ଆତଙ୍କବାଦୀଙ୍କ ସହ ଲଢ଼ି ସ୍ୱାମୀ ସହିଦ୍‌ ହୋଇଥିଲେ, ଏବେ ଶିକ୍ଷକତା ଛାଡ଼ି ସେନାରେ ଯୋଗ ଦେଲେ ପତ୍ନୀ

ଚେନ୍ନାଇ : ରବିବାର ତାମିଲନାଡୁର ରାଜଧାନୀ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଙ୍ଗ୍‌ ଏକାଡେମିର ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ରଖା ଯାଇଥିଲା । ଏହି ପରେଡ୍‌ରେ ସେନାକୁ ଅନେକ ବାହାଦୂର ଅଫିସର ମିଳିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ  ସଙ୍ଗୀତା ମାଲ । ପାସିଙ୍ଗ୍‌ ଆଉଟ୍‌ ପରେଡ୍‌ ପରେ ସଙ୍ଗୀତାଙ୍କ ନାଁକୁ ନେଇ ଅନେକ ଚର୍ଚ୍ଚା । ସଙ୍ଗୀତାଙ୍କ ସ୍ୱାମୀ ଭାରତୀୟ ସେନାରେ ଯବାନ ଥିବା ବେଳେ ଏବେ ସେ ଭାରତୀୟ ସେନାର ଅଫିସର ହୋଇ ଯୋଗ ଦେଇଛନ୍ତି । କାଲି ଥିବା ଶିକ୍ଷୟତ୍ରୀ ସଙ୍ଗୀତା ମାଲ ଆଜି ଲେଫ୍ଟନାଣ୍ଟ ସଙ୍ଗୀତା ପାଲଟିଛନ୍ତି ।

oneindia.com

ସୂଚନା ମୁତାବକ, ସଙ୍ଗୀତା ପୂର୍ବରୁ ଜଣେ ଶିକ୍ଷୟତ୍ରୀ ଥିଲେ । ୨୦୧୩ରେ ସେ ଶିଶିର ମାଲଙ୍କୁ ବିବାହ କରିଥିଲେ । ଶିଶିର ଗୋର୍‌ଖା ରାଇଫଲ୍‌ସରେ କାମ କରୁଥିବା ବେଳେ ଜମ୍ମୁ-କଶ୍ମୀରର ବାରାମୁଲାରେ ମୁତୟନ ଥିଲେ । କିନ୍ତୁ ସେପ୍ଟେମ୍ବର ୨୦୧୫ରେ ଆତଙ୍କବାଦୀଙ୍କ ସହ ଲଢ଼ିବା ସମୟରେ ଶିଶିର ସହିଦ୍‌ ହୋଇ ଯାଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସଙ୍ଗୀତା ଶିକ୍ଷକତା ଛାଡ଼ି ନିଜ ଶାଶୁଙ୍କ ସହ ସମୟ ବିତାଇବା ଆରମ୍ଭ କରିଥିଲେ । ଏହି ସମୟରେ ସ୍ୱାମୀଙ୍କ ବିୟୋଗର ଦୁଃଖ ପାଇଁ ତାଙ୍କର ଗର୍ଭପାତ ମଧ୍ୟ ହୋଇ ଯାଇଥିଲା । ଜୀବନରେ ସଙ୍ଗୀତା ଆଗକୁ କ’ଣ କରିବେ କିଛି ବୁଝିପାରୁ ନଥିଲେ । କିନ୍ତୁ ୨୦୧୬ରେ ଶିଶିରଙ୍କୁ ମରଣୋପରାନ୍ତ ସେନା ମେଡାଲରେ ସମ୍ମାନିତ କରାଯାଇଥିଲା । ଯାହାକୁ ଗ୍ରହଣ କରିଥିଲେ ପତ୍ନୀ ସଙ୍ଗୀତା । ଏହି ସମ୍ମାନ ଗ୍ରହଣ କରିବା ପରେ ତାଙ୍କ ମନରେ ସେନାରେ ଯୋଗ ଦେବାର ଇଚ୍ଛା  ହୋଇଥିଲା । ଯାହା ପରେ ସେ ଓଟିଏର ପରୀକ୍ଷାରେ ସଫଳ ହେବା ପାଇଁ କଠୋର ପରିଶ୍ରମ କରିବା ଆରମ୍ଭ କରି ଦେଇଥିଲେ । ଏତେ ଚେଷ୍ଟା କରିବା ପରେ ଏବେ ସଙ୍ଗୀତା ସର୍ଟ ସର୍ଭିସ୍‌ କମିଶନରେ ଲେଫ୍ଟନାଣ୍ଟ ଭାବରେ ସେନାରେ ଯୋଗ ଦେଇଛନ୍ତି ।

ସମ୍ବନ୍ଧିତ ଖବର