ଆନ୍ତର୍ଜାତିକ ମହିଳା ଦିବସ ଥିବା କଥା ଊଣାଅଧିକେ ସମସ୍ତେ ଅବଗତ ଥିବେ, କିନ୍ତୁ ଆନ୍ତର୍ଜାତିକ ପୁରୁଷ ଦିବସ ପାଳନ ହେଉଥିବା ସମ୍ବନ୍ଧରେ ହୁଏତ ଅନେକେ ଜାଣି ନ ଥିବେ। ୧୯୯୯ ମସିହାରେ ତ୍ରିନିଦାଦ୍ ଟୋବାଗୋସ୍ଥିତ ୱେଷ୍ଟଇଣ୍ଡିଜ୍ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗରେ ଅଧ୍ୟାପନା କରୁଥିବା ଜିରୋମ୍ ତୀଲକ୍ସିଂହ ଆନ୍ତର୍ଜାତିକ ପୁରୁଷ ଦିବସ ପାଳନ ଆରମ୍ଭ କରିଥିଲେ। ଭାରତ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ହାଇତି, ଜାମାଇକା, ଇଂଲଣ୍ଡ, ଆମେରିକା, କେମ୍ୟାନ୍ ଦ୍ବୀପପୁଞ୍ଜ, ନର୍ୱେ, ପାକିସ୍ତାନ, ହଙ୍ଗେରି, ମାଲ୍ଟା, ଘାନା, ମୋଲ୍ଡୋଭା ଓ କାନାଡା ସମେତ ସମ୍ପ୍ରତି ବିଶ୍ବବ୍ୟାପୀ ପ୍ରାୟ ୮୦ଟି ଦେଶରେ ପ୍ରତିବର୍ଷ ନଭେମ୍ବର ୧୯ରେ ‘ଆନ୍ତର୍ଜାତିକ ପୁରୁଷ ଦିବସ’ ପାଳନ କରାଯାଉଛି। ଆଜିକାଲି ଯେଭଳି ଆନ୍ତର୍ଜାତିକ ପୁରୁଷ ଦିବସ ପାଳନ କରାଯାଉଛି ତାହା ୨୦୧୦ରେ ଇଂଲଣ୍ଡ୍ରେ ଆରମ୍ଭ କରାଯାଇଥିଲା।
ଏ ଦିବସ ନଭେମ୍ବର ମାସରେ ପାଳନ କରାଯିବାର କାରଣ ବିଷୟରେ ଆନ୍ତର୍ଜାତିକ ପୁରୁଷ ଦିବସ ୱେବ୍ସାଇଟ୍ରେ ଉଲ୍ଲେଖ ଅଛି। ତାହା ହେଉଛି- ନଭେମ୍ବର ମାସରେ ଏମିତି କେତେକ କାର୍ଯ୍ୟକ୍ରମ ରହିଛି ଯାହା ପୁରୁଷମାନଙ୍କ ପାଇଁ ଗୁରୁତ୍ବ ବହନ କରେ। ତେଣୁ, ପୁରୁଷାତ୍ମା ପାଇଁ ସେ ସବୁର ବେଶ୍ ତାତ୍ପର୍ଯ୍ୟ ରହିଛି।ଏ ଦିବସ ପାଳନ ଘୋଷଣା ପରଠାରୁ କିଛି ବର୍ଷ ଲାଗି ବାଦବିସମ୍ବାଦ ଚାଲିଥିଲା। କେତେକ ଦାବି କରୁଥିଲେ ଯେ, ବର୍ଷକ ବାରମାସ ତ ପୁରୁଷ ଦିବସ। କିନ୍ତୁ, ବାର୍ଷିକ କାର୍ଯ୍ୟକ୍ରମ ରୂପେ ପାଳନ କରାଯାଉଥିବା ଏ ଦିବସର ଅସଲ ଉଦ୍ଦେଶ୍ୟ ହେଉଛି ନିଜ ନିଜ ଜୀବନରେ ଆଦର୍ଶ ମାନିଥିବା ପୁରୁଷମାନଙ୍କ ସ୍ମୃତିଚାରଣ କରିବା ଏବଂ ଦିନ ଦିନ ଧରି ପୁରୁଷମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ଦୁନିଆର ଧ୍ୟାନ ଆକର୍ଷଣ କରିବା। ବୃଦ୍ଧି ପାଉଥିବା ପୁରୁଷ ଆତ୍ମହତ୍ୟା ଏବଂ କର୍ମସ୍ଥଳୀ ଓ ପରିବାର ମଧ୍ୟରେ ଧନ୍ଦି ହୋଇ ଭୋଗୁଥିବା କଷ୍ଟ ଇତ୍ୟାଦି ସମ୍ପ୍ରତି ପୁରୁଷମାନଙ୍କ ସମ୍ମୁଖରେ ଉତ୍କଟ ସମସ୍ୟା ଭାବେ ଉଭା ହୋଇଛି।
ଆୟୋଜନକାରୀମାନେ କହନ୍ତି- ‘ଆନ୍ତର୍ଜାତିକ ପୁରୁଷ ଦିବସ’ର ଉଦ୍ଦେଶ୍ୟ ହେଉଛି ବାଳକମାନଙ୍କୁ ପୁରୁଷ ହୋଇ ଜନ୍ମିଥିବାର ମହତ୍ତ୍ବ, ଚରିତ୍ର ଓ ଦାୟିତ୍ବ ସମ୍ବନ୍ଧରେ ଶିକ୍ଷା ଦେବା ପାଇଁ ଲୋକଙ୍କୁ ଉତ୍ସାହ ଦେବା। ତା’ଛଡ଼ା ପୁରୁଷମାନଙ୍କର ସମାଜ ପ୍ରତି ସକାରାତ୍ମକ ଅବଦାନ ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିବା।‘ଆନ୍ତର୍ଜାତିକ ପୁରୁଷ ଦିବସ’ ପାଳନ ଅବସରରେ କ୍ରୀଡ଼ା ପ୍ରତିଯୋଗିତା, ସ୍ବାସ୍ଥ୍ୟମେଳା, ପ୍ରାର୍ଥନାସଭା, ପୁରୁଷମାନଙ୍କ ସମସ୍ୟା ଉପରେ ଦଳଗତ ଆଲୋଚନା, ସଙ୍ଗୀତ କାର୍ଯ୍ୟକ୍ରମ, ଅନୁଦାନ ସଂଗ୍ରହ ଏବଂ ଆଦର୍ଶ ପୁରୁଷମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଏ।
ଏ ଦିବସ ପାଳନ ଅବସରରେ: ସ୍ବାସ୍ଥ୍ୟ, ସ୍ବାଚ୍ଛନ୍ଦ୍ୟ ଓ ସତ୍ୟନିଷ୍ଠା ପ୍ରତିପାଦନ କରୁଥିବା ଆଦର୍ଶ ପୁରୁଷ ବା ରୋଲ୍ମଡେଲ୍ମାନଙ୍କୁ ଉଦ୍ବୋଧନ ଦେବାଲାଗି ଆମନ୍ତ୍ରଣ କରନ୍ତୁ।
ପରିବାର ଓ ସମ୍ପ୍ରଦାୟ ଦାୟିତ୍ବ ବହନ କରିବା ଲାଗି ପୁରୁଷମାନଙ୍କୁ ଉତ୍ସାହ ଦିଅନ୍ତୁ। ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥିବା ଆଦର୍ଶ ପୁରୁଷଙ୍କୁ କୃତଜ୍ଞତା ଜ୍ଞାପନ କରନ୍ତୁ। ବାଳକମାନଙ୍କ ପାଇଁ ସକାରାତ୍ମକ ଆଦର୍ଶ ପୁରୁଷ ସନ୍ଧାନ କରନ୍ତୁ।