୭୫ ବର୍ଷରେ ଭାରତ: ଅଗଷ୍ଟ ୧୫ରେ ସ୍ୱାଧୀନତା କାହିଁକି?

ଭାରତକୁ ସ୍ବାଧୀତନା ମିଳିବାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଛି। ବ୍ରିଟିସ୍‌ ଇଷ୍ଟ୍ ଇଣ୍ଡିଆ କମ୍ପାନି ଓ ବ୍ରିଟିସ୍‌ ସାମ୍ରାଜ୍ୟ ଅଧୀନରେ ଭାରତ ପ୍ରାୟ ୨୦୦ ବର୍ଷ ଶାସିତ ହୋଇଥିଲା। ଏହି କାଳଖଣ୍ଡରେ ସୁନିୟୋଜିତ ଢଙ୍ଗରେ ଚାଲିଥିଲା ସିପାହୀ ବିଦ୍ରୋହ, ସ୍ବଦେଶୀ ଆନ୍ଦୋଳନ, ଭାରତଛାଡ଼ ଆନ୍ଦୋଳନ ଭଳି ଅନେକ ବିଦ୍ରୋହ ଓ ସଂଗ୍ରାମ। ସ୍ବାଧୀତନା ସଂଗ୍ରାମୀଙ୍କର ବଳିଦାନ ଓ ସାହସିକତା ପାଇଁ ବ୍ରିଟିସ୍‌ମାନେ ଶେଷରେ ଦେଶ ଛାଡ଼ି ଚାଲିଯାଇଥିଲେ। ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବତନ୍ତ୍ରତା ହାସଲ କରିଥିଲା।

ଅଗଷ୍ଟ ୧୫ରେ ସ୍ୱାଧୀନତା କାହିଁକି?
ଅଗଷ୍ଟ ୧୫ ତାରିଖକୁ ସ୍ବାଧୀତନା ଦିବସ ରୂପେ ବାଛିବା ପଛରେ ଏକ ରୋଚକ କାରଣ ରହିଛି। ୧୯୨୯ରେ କଂଗ୍ରେସ ସଭାପତି ରୂପେ ଜବାହରଲାଲ ନେହରୁ ‘ପୂର୍ଣ୍ଣ ସ୍ବରାଜ’ର ଆହ୍ବାନ କରିବା ବେଳେ ଜାନୁଆରି ୨୬କୁ ପ୍ରଥମ ସ୍ବାଧୀନତା ଦିବସ ରୂପେ ବଛାଯାଇଥିଲା। ଜାତୀୟ କଂଗ୍ରେସ ଦଳ ୧୯୩୦ ପରେ ପ୍ରତିବର୍ଷ ଏହି ତାରିଖରେ ସ୍ବାଧୀତନା ଦିବସ ପାଳୁଥିଲା। ଶେଷରେ ସ୍ବାଧୀନତା ହାସଲ ପରେ ୧୯୫୦ ଜାନୁଆରି ୨୬କୁ ସାଧାରଣତନ୍ତ୍ର ଦିବସ ରୂପେ ଗ୍ରହଣ କରାଯାଇଥିଲା। ସ୍ବାଧୀନତା ସଂଗ୍ରାମର ଫଳସ୍ବରୂପ ବ୍ରିଟିସ୍‌ମାନେ ଭାରତ ଶାସନ ଛାଡ଼ି ଚାଲିଯିବାର ନିଷ୍ପତ୍ତି ନେଇଥିଲେ। ସେ ସମୟରେ ବ୍ରିଟିସ୍ ପାର୍ଲାମେଣ୍ଟ ଲର୍ଡ ମାଉଣ୍ଟବ୍ୟାଟେନ୍‌ଙ୍କୁ ୧୯୪୮ ଜୁନ୍ ୩୦ ସୁଦ୍ଧା କ୍ଷମତା ହସ୍ତାନ୍ତର କରିବାର ଦାୟିତ୍ବ ଦେଇଥିଲେ। ଲର୍ଡ ମାଉଣ୍ଟବ୍ୟାଟେନ୍‌ ଥିଲେ ଭାରତର ଶେଷ ବ୍ରିଟିସ୍‌ ଗଭର୍ଣ୍ଣର-ଜେନେରାଲ୍‌। ଭାରତକୁ ସ୍ବାଧୀନତା ପ୍ରଦାନରେ ବିଳମ୍ବକୁ ସ୍ବାଧୀତନା ସଂଗ୍ରାମୀମାନେ ବିରୋଧ କରିଥିଲେ। ତେଣୁ ଲର୍ଡ ମାଉଣ୍ଟବ୍ୟାଟେନ୍ ଆଗୁଆ ଭାବେ ୧୯୪୭ ଅଗଷ୍ଟ ୧୫ ତାରିଖକୁ ବାଛିଥିଲେ। ସେ ରକ୍ତପାତ ବା ଦଙ୍ଗା ଚାହାନ୍ତି ନାହିଁ ବୋଲି ଏହି ନିଷ୍ପତ୍ତି ନେଇଥିବାର କହିଥିଲେ। ତେବେ ଦୁଇ ବର୍ଷ ତଳେ ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସମାନ ଦିନରେ ଜାପାନ ଆତ୍ମସମର୍ପଣ କରିଥିଲା। ମାଉଣ୍ଟବ୍ୟାଟେନ୍ ‘ଫ୍ରିଡମ୍ ଆଟ୍ ମିଡ୍‌ନାଇଟ୍‌’ ପୁସ୍ତକରେ ଲେଖିଛନ୍ତି, “ମୁଁ ଯେଉଁ ତାରିଖ ବାଛିଲି ତାହା ଆପଣାଛାଏଁ ମନକୁ ଆସିଲା। ଏକ ପ୍ରଶ୍ନର ପ୍ରତ୍ୟୁତ୍ତରରେ ମୁଁ ସେହି ତାରିଖ ବାଛିଥିଲି। ମୁଁ ଏହା ଦେଖାଇବାକୁ ଚାହୁଥିଲି ଯେ ମୁଁ ଥିଲି ସମଗ୍ର ଉତ୍ସବର କର୍ତ୍ତା। ମୁଁ ତାରିଖ ନିର୍ଦ୍ଧାରିତ କରିଛି କି ନାହିଁ ବୋଲି ମୋତେ ସେମାନେ ପଚାରିବା ବେଳେ ମୁଁ ଜାଣିଥିଲି ଯେ ଏହା ଶୀଘ୍ର ହେବା ଦରକାର। ସେତେବେଳେ ମୁଁ ନିର୍ଦ୍ଦିଷ୍ଟ ତାରିଖ ନିର୍ଦ୍ଧାରଣ କରି ନ ଥିଲି- ମୁଁ ଭାବିଲି ଯେ ଏହା ଅଗଷ୍ଟ ବା ସେପ୍ଟେମ୍ବରରେ ହେବା ଦରକାର ଏବଂ ମୁଁ ଶେଷରେ ଅଗଷ୍ଟ ୧୫କୁ ବାଛିଲି। କାରଣ ଏହା ଥିଲା ଜାପାନ ଆତ୍ମସମର୍ପଣର ଦ୍ବିତୀୟ ବାର୍ଷିକୀ।’’ ମାଉଣ୍ଟବ୍ୟାଟେନ୍‌ଙ୍କର ଏହି ନିଷ୍ପତ୍ତି ପରେ ବ୍ରିଟିସ୍‌ ହାଉସ୍‌ ଅଫ୍ କମନ୍‌ସରେ ୧୯୪୭ ଜୁଲାଇ ୧୬ ତାରିଖରେ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍‌ସ ବିଲ୍ ପାରିତ ହୋଇଥିଲା। ଭାରତ ଓ ପାକିସ୍ତାନ ନାମରେ ଦୁଇ ଦେଶ ପ୍ରତିଷ୍ଠା କରିବାର ନିଷ୍ପତ୍ତି ନିଆଯାଇଥିଲା।

ପାକିସ୍ତାନର ସ୍ବାଧୀନତା ଦିବସ ଅଗଷ୍ଟ ୧୪ରେ କାହିଁକି?
ବ୍ରିଟିସ୍‌ ସଂସଦରେ ପାରିତ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍‌ସ ବିଲ୍ ଅନୁଯାୟୀ ଭାରତ ଓ ପାକିସ୍ତାନ ଅଗଷ୍ଟ ୧୫ରେ ସ୍ବାଧୀତନା ଲାଭ କରିଥିଲେ। ତଥାପି ପାକିସ୍ତାନ ଅଗଷ୍ଟ ୧୪ରେ କିପରି ସ୍ବାଧୀନ ହେଲା ବୋଲି ମନରେ ପ୍ରଶ୍ନ ହେବା ସ୍ବାଭାବିକ। ଅସଲରେ ପାକିସ୍ତାନ ମଧ୍ୟ ଅଗଷ୍ଟ ୧୫ରେ ସ୍ବାଧୀନ ହୋଇଥିଲା। ପାକିସ୍ତାନ ଜାରି କରିଥିବା ପ୍ରଥମ ଷ୍ଟାମ୍ପରେ ମଧ୍ୟ ଅଗଷ୍ଟ ୧୫ ଏହାର ସ୍ବାଧୀନତା ତାରିଖ ବୋଲି ଉଲ୍ଲେଖ ରହିଥିଲା। ପାକିସ୍ତାନବାସୀଙ୍କ ଉଦ୍ଦେଶ୍ୟରେ ଜିନ୍ନା ଦେଇଥିବା ପ୍ରଥମ ଭାଷଣରେ କହିଥିଲେ ଯେ ଅଗଷ୍ଟ ୧୫ ହେଉଛି ପାକିସ୍ତାନର ଜନ୍ମ ଦିବସ। କିନ୍ତୁ ୧୯୪୮ରୁ ପାକିସ୍ତାନ ଅଗଷ୍ଟ ୧୪ରେ ଏହାର ସ୍ବାଧୀତନା ଦିବସ ପାଳନ କରିଆସୁଛି। ଏହାର ଦୁଇଟି କାରଣ ହୋଇପାରେ- ପ୍ରଥମତଃ, କରାଚିରେ କ୍ଷମତା ହସ୍ତାନ୍ତର ଉତ୍ସବ ୧୯୪୭ ଅଗଷ୍ଟ ୧୪ରେ ହୋଇଥିଲା। ଦ୍ବିତୀୟରେ, ଅଗଷ୍ଟ ୧୪ ଥିଲା ରମଜାନର ୨୭ତମ ଦିବସ, ଯାହା ମୁସଲମାନଙ୍କ ପାଇଁ ଏକ ଅତ୍ୟନ୍ତ ପବିତ୍ର ଦିନ।

ଅଗଷ୍ଟ ୧୫ରେ ସ୍ବାଧୀନ ହୋଇଥିବା ଅନ୍ୟ ଦେଶ
ଅଗଷ୍ଟ ୧୫ରେ କେବଳ ଭାରତ ଏହାର ସ୍ବାଧୀତନା ଦିବସ ପାଳନ କରି ନ ଥାଏ। ଆଉ କେତେକ ଦେଶ ମଧ୍ୟ ସମାନ ତାରିଖରେ ସ୍ବାଧୀନତାର ସ୍ବାଦ ଚାଖିଥିଲେ।

ଲିକ୍‌ଟନ୍‌ଷ୍ଟାଇନ୍
ପୃଥିବୀର କ୍ଷୁଦ୍ରତମ ରାଷ୍ଟ୍ରମାନଙ୍କ ମଧ୍ୟରୁ ଲିକ୍‌ଟନ୍‌ଷ୍ଟାଇନ୍‌ ଅନ୍ୟତମ। ଏହି ୟୁରୋପୀୟ ଦେଶଟି ୧୮୬୬ରେ ଜର୍ମାନୀ ଶାସନରୁ ମୁକ୍ତ ହୋଇଥିଲା ଏବଂ ୧୯୪୦ରୁ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳିଆସୁଛି।

ଉତ୍ତର ଓ ଦକ୍ଷିଣ କୋରିଆ
ଉଭୟ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆରେ ଆଜି ଦିନକୁ ଜାତୀୟ ସ୍ବାଧୀତନା ଦିବସ ଭାବେ ପାଳନ କରାଯାଏ। ୧୯୪୫ରେ ମିତ୍ର ଶକ୍ତି ଦ୍ବାରା କୋରିଆ ଜାପାନ ଅଧୀନରୁ ମୁକ୍ତ ହୋଇଥିଲା। ମୁକ୍ତ ହେବାର ତିନି ବର୍ଷ ପରେ ୧୯୪୮ ଅଗଷ୍ଟ ୧୫ରେ କୋରିଆ ସରକାର ଗଠିତ ହୋଇଥିଲା।

କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ
କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ ୧୯୬୦ରେ ଫ୍ରାନ୍‌ସ ଠାରୁ ପୂର୍ଣ୍ଣ ସ୍ବାଧୀତନା ହାସଲ କରିଥିଲା। ଏହା ହେଉଛି ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ୍ତମ ଏବଂ ପୃଥିବୀର ୧୧ତମ ବୃହତ୍ତମ ରାଷ୍ଟ୍ର।

ବାହାରିନ୍
ଜାତିସଂଘ ବାହାରିନ୍‌ ଜନସଂଖ୍ୟାର ସର୍ବେକ୍ଷଣ କରିବା ପରେ ୧୯୭୧ ଅଗଷ୍ଟ ୧୫ରେ ବାହାରିନ୍ ବ୍ରିଟିସ୍‌ ଶାସନରୁ ମୁକ୍ତ ହେବା ଘୋଷଣା କରିଥିଲା। ଏହି ଦିନ ବ୍ରିଟିସ୍‌ ଓ ବାହାରିନ୍ ମଧ୍ୟରେ ବନ୍ଧୁତ୍ବ ଚୁକ୍ତି ସ୍ବାକ୍ଷର କରାଯାଇଥିଲା। ଅଗଷ୍ଟ ୧୫ରେ ବାହାରିନ୍ ସ୍ବାଧୀନତା ହାସଲ କରିଥିଲେ ହେଁ ସେଠାରେ ଡିସେମ୍ବର ୧୬ରେ ଏହି ଜାତୀୟ ଦିବସ ପାଳିତ ହୋଇଥାଏ।

ସମ୍ବନ୍ଧିତ ଖବର