ହିନ୍ଦୁ ଧର୍ମରେ ବିଧବା ନାରୀମାନଙ୍କ ପାଇଁ ବହୁ କଟକଣା ରହଛି। ଯୁଗ ବଦଳିବା ସଙ୍ଗେ ବହୁ କିଛି ପରିବର୍ତ୍ତନ ହୋଇ ସାରିଥିଲେ ହେଁ ଆଜି ବି କେତେକ ରୀତିନୀତି ସେହିଭଳି ଭାବେ ରହିଛି। ପୂର୍ବରୁ ରହିଥିବା ସତୀ ଦାହ ପ୍ରଥା ଅନୁଯାୟୀ ସ୍ୱାମୀ ମୃତ୍ୟୁବରଣ କଲେ ପତ୍ନୀଙ୍କୁ ସ୍ୱାମୀଙ୍କ ଚିତାଗ୍ନିରେ ଜିଅନ୍ତା ଜାଳି ଦିଆଯାଉଥିଲା। ମାତ୍ର ସମୟକ୍ରମେ ରାଜା ରାମ ମୋହନ ରାୟଙ୍କ ପ୍ରଚେଷ୍ଟାରେ ଏହି ପ୍ରଥା ଉଚ୍ଛେଦ କରାଯାଇଥିଲା। ମାତ୍ର ବିଧବା ନାରୀଟିଏ ଏବେ ବି ସମାଜର କେତେକ କଟକଣାରୁ ନିଜକୁ ମୁକ୍ତ କରିପାରି ନାହିଁ।
ପୁରାଣରେ ବର୍ଣ୍ଣିତ ଅଛି ଯେ ପତ୍ନୀ ଯଦି ଠିକ୍ ଭାବେ ନିଜକୁ ସଜେଇ କରି ସୁନ୍ଦର ଭାବେ ସ୍ୱାମୀଙ୍କ ସମ୍ମୁଖରେ ନ ଆସନ୍ତି ତେବେ ତାହା ସ୍ୱାମୀଙ୍କ ପାଇଁ ଅପମାନ। ନିଜ ସ୍ୱାମୀଙ୍କୁ ସମ୍ମାନ କରୁଥିବା ନାରୀ ନିଜ ଶରୀର ଓ ସୌନ୍ଦର୍ଯ୍ୟ ପ୍ରତି ସଚେତନଶୀଳ ହୋଇଥାନ୍ତି ବୋଲି କଥା ରହିଛି। ସ୍ୱାମୀଙ୍କ ମନ ଜିଣିବା ପାଇଁ ଭଲ ରୋଷେଇ ସହ ଭଲ ସଜେଇ ହେବା ନାରୀ ପକ୍ଷେ ଜରୁରୀ ହୋଇଥାଏ। ସ୍ୱାମୀଙ୍କ ସାମ୍ନାକୁ ବିନା କୌଣସି ପ୍ରସାଧନରେ ଯେଉଁ ପତ୍ନୀ ଯାଇଥାନ୍ତି ସେମାନେ ନିଜ ସ୍ୱାମୀଙ୍କୁ ବେଖାତିର କରନ୍ତି ବୋଲି ବିଶ୍ୱାସ ରହିଛି।
ବିଧବା ନାରୀଟିଏ ଧଳା ପୋଷାକ ପିନ୍ଧିବାର ଅର୍ଥ ହେଉଛି ମୃତ ସ୍ୱାମୀଙ୍କୁ ସମ୍ମାନ ଜଣାଇବା। ସ୍ୱାମୀଙ୍କ ଦେହାନ୍ତ ପରେ ପତ୍ନୀଙ୍କର ସଜେଇ ହେବାର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ଚିନ୍ତା କରି ପତ୍ନୀଙ୍କୁ ରଂଗୀନ ଦୁନିଆରୁ ଦୁରେଇ ରଖାଯାଏ। ଖାଲି ଧଳା ପୋଷାକ କାହିଁକି, ପତିଙ୍କ ମୃତ୍ୟୁ ପରେ ପତ୍ନୀଙ୍କୁ କୌଣସି ପ୍ରକାର ସାଜସଜା ହେବା ପାଇଁ ଶାସ୍ତ୍ର ବିରୋଧ କରେ। ଯେହେତୁ ସ୍ୱାମୀ ହରା ପତ୍ନୀ ନିଜର ସର୍ବସ୍ୱ ହରାଇଥାନ୍ତି ବୋଲି ବିଶ୍ୱାସ କରାଯାଏ ସେଥିପାଇଁ ସେମାନେ ଆମୀଷ ତ୍ୟାଗ କରି କେବଳ ବଞ୍ଚିବା ପାଇଁ ଖାଦ୍ୟ ଖାଇବାକୁ ଶ୍ରେୟ ମଣିବା ଉଚିତ ବୋଲି କଥା ରହିଛି।