ନୂଆଦିଲ୍ଲୀ: କିଛି ଦିନ ତଳେ ୟୁପିର ବରେଲିରେ ଏସଡିଏମ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ବିବାଦ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଜ୍ୟୋତି ଏବଂ ଆଲୋକ ପରସ୍ପର ବିରୋଧରେ ଅନେକ ଅଭିଯୋଗ କରିଥିଲେ। ଜ୍ୟୋତିଙ୍କ ସ୍ୱାମୀ ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ସେ ଅଭିଯୋଗ କରିଥିଲେ ଯେ ସେ ଜ୍ୟୋତିଙ୍କୁ ପିସିଏସ ହେବାରେ ସମର୍ଥନ କରିଥିଲେ ଏବଂ ତାଙ୍କ ପ୍ରସ୍ତୁତି ଓ ଅଧ୍ୟୟନକୁ ମଧ୍ୟ ସମର୍ଥନ କରିଥିଲେ। କିନ୍ତୁ ଏସଡିଏମ ହେବା ପରେ ଜ୍ୟୋତି ଅନ୍ୟ ଜଣେ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଧୋକା ଦେଇଥିଲେ। ଏହି ଧୋକା ଦେବାର କାହାଣୀ ମଧ୍ୟରେ ଏବେ ସଞ୍ଜନା ଓ ଜିତେନ୍ଦ୍ରଙ୍କ କାହାଣୀ ସାମ୍ନାକୁ ଆସିଛି। ସବୁ ପତ୍ନୀ ଜ୍ୟୋତି ନୁହନ୍ତି ବୋଲି ଏହି କାହାଣୀ ପ୍ରମାଣ କରିଛି।

Advertisment

ସୂଚନା ମୁତାବକ, ୨୦୦୨ମସିହାରେ, ବିହାରରେ ରହୁଥିବା କୁମାରୀ ସଞ୍ଜନା, ଜିତେନ୍ଦ୍ର ଶାର୍ଦୁଲଙ୍କୁ ବିବାହ କରିଥିଲେ। ସଞ୍ଜନାଙ୍କ ପିତା ମୁଙ୍ଗେରରେ ବିଦ୍ୟୁତ୍ ବିଭାଗରେ ଲାଇନ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ। କୌଣସି ପୁଅ ନଥିବାରୁ ସଞ୍ଜନାଙ୍କ ପିତା ଜିତେନ୍ଦ୍ରଙ୍କୁ ଘର ଜ୍ୱାଇଁ କରିବା ଉଦ୍ଦେଶ୍ୟରେ ତାଙ୍କ ସହ ଝିଅର ବିବାହ କରିଥିଲେ। କିନ୍ତୁ ଜିତେନ୍ଦ୍ର ଘର ଜ୍ୱାଇଁ ହେବାକୁ ରାଜି ହୋଇନଥିଲେ। କାରଣ ସେ ଅନ୍ୟ କାହା ଉପରେ ନିର୍ଭରଶୀଳ ନହୋଇ ନିଜେ ରୋଜଗାରକ୍ଷମ ହେବାକୁ ଚାହୁଥିଲେ।

କୁହାଯାଉଛି ଯେ, ଘରର ଆର୍ଥିକ ଅବସ୍ଥା ଭଲନଥିବାରୁ ଜିତେନ୍ଦ୍ର ପାଠ ପଢ଼ିପାରିନଥିଲେ। ହେଲେ ପାଠ ପଢ଼ି ସରକାରୀ ଚାକିରି କରିବାର ଇଚ୍ଛା ତାଙ୍କର ମଧ୍ୟ ଥିଲା। ସ୍ବାମୀଙ୍କ ଏଭଳି ଇଚ୍ଛ‌ା ଥିବା ଜାଣି ସଞ୍ଜନା ନିଜର ଗହଣା ବିକିଦେବା ସହ ସେଥିରୁ ମିଳିଥିବା ଟଙ୍କାରେ ଜିତେନ୍ଦ୍ରଙ୍କୁ ପାଠ ପଢ଼ାଇଥିଲେ। କିଛି ବର୍ଷ ପରେ ଏହାର ସୁଫଳ ତାଙ୍କୁ ମିଳିଥିଲା। ୨୦୦୭ରେ ଜିତେନ୍ଦ୍ର ସରକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ସ୍ବାମୀଙ୍କୁ ସଫଳ କରାଇବା ପରେ ସଞ୍ଜନା ନିଜେ ମଧ୍ୟ ସରକାରୀ ଚାକିରି ପାଇଁ ‌ଚେଷ୍ଟା କରିଥିଲେ। ଏହାର ଫଳସ୍ବରୂପ ୨୦୧୪ରେ ତାଙ୍କୁ ସରକାରୀ ଚାକିରି ମିଳିଥିଲା। ସଞ୍ଜନା ବର୍ତ୍ତମାନ ଖୈରା ବ୍ଲକରେ ଆବାସିକ ସହାୟିକା ଭାବରେ କାର୍ଯ୍ୟ କରୁଛନ୍ତି।