ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଆଧୁନିକ ଜ୍ଞାନକୌଶଳର ଉପଯୋଗ ଅସମ୍ଭବ ମନେ ହେଉଥିବା କଥାକୁ ସ୍ବାଭାବିକ କରିଦେଇ ପାରୁଛି। ଏହି କ୍ରମରେ ୱାଇ-ଫାଇ ତରଙ୍ଗ କେବଳ ଇଣ୍ଟର୍ନେଟ୍ ବ୍ୟବହାର ପାଇଁ ଉପାଦେୟ ତାହା ନୁହେଁ, ଏହା ଦ୍ବାରା କଠିନ କାନ୍ଥ ସେପାଖେ ଥିବା ସ୍ଥିର ବସ୍ତୁର ଆକୃତି ଜାଣିବା ସମ୍ଭବ ବୋଲି ଜଣାପଡ଼ିଛି। ୱାଇ-ଫାଇ ଦ୍ବାରା କାନ୍ଥ ସେପାଖରେ କୌଣସି ଚଳପ୍ରଚଳ ବସ୍ତୁକୁ ଚିହ୍ନଟ କରିବାର କ୍ଷମତା ପୂର୍ବରୁ ପ୍ରମାଣିତ ହୋଇସାରିଛି, ତେବେ ନିଶ୍ଚଳ ବସ୍ତୁକୁ ଠଉରେଇବା ପାଇଁ ବୈଜ୍ଞାନିକ ଉଦ୍ୟମ ଜାରି ରହିଥିଲା। କାଲିଫର୍ଣ୍ଣିଆ ସାଣ୍ଟା ବାର୍ବରା ବିଶ୍ବବିଦ୍ୟାଳୟର ଗବେଷକମାନେ ‘ୱିଫ୍ରାକ୍ଟ’ ନାମକ ଏକ ୱାଇ-ଫାଇ ଯନ୍ତ୍ରାଂଶ ପ୍ରସ୍ତୁତ କରିଛନ୍ତି।
ଗବେଷକମାନେ ଏଥିରେ ତରଙ୍ଗର ଜ୍ୟାମିତିକ ବିଚ୍ଛୁରଣ ତତ୍ତ୍ବକୁ ଉପଯୋଗ କରିଛନ୍ତି ଯାହା କୌଣସି ବସ୍ତୁର ଧାରରେ ଧକ୍କା ଖାଉଥିବା ତରଙ୍ଗର ଆଚରଣକୁ ବର୍ଣ୍ଣନା କରିଥାଏ। ଏ କ୍ଷେତ୍ରରେ ୱାଇ-ଫାଇ ସଂକେତଗୁଡ଼ିକ ତରଙ୍ଗ ଭାବରେ ବସ୍ତୁର ଧାରରେ ବିଚ୍ଛୁରିତ ହୋଇ ‘କେଲର କୋନ୍ସ’ ନାମକ ଆକୃତି ସୃଷ୍ଟି କରିଥାଏ। କିଛି ଜଟିଳ ଗଣିତ ଉପଯୋଗରେ ଏହି କୋନ୍ଗୁଡ଼ିକର ସଂରଚନା ଓ ଦିଗକୁ ବ୍ୟାଖ୍ୟା କରି କୌଣସି ଦୃଶ୍ୟର ପରିପ୍ରକାଶ ହୋଇପାରୁଛି। ଏହି ଜ୍ଞାନକୌଶଳକୁ ଅଧିକ ଶାଣିତ କରିବା ପାଇଁ ଆହୁରି ଉନ୍ନତ ଗବେଷଣାର ଆବଶ୍ୟକତା ରହିଥିବା ବେଳେ କାନ୍ଥ ସେପାଖେ ସ୍ଥିର ଥିବା ବଡ଼ ବଡ଼ ଅକ୍ଷରକୁ ୱିଫ୍ରାକ୍ଟ ଦ୍ବାରା ପଢ଼ାଯାଇପାରୁଛି। ସାମନ୍ୟତମ ଦୃଶ୍ୟ ମିଳୁନଥିବା ନିବୁଜ କୋଠରି ପରି ଇଲାକାରେ ୱିଫ୍ରାକ୍ଟକୁ ବ୍ୟବହାର କରି ବିପର୍ଯ୍ୟୟକାଳୀନ ଉଦ୍ଧାର ପରି କାର୍ଯ୍ୟ ସାଧନ ହୋଇପାରିବ ବୋଲି ଗବେଷକମାନେ ଆଶା ରଖିଛନ୍ତି।