୫୦ ବର୍ଷୀୟା ବିଧବା ମହିଳାଙ୍କୁ ମିଳିଲା ପ୍ରକୃତ ପ୍ରେମ: ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପ୍ରେମ କାହାଣୀ…

ନୂଆଦିଲ୍ଲୀ : ପ୍ରେମ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ବୟସ ନାହିଁ । ପ୍ରେମ କୌଣସି ବନ୍ଧନରେ ଆବଦ୍ଧ ହୁଏନା। ପ୍ରେମ ହେଉଛି ଶାଶ୍ୱତ । ସାଧାରଣତଃ ସମସ୍ତେ କହନ୍ତି, ପ୍ରେମ କରିବାର ଏକ ବୟସ ସୀମା ରହିଛି ଏବଂ ଏହା ଜୀବନରେ କେବଳ ଥରେ ହୋଇଥାଏ । ବର୍ତ୍ତମାନ ଏହି କଥାକୁ ଭୁଲ ପ୍ରମାଣିତ କରିଛନ୍ତି ବାଂଲାଦେଶର ୫୦ ବର୍ଷୀୟା କୋମୋଲା । ଜୀବନର ଏତେ ବର୍ଷ ପରେ ତାଙ୍କୁ ତାଙ୍କର ପ୍ରକୃତ ପ୍ରେମ ମିଳିଛି ଏବଂ ସମାଜର ଚିନ୍ତା ନକରି ନିଜର ଖୁସି ପାଇଁ କୋମୋଲା ତାହା ସହିତ ଜୀବନ ବିତାଉଛନ୍ତି । କୋମୋଲାଙ୍କ ଏହି ପ୍ରେମ କାହାଣୀକୁ ବାଂଲାଦେଶର ଫଟୋଗ୍ରାଫର ଜିଏମବି ଆକାଶ ନିଜର ଫେସବୁକ୍‌ ପେଜରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ତାହା ବହୁଳ ଭାବେ ଭାଇରାଲ ହୋଇଛି । ଆସନ୍ତୁ ଜାଣିବା କୋମୋଲାଙ୍କ ପ୍ରେମ କାହାଣୀ ସଂପର୍କରେ…
କୋମୋଲାଙ୍କ ବିବାହ ବହୁତ କମ ବୟସରେ ହୋଇଥିବା ବେଳେ ତାଙ୍କୁ ମାତ୍ର ୨୫ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଥିଲା । ଜଣେ ଏକୁଟିଆ ବିଧବା ମହିଳା ଭାବେ ସେ ନିଜର ଏବଂ ପରିବାରର ଭରଣପୋଷଣ କରିବା ପାଇଁ ଅନେକ ପ୍ରକାରର ଅସୁବିଧାର ସମ୍ମୁଖିନ ହୋଇଥିଲେ। ସେ ୨୦ ବର୍ଷ ପର୍ଯ୍ୟନ୍ତ ପାଉଁରୁଟି ଏବଂ ଅଣ୍ଡା ବିକ୍ରି କରି ନିଜ ପରିବାରର ଭରଣପୋଷଣ କରିଥିଲେ । ଏହି ସମୟରେ କୋମୋଲା ନିଜକୁ ଏକୁଟିଆ ଅନୁଭବ କରୁଥିଲେ ମଧ୍ୟ ସମାଜର ଭୟରେ ନିଜ ଭାବନାକୁ ଦମନ କରି ରଖୁଥିଲେ ।

BBN Community

କୋମୋଲା ଅଣ୍ଡା ଏବଂ ପାଉଁରୁଟି ବିକ୍ରି କରି ନିଜର ଦମ୍ଭରେ ଏକ ରେସ୍ତୋରାଁ ପ୍ରସ୍ତୁତ କରିଥିଲେ । ଦିନେ ତାଙ୍କ ରେସ୍ତୋରାଁକୁ ଜଣେ ମଜୁରିଆ ଖାଇବା ପାଇଁ ଆସିଥିଲେ । ପ୍ରଥମ ନଜରରେ କୋମୋଲା ସେହି ମଜୁରିଆଙ୍କୁ ଏତେ ପସନ୍ଦ ଆସିଥିଲେ ସେ ତାଙ୍କୁ ଦେଖାକରିବା ପାଇଁ ପ୍ରାୟ ସବୁଦିନ ରେସ୍ତୋରାଁକୁ ଆସିବା ଆରମ୍ଭ କରିଦେଲେ । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ସ୍ଥାପନ ହେବା ସହ ଦିନେ ମଜୁରିଆ ଜଣକ କୋମୋଲାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏଘଟଣା ସଂପର୍କରେ କୋମୋଲାଙ୍କ ପରିବାର ଲୋକଙ୍କୁ ଜଣାପଡ଼ିବାରୁ ସେମାନେ ଏହାର ପ୍ରତିବାଦ କରିବା ସହ ମଜୁରିଆଙ୍କୁ ମାଡ଼ ମାରି ତଡ଼ିଦେଇଥିଲେ । କିନ୍ତୁ ପ୍ରକୃତ ପ୍ରେମ କେବେ କାହାକୁ ଡ଼ରେନା। ଏଣୁ କିଛି ଦିନ ବ୍ୟବଧାନରେ ପୁଣିଥରେ ମଜୁରିଆ ଜଣକ କୋମୋଲାଙ୍କ ପାଖକୁ ଆସି ତାଙ୍କୁ ବିବାହ କରିବା ପାଇଁ ଆଉଥରେ ପ୍ରସ୍ତାବ ଦେଇଥିଲେ । ଏଥର କିନ୍ତୁ କୋମୋଲା ସମାଜ ଏବଂ ତାଙ୍କ ପରିବାରର ବିରୋଧରେ ଯାଇ ତାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଏହି ଦମ୍ପତି ୫ ବର୍ଷ ହେଲା ଏକା ସାଙ୍ଗରେ ରହିଛନ୍ତି । ଦମ୍ପତିଙ୍କ କାହାଣୀ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ଏହାକୁ ପ୍ରଚୁର ମାତ୍ରାରେ ସେୟାର କରାଯାଉଛି।

ସମ୍ବନ୍ଧିତ ଖବର