ଆମେ ଜାଣୁ ଯେ ସମଗ୍ର ସୁସ୍ଥତା ପାଇଁ ଶରୀରକୁ ଯଥାସମ୍ଭବ ଜଳୀୟ ରଖିବା ଜରୁରି। ସେଥି ପାଇଁ ନିୟମିତ ଜଳପାନ କରିବା ଗୁରୁତ୍ବପୂର୍ଣ୍ଣ। ତେବେ ମାତ୍ରାଧିକ ଜଳ ପାନ କରିବା ମଧ୍ୟ ଶରୀର ଉପରେ କୁପ୍ରଭାବ ପକାଇପାରେ। ଖାଇବା ପରେ ତୁରନ୍ତ ପାଣିପିଇବା ଆଦୌ ଉପକାରୀ ନୁହେଁ ବୋଲି ସ୍ବାସ୍ଥ୍ୟବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି। ଖାଇସାରି ତୁରନ୍ତ ପାଣି ପିଇବା ଦ୍ବାରା ଶରୀରର ହଜମକ୍ରିୟାରେ ବ୍ୟତିକ୍ରମ ସୃଷ୍ଟି ହୋଇ କିଛି ଶାରୀରିକ ଅସୁବିଧା ଆରମ୍ଭ ହେବାର ଆଶଙ୍କା ରହିଛି। ଭୋଜନ ପରେ ସଙ୍ଗେସଙ୍ଗେ ପାଣି ପିଇବା ଦ୍ବାରା ପାକସ୍ଥଳୀରେ ଝରୁଥିବା ବିଭିନ୍ନ ପାଚକ ରସ ଓ ଏଞ୍ଜାଇମ୍ଗୁଡ଼ିକ ପାଣି ସହିତ ମିଶି ପତଳା ହୋଇଯାଇଥା’ନ୍ତି। ସୁତରାଂ ପାଚନ ପ୍ରକ୍ରିୟାକୁ ଏହା ବ୍ୟାହତ କରିଥାଏ ଏବଂ ଏସିଡିଟି ଓ ଛାତିପୋଡ଼ା ପରି ସମସ୍ୟା ଦେଖାଦିଏ। ଏଥି ସହିତ ପାକସ୍ଥଳୀରେ ଖାଦ୍ୟଗ୍ରହଣ ପରେ ତୁରନ୍ତ ଜଳ ପହଞ୍ଚିଗଲେ ତାହା ସେଗୁଡ଼ିକୁ ଶୀଘ୍ର ବୃହଦାନ୍ତ୍ର ଆଡ଼କୁ ଠେଲିଦିଏ।
ଫଳରେ ପ୍ରାକୃତିକ ପୋଷକଗୁଡ଼ିକର ଶୋଷଣ ପ୍ରକ୍ରିୟା ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ସେହିପରି ଖାଇ ସାରି ପାଣି ପିଇବା ଦ୍ବାରା ହଜମ ପ୍ରକ୍ରିୟାରେ ପରିବର୍ତ୍ତନ ଘଟି ସ୍ବାଭାବିକ ଅପେକ୍ଷା ଶୀଘ୍ର ଭୋକ ଲାଗିଥାଏ। ଏହାଦ୍ବାରା ମାତ୍ରାଧିକ ଖାଇବା ସହ ପେଟ ଫୁଲିବାର ସମ୍ଭାବନା ରହିଛି। ଯେହେତୁ ମାତ୍ରାଧିକ ଜଳ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ, ସୁତରାଂ ବେଶୀ ପରିମାଣର ଅଜୀର୍ଣ୍ଣ ଖାଦ୍ୟ ଠୁଳ ହୋଇ ରହେ। ଏଥିରେ ଥିବା ଗ୍ଲୁକୋଜ୍ ଚର୍ବିରେ ପରିଣତ ହୋଇ ଶରୀରର ଓଜନ ବଢ଼ାଇବାର ଆଶଙ୍କା ରହିଥାଏ। ଏହା ମଧ୍ୟ ଇନସୁଲିନ୍ କ୍ଷରଣକୁ ବ୍ୟାହତ କରି ରକ୍ତଶର୍କରା ସ୍ତର ବଢ଼ାଇ ମଧୁମେହ ଆଶଙ୍କା ଆଣିପାରେ। ତେଣୁ ଖାଦ୍ୟ ଖାଇବାର ଅଧଘଣ୍ଟାଏ ପୂର୍ବରୁ ବା ଅଧ ଘଣ୍ଟାଏ ପରେ ପାଣି ପିଇବା ଉଚିତ। ସେହିପରି ଦୈନିକ ଅତି କମ୍ରେ ୨ରୁ ୩ ଲିଟର ପାଣି ପିଇବା ଜରୁରି। ଅବଶ୍ୟ ତାପମାତ୍ରା ଓ ଶାରୀରିକ ଅବସ୍ଥା ପରି ବିଭିନ୍ନ ପାରିବେଶିକ କାରଣରୁ ଏହି ପରିମାଣକୁ କମ୍ ବା ଅଧିକ କରିହେବ।