ଝିଟିପିଟି ମାରିବା ନିଷେଧ କାହିଁକି

ଭାରତରେ ଜୀବଜନ୍ତୁମାନଙ୍କୁ ସମ୍ମାନ ଦିଆଯାଏ ଏବଂ ବିଭିନ୍ନ ଉପାୟରେ ସୁରକ୍ଷା ମଧ୍ୟ ଦିଆଯାଏ। ଏହା ପଛରେ ବହୁ ପୌରାଣିକ ଆଖ୍ୟାନ ମଧ୍ୟ ରହିଥାଏ। ସେମିତି ଗୋଟାଏ ସରୀସୃପ ହେଉଛି ଝିଟିପିଟି। ଏହା ଆମ ଘର ବାହାର ସର୍ବତ୍ର ଦେଖାଯାଏ।

ଭାରତୀୟ ବିଶ୍ୱାସରେ ଝିଟିପିଟିକୁ ମରାଯାଏ ନାହିଁ। କଥିତ ଅଛି ଈଶ୍ୱର ବିଭିନ୍ନ ମାଧ୍ୟମରେ ଭକ୍ତମାନଙ୍କ ସହ କଥା ହୁଅନ୍ତି। ସେଥିରୁ ଗୋଟିଏ ମାଧ୍ୟମ ହେଉଛି: ଝିଟିପିଟି ମାଧ୍ୟମ। ସେଥିପାଇଁ କାହିଁ କେତେ କାଳରୁ ଠାକୁରଘରେ ତଥା ପୂଜା ଆସ୍ଥାନରେ ଝିଟିପିଟି ରହି ଲୋକମାନଙ୍କ ଉପରେ ଦୃଷ୍ଟି ରଖିବା ସହ ଗୁରୁତ୍ୱପୂର୍ଣ୍ଣ ସମୟରେ ଭଲ ଓ ମନ୍ଦର ସୂଚନା ଦେଇଥାଏ।

ଅର୍ଥାତ୍‌ ଏହି ସମୟରେ ଝିଟିପିଟିର ପତ୍ତନ ଏବଂ ଶବ୍ଦକୁ ଅର୍ଥ କରି ଶୁଭାଶୁଭ ସ୍ଥିର କରାଯାଏ। ତେଣୁ ଭାରତୀୟ ପରମ୍ପରାରେ ଝିଟିପିଟି ବର୍ଣ୍ଣନା ଥିବା ଗୋଆଲି ଶାସ୍ତ୍ର ଭାରି ଗୁରୁତ୍ୱପୂର୍ଣ୍ଣ। ତେଣୁ ଝିଟିପିଟି ମାରିବାକୁ ନିଷେଧ କରାଯାଇଛି। ତା’ଛଡ଼ା ସତର୍କ କରାଇ ଦିଆଯାଇଛି କି, ଝିଟିପିଟି ମାରିଲେ ଜନ୍ମଜନ୍ମାନ୍ତର ଯାଏଁ ପାପଫଳ ଭୋଗିବାକୁ ହୁଏ।

କେତେକ ମନ୍ଦିରରେ ମଧ୍ୟ ଝିଟିପିଟି ପୂଜା କରାଯାଏ। ଶ୍ରୀ ରଙ୍ଗନାଥ ସ୍ୱାମୀ ମନ୍ଦିରର ପାଚେରିରେ ଝିଟିପିଟି ଚିତ୍ର ଖୋଦେଇ ହୋଇଛି। ଲେକେ ମନ୍ଦିର ପ୍ରଦକ୍ଷିଣ କରିବାବେଳେ ଏହାକୁ ଦର୍ଶନ କରନ୍ତି। କାଞ୍ଚିପୁରମ୍‌ସ୍ଥିତ ବରଦରାଜ ମନ୍ଦିରରେ ସୁନା ଓ ରୁପା ଝିଟିପିଟିର ପ୍ରତିମା ରହିଛି। ଲୋକେ ଦିଅଁ ଦର୍ଶନ ପରେ ଏ ଦୁଇ ଝିଟିପିଟି ପ୍ରତିମାଙ୍କୁ ସ୍ପର୍ଶ କରନ୍ତି।

ସମ୍ବନ୍ଧିତ ଖବର