ନୂଆଦିଲ୍ଲୀ: ପ୍ରତ୍ୟେକ ପୁରୁଷ ଓ ନାରୀ ନିଜ ନିଜ ବିବାହ ଯୋଜନାକୁ ନିଆରା ଢ଼ଙ୍ଗରେ କରିବା ପାଇଁ ବିଭିନ୍ନ ପ୍ରକାର ଆୟୋଜନ କରି ଥାଆନ୍ତି। କିଏ ହିମାଳୟ ଯାଇ ତ, ଆଉ କିଏ ମଝି ଆକାଶରେ ବିମାନରେ ବିବାହ କରିଥିବା କଥା ଶୁଣିବାକୁ ମିଳିଛି । ତେବେ ନିକଟରେ ଏକ କପୁଲଙ୍କ ବିବାହ ମହିଳା ଟଏଲେଟରେ ହୋଇଛି ବୋଲି ଖବର ପ୍ରକାଶ ପାଇଛି। ତେବେ ଏହା ତାଙ୍କର ପୂର୍ବ ପ୍ରସ୍ତୁତି ନଥିଲା, ଆକସ୍ମିକ ଭାବେ ଘଟିଛି। କାହିଁକି ଦୁହେଁ ଟଏଲେଟରେ ବିବାହ କରିଛନ୍ତି ଆସନ୍ତୁ ଜାଣିବା।
ଜାନୁଆରି ୨ ତାରିଖ ଦିନ ବ୍ରାୟନ ସ୍କୁଲ୍ଜ ଓ ମାରିୟା ସ୍କୁଲ୍ଜଙ୍କର ମହିଳା ଟଏଲେଟରେ ବିବାହ ହୋଇଛି। ଏହି ଖବରକୁ ଯିଏ ଶୁଣିଲା ସେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛି। ଏ ଦୁହେଁ ଆମେରିକାର ମୋନମାଉଥ୍ କାଉଣ୍ଟି କୋର୍ଟ ହାଉସ୍ର ବାଥ୍ରୁମ୍ରେ ବିବାହ କରିଛନ୍ତି।
ଘଟଣାଟି ହେଉଛି ଏପରି, ବର ଓ କନ୍ୟା ବିବାହ ପାଇଁ କୋର୍ଟ ବାହାରେ ବସି ଭିତରକୁ ଯିବା ପାଇଁ ଅପେକ୍ଷା କରିଥିଲେ। ଏହି ସମୟରେ ବ୍ରାୟନ ମା’ଙ୍କ ଫୋନ୍ ଆସିଲା। ସେ ବାର୍ଥରୁମ୍ରେ ଅଛନ୍ତି ଓ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ବୋଲି କହିଥିଲେ। ମା’ଙ୍କ କଥା ଶୁଣି ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ବ୍ରାୟନ ମା’ଙ୍କ ମୁହଁ ନୀଳ ପଡି ଯାଇଥିଲା, ଝାଳରେ ସେ ଗାଧୋଇ ପଡ଼ି ଥାଆନ୍ତି ଓ କଥା ମଧ୍ୟ କହି ପାରୁ ନ ଥିଲେ। ତାଙ୍କୁ ବାଥ୍ରୁମ୍ରୁ ବାହାର କରାଯିବା ପରିସ୍ଥିତିରେ ସେ ନଥିଲେ। ମୋନମାଉଥ୍ କାଉଣ୍ଟିର ଅଫିସର ବ୍ରାୟନଙ୍କ ମା’ଙ୍କୁ ବାଥ୍ରୁମ୍ରେ ହିଁ ଅକ୍ସିଜେନ୍ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।
ମାନମାଉଥ୍ କାଉଣ୍ଟି ପୁଲିସ କାର୍ଯ୍ୟାଳୟ ଫେସ୍ବୁକ୍ରେ ଲେଖିଛନ୍ତି, ଏଭଳି ଘଟଣାକୁ ନେଇ ସମସ୍ତେ ଖୁବ ଦୁଃଖୀ ହୋଇଯାଇଥିଲେ। ବିବାହକୁ ଘୁଞ୍ଚାଇ ଦେବା ପାଇଁ ବ୍ରାୟନ ତାଙ୍କ ପରିବାର ସହିତ କଥା ହେଉଥିଲେ। ଯଦି ଏହି ବିବାହ ତାରିଖ ଘୁଞ୍ଚା ଯାଇଥାଆନ୍ତା, ପୁଣିଥରେ ବିବାହ ଲାଇସେନ୍ସ ପାଇବା ପାଇଁ ଆହୁରି ୪୫ଦିନ ଅପେକ୍ଷା କରିବାକୁ ପଡ଼ି ଥାଆନ୍ତା। ଫଳରେ ଅଫିସର ବାଥରୁମରେ ହିଁ ଦୁହିଁଙ୍କ ବିବାହ କରିବା ପାଇଁ ସ୍ଥିର କରାଯାଇଥିଲା । ଜଜ କେଟି ଗୁମର ବି ବାଥରୁମ୍ରେ ଦୁହିଁଙ୍କ ବିବାହ କରାଇବା ପାଇଁ ରାଜି ହୋଇଯାଇଥିଲେ।
ଜାନୁଆରି ୨୫ ତାରିଖରେ ଏହି ଭିଡିଓକୁ ଫେସ୍ବୁକ୍ରେ ଅପଲୋଡ କରାଯାଇଛି। ଭିଡିଓକୁ ଏଯାବତ୍ ୧୦ହଜାରରୁ ଅଧିକ ଥର ଦେଖିଯାଇସାରିଲାଣି। ବ୍ରାୟାନଙ୍କ ମା’ ଏବେ ସୁସ୍ଥ ଅଛନ୍ତି।