ବୃନ୍ଦାବନ: ଏ ସମାଜରେ ବିଧବା ହେଇ ବଞ୍ଚିବା ଏତେ ସହଜ ନୁହେଁ । ବିଧୁରା ଜୀବନ ବି ଅତିବାହିତ କରିବା ସରଳ ନୁହେଁ । ସମୟ ଥିବା ସ୍ବାମୀଟିଏ ମରିଗଲେ ତା ବିଧବା ପତ୍ନୀକୁ କେତେ କଥା ଶୁଣିବାକୁ ପଡୁଥିଲା, କେତେ ସମସ୍ୟାର ସାମ୍ନା କରିବାକୁ ପଡୁଥିଲା । ଯଦିଓ ଆଜି ସମୟ ବଦଳିଛି, ବିଧବା ହେବା ପରେ ବି ନାରୀଟିଏ ସଂଘର୍ଷ କରୁ ପଛେ ସ୍ବାଭିମାନର ସହ ବଞ୍ଚୁଛି ତ ପୁଣି କେଉଁଠି ବିଧବା ପରେ ବି ୨ୟ ବିବାହର ସୁଯୋଗ ସୃଷ୍ଟି ହେଉଛି... 

Advertisment

କିନ୍ତୁ ଅନେକ ବିଧବା ଅଛନ୍ତି ଯେଉଁମାନେ ସ୍ବାମୀଙ୍କ ମୃତ୍ୟୁ ପରେ ବୃନ୍ଦାବନ ଚାଲିଯାଉଛନ୍ତି । ସେଠାରେ ରହି ପ୍ରଭୁଙ୍କ ନାମ ଜପି ଜୀବନ ଅତିବାହିତ କରିବାର ନିଷ୍ପତ୍ତି ନେଇଛନ୍ତି । ବୃନ୍ଦାବନ- ଯେଉଁଠି ନିଜ ବାଲ୍ୟ ଅବସ୍ଥା ବିତାଇଥିଲେ ପ୍ରଭୁ ଶ୍ରୀକୃଷ୍ଣ ତାହା କାଇଁ କେଉଁ କାଳରୁ ବିଧବାମାନଙ୍କ ପାଇଁ ଆଶ୍ରୟଶ୍ଥଳୀ ପାଲଟିଛି ।  ସମାଜରୁ ଦୂରେଇ ଆସିଥିବା, ସମାଜରେ ଜଟିଳତାର ସହ ବଞ୍ଚୁଥିବା ଏହି ବିଧବାମାନେ ରଙ୍ଗର ପର୍ବ ପାଳିବାକୁ ସାହସ କରିପାରନ୍ତିନି । କାରଣ ଯେଉଁଠି ନିଜ ମଥାର ସିନ୍ଦୂର ଲିଭିଯାଇଛି, ଯେଉଁ ରଙ୍ଗ ହୋମକୁ ସାକ୍ଷୀ ରଖି ବିବାହ କରିବା ପରେ ଫିକା ପଡି ଯାଇଛି, ସେହି ଫିକା ଫିକା ଜୀବନରେ କାଳେ ପୁନଶ୍ଚ ରଙ୍ଗ ଭରିବା ବିଧବାଙ୍କ ପାଇଁ ଟିକେ ସଙ୍କୋଚ ଏବଂ କାଠିକର କାମ । ବିଧବାଟିଏ ହୋଲି ଖେଳିଲେ ବାର ଲୋକ ବାର କଥା କୁହନ୍ତି, ଆଖି ଟେକି ଅନାନ୍ତି...

ମାତ୍ର ବୃନ୍ଦାବନରେ ସେସବୁ ଲକ୍ଷ୍ମଣରେଖାକୁ ଲିଭାଇ ଦିଆଯାଇଛି । ଭଗବାନଙ୍କ ଦ୍ବାରରେ ସମସ୍ତେ ସମାନ । ପ୍ରଭୁଙ୍କ ପାଖରେ ପ୍ରତିଟି ଜୀବନ ରଙ୍ଗମୟ ତେଣୁ ବିଧବାଙ୍କ ପାଇଁ ଏଠି ପାଳନ ହୁଏ ହୋଲି । ଆଉ ରଙ୍ଗର ପର୍ବରେ ସମସ୍ତେ ଏଠି ହୋଲିରେ ମସଗୁଲ ହୁଅନ୍ତି । କୃଷ୍ଣଙ୍କ ପ୍ରେମରେ, କୃଷ୍ଣଙ୍କ ନାମରେ ପୁନଶ୍ଚ ଦେହରେ ମଥାରେ ବୋଳି ଦିଅନ୍ତି ଭକ୍ତିର ରଙ୍ଗ, ମୁକ୍ତିର ଅବିର, ପ୍ରାପ୍ତିର ପୁଳାପୁଳା ଫଗୁ ।