କେହି ପଚାରିଲେନି, ନିଜେ ସ୍ୱାମୀଙ୍କ ଜୁଇରେ ନିଆଁ ଦେଲେ ପତ୍ନୀ

ବିନିକା: ମଥାରୁ ସିନ୍ଦୂର ଲିଭିଯାଇଛି, ହାତରୁ ଶଙ୍ଖା ଭାଙ୍ଗିଯାଇଛି କିନ୍ତୁ ନିଜ ସ୍ୱାମୀଙ୍କ ପ୍ରତି ଥିବା ଭଲପାଇବା ଓ ଦାୟିତ୍ୱବୋଧ କମିନଥିଲା, ଠିକ ସେଥିପାଇଁ ତ ତମାମ ବାସନ୍ଦକୁ ବି ଖାତିର ନ କରି ନିଜ ସ୍ୱାମୀଙ୍କ ଚିତାରେ ନିଆଁ ଦେଇଛନ୍ତି | ସାତ ଜନ୍ମର ସାଥି ହେବାକୁ ସ୍ୱାମୀ ଚନ୍ଦ୍ରମଣିଙ୍କୁ କଥା ଦେଇଥିଲେ ପତ୍ନୀ ପାର୍ବତୀ | ନିଜର ପ୍ରିୟ ମଣିଷର ବିୟୋଗରେ କେମିତି ବା ନିରବ ରହିଯାଇଥାନ୍ତେ | ଗାଁ ସିନା ବାସନ୍ଦ କରିଦେଇଥିଲା, କିନ୍ତୁ ଇହକାଳ ପରକାଳର ଦେବତା ଥିବା ଚନ୍ଦ୍ରମଣିଙ୍କ ସ୍ନେହ ଓ ଭଲପାଇବାକୁ ଭୁଲିପାରିନଥିଲେ ପାର୍ବତୀ | ଗାଁ ଲୋକ ସାଥ ଦେଇନଥିଲେ ବି ନିଜେ ସ୍ୱାମୀଙ୍କ ସଂସ୍କାର କରି ଉଦାହରଣ ସୃଷ୍ଟି କରିଛନ୍ତି |

ଭାଇ ଜିଉଁନ୍ତିଆ ପାଇଁ ଭାଇ ଘରକୁ ଯାଇଥିଲେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଡୁଙ୍ଗୁରିପାଲି ଥାନା ତମାମୁରା ଗାଁର ପାର୍ବତୀ ଭୋଇ | ୨ ଦିନ ତଳେ ଶୁଣିବାକୁ ପାଇଥିଲେ ସ୍ୱାମୀ ଚନ୍ଦ୍ରମଣି ଭୋଇ(୬୨ ବର୍ଷ) କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି | ତେବେ ଶୁକ୍ରବାର ଅପରାହ୍ନରେ ସ୍ୱାମୀଙ୍କର ମୃତଦେହ କେନାଲରେ ଭାସୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା | ଏହାପରେ ବିନିକା ଡାକ୍ତରଖାନାରେ ବ୍ୟବଛେଦ ପରେ ପାର୍ବତୀଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା |

ସ୍ୱାମୀଙ୍କ ମୃତଦେହକୁ ସଂସ୍କାର କରିବାକୁ ପାର୍ବତୀ ଗାଁ ଲୋକଙ୍କୁ କହିଥିଲେ ବି ଗାଁ ଲୋକ ଚନ୍ଦ୍ରମଣିଙ୍କ ପରିବାରକୁ ବାସନ୍ଦ କରିଥିବାରୁ କେହି ଆସିନଥିଲେ | ତଥାପି ହାରିନଥିଲା ପାର୍ବତୀଙ୍କ ମନ | ବିନିକା ପାପକ୍ଷୟ ଘାଟରେ ସ୍ତ୍ରୀ ପାର୍ବତୀ ଭୋଇ ମୁଖାଗ୍ନି ଦେଇଥିଲେ | ପାର୍ବତୀଙ୍କ ଏହି ଲଢେଇରେ ତାଙ୍କ ଗ୍ରାମର ସ୍ଵେଚ୍ଛାସେବୀ ତଥା ତମାମୁରା ସରପଞ୍ଚ ପଞ୍ଚାନନ ବରିହାଙ୍କ ସହ ପରେଶ ପ୍ରଧାନ,ଜଗଦୀଶ ବାରିକ, ପ୍ରକାଶ ପାଣ୍ଡେ ,ସୁରେନ୍ଦ୍ର ପାଣ୍ଡେ, ବୃଷଭ ଭୋଇ, ଶେଷଦେବ ପୋଢ, ସୁରେନ୍ଦ୍ର ରାବଣ ଓ ବିଶ୍ବ ବାରିକ ଉପସ୍ଥିତ ଥିଲେ |

ସମ୍ବନ୍ଧିତ ଖବର