୟରେ ରହିଛି ଦୁର୍ବଳ ମୃତ୍ତିକାସ୍ତର, ଭୂଭାଗ କ୍ଷୟ, ଆଗ୍ନେୟଗିରି ଉଦ୍‌ଗୀରଣ ଓ ଜଳବାୟୁ ପରିବର୍ତ୍ତନ।
ଦୁର୍ବଳ ମୃତ୍ତିକାସ୍ତର: ଭୂସ୍ଖଳନ ଘଟିଥିବା ସ୍ଥାନର ଅଭ୍ୟନ୍ତରୀଣ ମୃତ୍ତିକାସ୍ତର ଅଥବା ଶିଳାସ୍ତର ଆଗରୁ ଦୁର୍ବଳ ହୋଇଥାଏ କିଂବା ଚଡ଼କି ଯାଇଥାଏ। ନଚେତ୍‌ ଭୂମି ତଳେ ଥିବା ଭିନ୍ନ ଭିନ୍ନ ମୃତ୍ତିକା ଅଥବା ଶିଳାସ୍ତରର ସାମର୍ଥ୍ୟ ଓ କଠିନତା ମଧ୍ୟରେ ପାର୍ଥକ୍ୟ ଥାଏ।
ଭୂଭାଗରେ ନମନୀୟତା:ମୃତ୍ତିକା କ୍ଷୟ କିଂବା ଜଳ ଯୋଗୁଁ ମାଟି ଦ୍ରବୀଭୂତ ହୋଇ ନରମା ବା ନମନୀୟ ହୋଇଗଲେ ମଧ୍ୟ ଭୂସ୍ଖଳନ ହୁଏ। ମାଟି ଅତ୍ୟଧିକ ବତୁରି ଫସକା ହେଲେ ସେଥିରେ ଛିଦ୍ର ହୋଇ ଭୂତଳ ଜଳଚାପ ବୃଦ୍ଧିପାଏ ଓ ଭୂସ୍ଖଳନ ହୁଏ। ପ୍ରବଳ ବୃଷ୍ଟିପାତ କିଂବା ଦ୍ରୁତ ତୁଷାର ତରଳି ଯାଉଥିବା ଅଞ୍ଚଳରେ ଏଭଳି ଘଟିଥାଏ।
ଭୂମିକମ୍ପ: ଭୀଷଣ ଭୂମିକମ୍ପ ଯୋଗୁଁ ଭୂମି ଖୁବ୍‌ ଜୋର୍‌ରେ ଦୋହଲି ଗଲେ ଶିଳା ଓ ମୃତ୍ତିକାସ୍ତର ଅସ୍ଥିର ଓ ଦୁର୍ବଳ ହୋଇଯାଉଥିବାରୁ ଭୂସ୍ଖଳନ ଘଟେ।
ଆଗ୍ନେୟଗିରି ଉଦ୍‌ଗୀରଣ: ଆଗ୍ନେୟଗିରିରୁ ଉଦ୍‌ଗତ ପାଉଁଶ ଓ ତରଳ କର୍ଦ୍ଦମ ଆଦି ଢାଲୁରେ ଗଚ୍ଛିତ ହୋଇଥାଏ। ବେଳେ ବେଳେ ଭୂଚଳନ ଘଟି ତାହା ସ୍ଖଳିତ ହୁଏ।
ମାନବକୃତ କେତେକ କାରଣ ମଧ୍ୟ ପ୍ର‌ତ୍ୟକ୍ଷ ବା ପରୋକ୍ଷରେ ଭୂସ୍ଖଳନ କରାଇଥାଏ। ଜଳସେଚନ, ବନାଞ୍ଚଳ ଧ୍ବଂସ, ଖଣି ଉତ୍‌ଖନନ, ରାସ୍ତାଘାଟ ନିର୍ମାଣ ଆଦି କାର୍ଯ୍ୟ ଯୋଗୁଁ କେତେକ ଅଞ୍ଚଳରେ ମୃତ୍ତିକା ସ୍ତର ପତଳା ହୋଇଯାଇଥାଏ। ଭୂତଳ ଜଳ ସ୍ରୋତ ସଂସ୍ପର୍ଶରେ ଆସି ସେଥିରେ ଛିଦ୍ର ହୋଇଯାଏ। ସେ ଛିଦ୍ର କ୍ରମଶଃ ଢାଲୁ ଅଞ୍ଚଳକୁ ଦୁର୍ବଳ କରିପକାଉ ଥିବାରୁ ବେଳେ ବେଳେ ଭୂସ୍ଖଳନ ହୁଏ।
ଜଙ୍ଗଲ ଧ୍ବଂସ: ଅନେକ ଅଞ୍ଚଳରେ ବୃକ୍ଷଲତା ମାଟିକୁ ବାନ୍ଧି ରଖିବା ସହିତ ଭୂସ୍ଖଳନ ସମୟରେ କର୍ଦ୍ଦମ ପ୍ରବାହକୁ ବାଧା ଦେଇଥାଏ। ମୃତ୍ତିକା ଅଥବା ଶିଳାରେ ଥିବା କର୍ଦ୍ଦମ ଓ ବୃକ୍ଷଲତା ବାନ୍ଧୁଣି ଭାବେ କାର୍ଯ୍ୟ କରିଥାଏ। ବଣଜଙ୍ଗଲ କାଟି ପକାଇବାରୁ ଅଥବା ଅନ୍ୟ କୌଣସି କାରଣରୁ ଏ ସବୁ ନଷ୍ଟ ହୋଇଗଲେ ସେଠାରେ ଭୂସ୍ଖଳନ ହେବାର ଆଶଙ୍କା ସୃଷ୍ଟିହୁଏ।
ଜବରଦଖଲ ଓ ନିର୍ମାଣ: କିଛି ଦିନ ହେବ ଭୂସ୍ଖଳନ ଆଶଙ୍କା ଥିବା ପାହାଡ଼ିଆ ଅଞ୍ଚଳରେ ଜବରଦଖଲ ବଢୁଛି। ସେ ସବୁ ଅଞ୍ଚଳରେ ଘରଦ୍ବାର ଓ ରାସ୍ତାଘାଟ ଆଦି ନିର୍ମାଣ କାର୍ଯ୍ୟ ଭୂସ୍ଖଳନ ଆଶଙ୍କା ବୃଦ୍ଧି କରୁଛି। ରାସ୍ତା ନିର୍ମାଣ, ଯଥେଷ୍ଟ ଢାଲୁ ନ ରଖି ଘରଦ୍ବାର ନିର୍ମାଣ, ଅବ୍ୟବସ୍ଥିତ ଭାବେ ଜଳନିଷ୍କାସନ ଧାରା ପରିବର୍ତ୍ତନ ଆଦି ଭୂସ୍ଖଳନର ଭିତ୍ତିପ୍ରସ୍ତୁତ କରିଥାଏ।
ଅବ୍ୟବସ୍ଥିତ ଉତ୍‌ଖନନ: ବେଆଇନ ବା ଅବ୍ୟବସ୍ଥିତ ଖଣି ଓ ଖାଦାନ ଆଦି ଉତ୍‌ଖନନ ଯୋଗୁଁ ଗଡ଼ାଣିଆ ବା ଢାଲୁ ଅଞ୍ଚଳ ଦୁର୍ବଳ ହୋଇଯାଉଛି। ତେଣୁ ଭୂସ୍ଖଳନ ଆଶଙ୍କା ବୃଦ୍ଧି ପାଉଛି। ବି‌ଶେଷ କରି, ଖନନ ସମୟରେ କରାଯାଉଥିବା ବ୍ଲାଷ୍ଟିଙ୍ଗ୍‌ ବା ବିସ୍ଫୋରଣ ଭୂମିର ଅଭ୍ୟନ୍ତର ଗଠନକୁ ଦୁର୍ବଳ କରେ, ଯାହା ପରବର୍ତ୍ତୀ ସମୟରେ ଭୂସ୍ଖଳନ ଭଳି ବିପର୍ଯ୍ୟୟର କାରଣ ହୋଇଥାଏ।
ଜଳବ‌ାୟୁ ପରିବର୍ତ୍ତନ: ନାନା ଧରଣର ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଘଟୁଥିବା ଜଳବାୟୁ ପରିବର୍ତ୍ତନ ପ‌ାଣିପାଗ ଚକ୍ରରେ ଆକସ୍ମିକ ପରିବର୍ତ୍ତନ ଘଟୁଛି। ସେଥିଯୋଗୁଁ ଥରକୁ ଥର ଭୂସ୍ଖଳନ ହେବା ସଙ୍ଗେ ସଙ୍ଗେ ସ୍ଖଳନ ତୀବ୍ରତା ମଧ୍ୟ ଭୀଷଣ ହେଉଛି।

ଭୂସ୍ଖଳନର ପ୍ରକାର ଓ ବେଗ
ଭୂସ୍ଖଳନର ବେଗ ଓ ଏହା ଦ୍ବାରା ସ୍ଥାନାନ୍ତରିତ ହେଉଥିବା ଉପାଦାନକୁ ନେଇ ଏହାର ପ୍ରକାର ଭେଦ ପ୍ରସ୍ତୁତ କରାଯାଇଛି ।
ଭୂସ୍ଖଳନ ପ୍ରକ୍ରିୟାକୁ ଭିନ୍ନ ଭିନ୍ନ ଉପାୟରେ କଳନା କରାଯାଏ। ଏଗୁଡ଼ିକ ହେଲା, ତଳକୁ ଧସିଯିବା, ଉପରୁ ତଳକୁ ଗଡ଼ିଗଡ଼ି ଆସିବା, ଉପର ମୃତ୍ତିକା ଆସ୍ତରଣ ତଳର କଠିନ ସ୍ତରଠାରୁ ଅଲଗା ହେବା, ଭୂପୃଷ୍ଠର ମୃତ୍ତିକା ଓ ପ୍ରସ୍ତର ଖଣ୍ଡ ତଳକୁ ନ ଖସି ଦୁଇପାର୍ଶ୍ବକୁ ଖେଳେଇ ହୋଇଯିବା ଏବଂ ମୃତ୍ତିକା ଓ ପ୍ରସ୍ତର ଖଣ୍ଡଗୁଡ଼ିକ ପାଣି ସହିତ ତଳକୁ ବୋହିଯିବା। ଉପରୁ ପଡ଼ିବା ବା ଗଡ଼ି ଆସିବା ଧରଣର ଭୂସ୍ଖଳନରେ ଏକ ବିଶାଳ ଭୂଖଣ୍ଡ ଅତ୍ୟନ୍ତ ତୀଖ ବା ଢାଲୁ ଅଞ୍ଚଳରୁ ବିଚ୍ଛିନ୍ନ ହୋଇ ତଳେ ପଡ଼ିଥାଏ। ମୃତ୍ତିକା ଆସ୍ତରଣ ତଳର କଠିନ ସ୍ତରଠାରୁ ଅଲଗା ହୋଇ ଗତିଶୀଳ ହେବା ଅନ୍ୟ ଏକ ପ୍ରକାରର ଭୂସ୍ଖଳନ। ମୃତ୍ତିକା ଓ ପଥର ଖଣ୍ଡଗୁଡ଼ିକ ତଳକୁ ନ ଖସି ଢାଲୁର କୌଣସି ପାର୍ଶ୍ବକୁ ଖେଳାଇ ହୋଇଯିବା ସାଧାରଣତଃ ଭୂମିକମ୍ପ ଦ୍ବାରା ସଂଘଟିତ ହୋଇଥାଏ।
ଭୂସ୍ଖଳନ ସହ ପଥର, ମୃତ୍ତିକା, ଉଦ୍ଭିଦ, ଜଳ କିମ୍ବା ଏଗୁଡ଼ିକ ମଧ୍ୟରୁ କେତେକର ସମାହାର ସ୍ଥାନାନ୍ତରିତ ହୋଇପାରେ। ଆଗ୍ନେୟଗିରି ଉଦ୍‌ଗୀରଣ ଫଳରେ ସୃଷ୍ଟି ହୋଇଥିବା ଭୂସ୍ଖଳନରେ ମୁଖ୍ୟତଃ ପାଉଁଶ ବା ଲାଭା ରହିଥାଏ। ସମୁଦ୍ର ପତ୍ତନ ଠାରୁ ଅତ୍ୟନ୍ତ ଉଚ୍ଚ ସ୍ଥାନରେ ଭୂସ୍ଖଳନ ହେଲେ ଏଥିରେ ବରଫ ଏବଂ ବରଫ ତରଳା ପାଣି ରହିଥାଏ। ଆଗ୍ନେୟଗିରି ଦ୍ବାରା ସୃଷ୍ଟ ଭୂସ୍ଖଳନ (ଏହାକୁ ଲାହାର ମଧ୍ୟ କୁହାଯାଇଥାଏ) ସବୁଠାରୁ ବେଶି କ୍ଷତିକାରକ। ପୁଣି କେତେକ ଭୂସ୍ଖଳନରେ ତ ମାଟି ତଳେ ଖୁବ୍ ଗଭୀରରେ ଥିବା ବିଷାକ୍ତ ଗ୍ୟାସ୍ ଉପରକୁ ଚାଲି ଆସିଥାଏ। କର୍ଦ୍ଦମ ସ୍ଖଳନ ରୂପେ ପରିଚିତ ଏକ ଶ୍ରେଣୀର ଭୂସ୍ଖଳନରେ ବେଶି ମାତ୍ରାରେ ଜଳ ଥାଏ ଏବଂ କାଦୁଅ ଖୁବ୍ ବେଗରେ ପ୍ରବାହିତ ହୋଇଥାଏ।
କେତେକ ଭୂସ୍ଖଳନର ବେଗ ସେକେଣ୍ଡ ପ୍ରତି କେଇ ମିଟର ହୋଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଭୂସ୍ଖଳନ ବର୍ଷକୁ ମାତ୍ର ଏକ ବା ଦୁଇ ସେଣ୍ଟିମିଟର ହାରରେ ଗତି କରିଥାଏ। ଯଦି ସର୍ବନିମ୍ନ ସେକେଣ୍ଡ ପ୍ରତି ଭୂସ୍ଖଳନର ବେଗ ଏକ ମିଟର ହୁଏ ତେବେ ଘଣ୍ଟା ପ୍ରତି ଏହାର ବେଗ ୩.୬ କିଲୋମିଟର। ଭୂସ୍ଖଳନ ଆରମ୍ଭ ହେବା ସମୟରେ ଏହାର ବେଗ ଅତ୍ୟନ୍ତ ମନ୍ଥର ଅବସ୍ଥାରୁ ସୃଷ୍ଟି ହୋଇ ଆଖି ପିଛୁଳାକେ ଅଣନିଶ୍ୱାସୀ ବେଗରେ ଗତି କରେ।

ସଂକଟରେ ପରିବେଶ ସମ୍ବେଦନଶୀଳ ଅଞ୍ଚଳ
ପଶ୍ଚିମଘାଟ ପର୍ବତମାଳା କେରଳ, କର୍ଣ୍ଣାଟକ, ତାମିଲନାଡୁ, ଗୋଆ, ମହାରାଷ୍ଟ୍ର ଏବଂ ଗୁଜରାଟ ଆଦି ଛଅଟି ରାଜ୍ୟରେ ପରିବ୍ୟାପ୍ତ। ହିମାଳୟ ଦେଶର ସର୍ବାଧିକ ଭୂସ୍ଖଳନ ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଦ୍ବିତୀୟରେ ରହିଛି ପଶ୍ଚିମଘାଟ ପର୍ବତମାଳା।
ଗୋଟିଏ ପଟେ ପଶ୍ଚିମଘାଟ ପର୍ବତମାଳାକୁ ଏଯାବତ୍‌ କେରଳ ସରକାର ଇ.ଏସ୍.ଏ. ଅନ୍ତର୍ଭୁକ୍ତ କରି ନଥିବା ବେଳେ ମହାରାଷ୍ଟ୍ର ଓ ଗୋଆ ସରକାର ସେମାନଙ୍କ ସୀମା ମଧ୍ୟରେ ଘୋଷଣା କରାଯିବାକୁ ଥିବା ଇ.ଏସ୍.ଏ. ଅଞ୍ଚଳକୁ ହ୍ରାସ କରିବା ସକାଶେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ୨୦୨୨ରେ କର୍ଣ୍ଣାଟକ ସରକାର କେନ୍ଦ୍ର ସରକାରଙ୍କୁ ତାଙ୍କ ରାଜ୍ୟରୁ ଇ.ଏସ୍.ଏ. ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନେବାକୁ ଦାବି କରିଛନ୍ତି। ଫଳସ୍ବରୂପ ପାରିବେଶିକ ଦୃଷ୍ଟିକୋଣରୁ ସମ୍ବେଦନଶୀଳ ଅଞ୍ଚଳ ସବୁ ଏଯାବତ୍ ଅସୁରକ୍ଷିତ ହୋଇରହିଛି।
୨୦୧୪ ମସିହା ମାର୍ଚ ମାସରୁ ଏଯାବତ୍ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପାଞ୍ଚଥର ଚିଠା ଇ.ଏସ୍.ଏ. ବିଜ୍ଞପ୍ତି ଜାରି କରିସାରିଛନ୍ତି। ପ୍ରାୟ ମାସକ ପୂର୍ବରୁ ପଞ୍ଚମ ଚିଠା ବିଜ୍ଞପ୍ତିର କାର୍ଯ୍ୟକାଳ ଶେଷ ହୋଇଥିବା କାରଣରୁ ଖୁବ୍‌ ଶୀଘ୍ର ଭୂବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଆଉ ଗୋଟିଏ ଚିଠା ବିଜ୍ଞପ୍ତି ଜାରି କରାଯିବ ବୋଲି ସୂଚନା ମିଳିଛି।
ଭୂବିଜ୍ଞାନ ମନ୍ତ୍ର‌ାଳୟର ପୂର୍ବତନ ସଚିବ ମାଧବନ୍‌ ରାଜୀବନ୍ କହିଛନ୍ତି, “ବିଭିନ୍ନ ବୈଜ୍ଞାନିକ ମଡେଲ୍‌ ଆଧାରରେ ଭୂବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଥିଲେ ମଧ୍ୟ ପ୍ରାକ୍ ଆକଳନ କିପରି ଭୂସ୍ଖଳନ ସତର୍କତାରେ ରୂପାୟିତ ହେବ ତାହା ହିଁ ବଡ଼ ପ୍ରଶ୍ନ। ଏକ ନିର୍ଭୁଲ ଭୂସ୍ଖଳନ ପୂର୍ବାନୁମାନ ସହିତ ସତର୍କ ସୂଚନାରେ ପରିବର୍ତ୍ତନ କରିବା ସକାଶେ ଆମେ ଏକାଧିକ ଅନୁଷ୍ଠାନକୁ ସଂପୃକ୍ତ କରି ଏକ ଢାଞ୍ଚା ପ୍ରସ୍ତୁତ କରିବା ଆବଶ୍ୟକ। ଏହା ଆଧାରରେ ଭଲ ସେବା ଯୋଗାଇଦେବାର ଆବଶ୍ୟକତା ରହିଛି।’’

କେରଳରେ ବାରମ୍ବାର ଭୂସ୍ଖଳନ କାହିଁକି?

publive-image

ୱାୟନାଡ଼ ପରିସଂସ୍ଥାନ ଦୃଷ୍ଟିରୁ ଅତ୍ୟନ୍ତ ଭଙ୍ଗୁର ଅଞ୍ଚଳ। କେରଳରେ ସଂଘଠିତ ହୋଇଥିବା ଏକାଧିକ ଭୂସ୍ଖଳନରେ ଶତାଧିକ ଲୋକଙ୍କର ପ୍ରାଣହାନି ଏହି ନିଚ୍ଛକ ବାସ୍ତବତା ସଂପର୍କରେ ଅବଗତ କରାଉଛି। ସ୍ଥାନୀୟ ସରକାର ପଶ୍ଚିମଘାଟ ପର୍ବତମାଳା ଅଞ୍ଚଳକୁ ଏକ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ (ଇ.ଏସ୍.ଏ.) ବୋଲି ଘୋଷଣା କରିଥିଲେ ହୁଏତ ଏଭଳି ବିପର୍ଯ୍ୟୟକୁ କିଛି ମାତ୍ରାରେ ପ୍ରଶମିତ କରିହୋଇଥାଆନ୍ତା। ଗୋଟିଏ ଅଞ୍ଚଳକୁ ଥରେ ପରିବେଶ-ସମ୍ବେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରିବା ପରେ ସେଠାରେ ପରିବେଶ ପ୍ରତି କ୍ଷତିକାରକ ମାନବୀୟ କାର୍ଯ୍ୟକଳାପକୁ ନିଷିଦ୍ଧ କରିଦିଆଯାଏ।
ପଶ୍ଚିମଘାଟ ପର୍ବତମାଳା ପାଇଁ ଇ.ଏସ୍.ଏ. ସୁରକ୍ଷା ନ ଥିବା କାରଣରୁ ପରିବେଶ ପ୍ରତି କ୍ଷତିକାରକ ବହୁ ମାନବୀୟ କାର୍ଯ୍ୟକଳାପ ଏ ଅଞ୍ଚଳରେ ଜାରି ରହିଛି। ଏହି କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ବିଗତ ବର୍ଷମାନଙ୍କରେ ଖଣି ଖନନ ତଥା ନିର୍ମାଣ କାର୍ଯ୍ୟ ସକାଶେ ବ୍ୟାପକ ଜଙ୍ଗଲ ନଷ୍ଟ ଅନ୍ତର୍ଭୁକ୍ତ, ଯାହାକି ମୃତ୍ତିକାର ଉପରିଭାଗକୁ ଢିଲା କରିଦେଇଛି ଏବଂ ପାହାଡ଼ ଢାଲୁଗୁଡ଼ିକର ଦୃଢ଼ତାକୁ ମଧ୍ୟ ପ୍ରଭାବିତ କରିଛି। କେରଳରେ ଭୂସ୍ଖଳନ ପରି ବିପର୍ଯ୍ୟୟ ସୃଷ୍ଟି ହେବାରେ ଏହା ଅନ୍ୟତମ ମୁଖ୍ୟ କାରଣ।
କୋଚିନ୍ ବିଶ୍ବବିଦ୍ୟାଳୟର ଆଡ୍‌ଭାନ୍ସ ସେଣ୍ଟର୍ ଫର୍ ଆଟ୍‌ମୋସ୍ଫେରିକ୍ ରାଡାର୍‌ ରିସର୍ଚର ନିର୍ଦ୍ଦେଶକ ଏସ୍. ଅଭିଳାଷ କହିଛନ୍ତି, ‘‘ଗତ ଦୁଇ ସପ୍ତାହ ହେଲା ୱାୟନାଡ଼ ଅଞ୍ଚଳରେ ବ୍ୟାପକ ବର୍ଷା ହୋଇଥିଲା। ଲଗାତାର ବର୍ଷା ଫଳରେ ମାଟି ପୂରାପୂରି ନରମ ଓ ଭୂପୃଷ୍ଠ ସନ୍ତସନ୍ତିଆ ହୋଇ ଯାଇଥିଲା। ହଠାତ୍‌ ବାଦଲଫଟା ବର୍ଷା ହେବା ଯୋଗୁ ଭୂସ୍ଖଳନ ହେଲା। ଦକ୍ଷିଣ ପୂର୍ବ ଆରବ ସାଗରରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଉତ୍ତାପ ଯୋଗୁ ଏହା ଉପରର ବାୟୁମଣ୍ଡଳ ଅସ୍ଥିର ହେଉଛି। ବାୟୁମଣ୍ଡଳର ଏହି ଅସ୍ଥିରତା ଜଳବାୟୁ ପରିବର୍ତ୍ତନ ସହ ସଂପୃକ୍ତ ଏବଂ ଏହା ଉତ୍ତର କୋଙ୍କଣର ଅଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳକୁ ଦକ୍ଷିଣ ଆଡ଼କୁ ସ୍ଥାନାନ୍ତରିତ କରିଦେଇଛି। ୱାୟନାଡ଼ ଭୂସ୍ଖଳନ ପଛରେ ଏହା ବଡ଼ କାରଣ।’’