ଗୋଟିଏ କିଡ଼ନି ଦୁଇଟି ଜୀବନ, ସଂସାରରେ ଆସିଲା ପ୍ରେମ ଫଗୁଣ

ବୋୖଦ୍ଧାୟନ ଆଚାର୍ଯ୍ୟ

ସ୍ୱାମୀଙ୍କର ଦୁଇଟି ଯାକ କିଡ଼ନି ନଷ୍ଟ ହୋଇଯାଇଛି, ଗୋଟିଏ କିଡ଼ନି ତୁରନ୍ତ ଯୋଗାଡ଼ କରନ୍ତୁ, ନଚେତ ସେ ବଞ୍ଚିବେନି’ ଯାଜପୁର ବାଙ୍କୀପାଳର ନିହାରିକା ମିଶ୍ରଙ୍କୁ କିଛି ଏଭଳି କହିଥିଲେ ଡାକ୍ତର | ଏକଥା ଶୁଣି ଗୋଡ଼ତଳୁ ଖସିପଡିଥିଲା ମାଟି | କିଭଳି ନିଜ ସ୍ୱାମୀ ଲକ୍ଷ୍ମଣଙ୍କୁ ବଞ୍ଚାଇବେ, ଚିନ୍ତାରେ ପଡିଯାଇଥିଲେ ନିହାରିକା | ଡାକ୍ତରଙ୍କୁ କହିଥିଲେ ଅପରେସନ ଥିଏଟରକୁ ନିଅନ୍ତୁ, କିଡ଼ନିଟିଏ ବ୍ୟବସ୍ଥା ହୋଇଯିବ | ଅପରେସନ ବେଡ଼ରେ ନିସ୍ତେଜ ଅବସ୍ଥାରେ ଲକ୍ଷ୍ମଣ ଥିବାବେଳେ ଡାକ୍ତରଙ୍କ ପାଖକୁ ଆସି ତାଙ୍କର ଦୁଇଟି କିଡ଼ନିରୁ ଗୋଟିଏ ସ୍ୱାମୀଙ୍କ ଶରୀରରେ ଲଗାଇବାକୁ କହିଥିଲେ | ଏହା ପରେ ଡାକ୍ତର ନିହାରିକାଙ୍କ ଗୋଟିଏ କିଡ଼ନି ଲକ୍ଷ୍ମଣଙ୍କ ଶରୀରରେ ପ୍ରତିରୋପଣ କରିଥିଲେ | ବଂଚିଯାଇଥିଲେ ଲକ୍ଷ୍ମଣ, ଖୋଜିଥିଲେ କିଏ ଦେଇଛନ୍ତି ଜୀବନର ନୂଆ ଆଶା | ଜାଣିଥିଲେ ତାଙ୍କ ପାଇଁ ପତ୍ନୀ ତ୍ୟାଗଟିଏ କରିଛନ୍ତି |

୨୦୦୮ ମସିହାରେ ଦୁହିଁଙ୍କ ମନ ମିଶିଥିଲା, ଆଉ ଦୁହେଁ ପ୍ରେମରେ ପଡ଼ିଥିଲେ | ଏହା ପରେ ବିବାହ କରିଥିଲେ ଲକ୍ଷ୍ମଣ-ନିହାରିକା | | ବଲାଙ୍ଗୀରରେ ପରିବାରର ମୂଳଦୁଆ ପକାଇ ଢେର ସ୍ବପ୍ନକୁ ନେଇ ଗଢ଼ିଥିଲେ ନିଜର କୁନି ସଂସାର | ସେମାନଙ୍କ ଔରସରୁ ଜନ୍ମ ହୋଇଥିଲେ ଝିଅ ବର୍ଷା ଓ ପୁଅ ବାଦଲ | ଲେଡ଼ିଜ କର୍ଣ୍ଣରଟିଏ କରି ଲକ୍ଷ୍ମଣ ନିଜ ସୁଖ ଦୁଃଖ ସଂସାର ଚଳାଇଥିବାବେଳେ ୨୦୧୭ ମସିହାରେ ହଠାତ ଦିନେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ | ପରୀକ୍ଷାରୁ ଜଣାପଡିଥିଲା ଯେ ଦୁଇଟି ଯାକ କିଡ଼ନି ନଷ୍ଟ ହୋଇଯାଇଛି | ଭାଙ୍ଗିପଡିଥିଲେ ଲକ୍ଷ୍ମଣ, ଠିକ ଏହି ସମୟରେ ସ୍ତ୍ରୀ ନିହାରିକା ସାହସ ଦେଇଥିଲେ | ମେଡିକାଲରେ ଯେତେବେଳେ ଡାକ୍ତର ଲକ୍ଷ୍ମଣଙ୍କ ଶେଷ ସମୟ ଆସିଯାଇଛି ଓ ତୁରନ୍ତ କିଡ଼ନିଟିଏ ଦରକାର ବୋଲି କହିଥିଲେ, ନିହାରିକା ଆଗେଇ ଆସି କହିଥିଲେ କିଡ଼ନିଟିଏ ସେ ଦେବେ | ଏହା ପରେ ଲକ୍ଷ୍ମଣଙ୍କ ଶରୀରରେ କିଡ଼ନିଟିଏ ପ୍ରତିରୋପଣ ପରେ ଏବେ ଉଭୟ ହସ-ଖୁସିରେ ଅଛନ୍ତି |

ନିହାରିକା କହିଥିଲେ କେବଳ ଗୋଟିଏ କଥା ପ୍ରେମ ପରା କରିଛି, ଅଧା ବାଟରେ କେମିତି ତୁମକୁ ଛାଡ଼ିବି | 

ମୋବାଇଲ ଦୁନିଆରେ କଥା କଥାକେ କେତେବେଳେ ପ୍ରେମିକା କାହା ହାତ ଧରି ଚାଲିଯାଉଥିବାବେଳେ ଆଉ କେତେବେଳେ ପ୍ରେମିକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ମଧ୍ୟ ଭାଇରାଲ କରିବାକୁ ମଧ୍ୟ ପଛାଉନାହିଁ | କିନ୍ତୁ ଏହି ପ୍ରେମ କାହାଣୀ ଦୁହିଁଙ୍କୁ ଦୂରେଇନି ବରଂ ଏକାଠି ରଖି ଇସ୍କର ରଙ୍ଗରେ ଭିଜାଇଚାଲିଛି |

ସମ୍ବନ୍ଧିତ ଖବର