ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ଶିମିଳିପାଳ ଜୈବ ପରିବେଶ ଏହି ଅଂଚଳର ସମୃଦ୍ଧ ଭୂଗୋଳ ଓ ଜୈବ ବିବିଧତାର ପ୍ରମାଣ। ପକ୍ଷୀ ବିବିଧତା ଏହାର ଅନ୍ୟତମ ସ୍ବାତନ୍ତ୍ରୢ। ଏଠାରେ ୨୩୦ରୁ ଅଧିକ ପକ୍ଷୀ ପ୍ରଜାତି ବାସ କରନ୍ତି। ସେ ଭିତରୁ ଭାରତୀୟ କୋଚିଳା ଖାଇ (ପାଇଡ୍ ହର୍ନବିଲ୍), ଜଙ୍ଗଲୀ ବଣି (ହିଲ ମଇନା), ଘରୋଇ କୁକୁଡ଼ା (ରେଡ ଜଙ୍ଗଲ ଫୋଲ୍‌), ମୟୂର (କମନ ପିଫୋଲ୍‌), ରେଡ୍‌ ସ୍ପରଫୋଲ୍‌, ପେଂଟେଡ୍‌ ସ୍ପର୍‌ଫୋଲ୍‌ ଓ ବିଭିନ୍ନ ରାପ୍ଟର୍‌ ଅନ୍ୟତମ।
ସ୍ଥାନୀୟ ମୟୂର (କମନ୍ ପିଫୋଲ୍) ପ୍ରଜାତି ଯୋଗୁଁ ଶିମିଳିପାଳ ଅଭୟାରଣ୍ୟର ଶୋଭା ବର୍ଦ୍ଧିତ ହୋଇଥାଏ। ଏହି ପକ୍ଷୀମାନେ ବିହନ ବିସ୍ତାର ଓ କୀଟ ନିୟନ୍ତ୍ରଣରେ ସହଯୋଗ କରି ପରିବେଶ ସନ୍ତୁଳନ ରକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏଠାକାର ଅନ୍ୟ ଏକ ଆକର୍ଷଣୀୟ ପକ୍ଷୀ ହେଲା ଘରୋଇ କୁକୁଡ଼ା (ରେଡ୍ ଜଙ୍ଗଲଫାଉଲ୍)। ଏମାନଙ୍କ ଉପସ୍ଥିତି ଶିମିଳିପାଳର ଆକର୍ଷଣ ବଢ଼ାଏ। ପୁରୁଷ କୁକୁଡ଼ାର ନାଲି, ସୁନେଲି ଓ ସବୁଜ ରଙ୍ଗର ମିଶ୍ରିତ ପର ଖୁବ୍‌ ଆକ‌ର୍ଷଣୀୟ। ଏହା ବ୍ୟତୀତ ବୃକ୍ଷ ପୁନଃନିର୍ମାଣରେ ଏହି କୁକୁଡ଼ାମାନଙ୍କର ମୁଖ୍ୟ ଭୂମିକା ରହିଛି। ଏମାନେ ତାଙ୍କ ଥଣ୍ଟ ମାଧ୍ୟମରେ ବିହନ ବିସ୍ତାର କରି ଅଙ୍କୁରୋଦଗମରେ ସାହାଯ୍ୟ କରିଥାନ୍ତି। ଏହି ପ୍ରଜାତିର କୁକୁଡ଼ାଙ୍କ ଯୋଗୁ କୀଟମାନଙ୍କ ସଂଖ୍ୟା ମଧ୍ୟ ନିୟନ୍ତ୍ରିତ ହୋଇଥାଏ ଏବଂ ଜଙ୍ଗଲ ଜୀବନର ସୂକ୍ଷ୍ମ ସନ୍ତୁଳନ ସୁରକ୍ଷିତ ରହେ।

Advertisment

ଶିମିଳିପାଳର ଚିତ୍ରିତ ‘ପେଂଟେଡ୍‌ ସ୍ପର୍‌ଫୋଲ୍‌’ର କେତେକ ପୃଥକ୍‌ ବୈଶିଷ୍ଟ୍ୟ ଏହି ଅଂଚଳର ଜୈବବିବିଧତା ପାଇଁ ଉପଯୋଗୀ ହୋଇଥାଏ। ଭିନ୍ନ ମୁଖଚିହ୍ନ ତଥା କ୍ଷୁଦ୍ର ଓ ସାମାନ୍ୟ ବକ୍ର ଥଣ୍ଟଧାରୀ ‘ପେଂଟେଡ୍‌ ସ୍ପର୍‌ଫୋଲ୍‌’ ଅନ୍ୟ ଫାଉଲ୍‌ ପକ୍ଷୀ ଠାରୁ ଭିନ୍ନ। ଏମାନେ ମଞ୍ଜି, କୀଟପତଙ୍ଗ ଆଦି ଖାଦ୍ୟ ଅନ୍ୱେଷଣରେ ଘନ ଜଙ୍ଗଲରେ ବିଚରଣ କରନ୍ତି। ତାଙ୍କର ଏହି ଖାଦ୍ୟ ଅଭ୍ୟାସ କୀଟଙ୍କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଘରୋଇ କୁକୁଡ଼ାଙ୍କ ପରି ଏହି ପ୍ରଜାତି ମଧ୍ୟ ଶିମିଳିପାଳର ଆଖପାଖରେ ରହୁଥିବା ଅନୁସୂଚିତ ଜନଜାତିଙ୍କ ସଂସ୍କୃତିର ଏକ ପ୍ରତୀକ।

ରେଡ୍‌ ସ୍ପର୍‌ଫୋଲ୍‌ ମଧ୍ୟ ଏକ ବନ୍ୟ କୁକୁଡ଼ା ପ୍ରଜାତିର ପକ୍ଷୀ ଯାହା କି ଶିମିଳିପାଳର ଘନ ପାହାଡ଼ ଜଙ୍ଗଲରେ ଦେଖିବାକୁ ମିଳେ। ଏମାନେ ସାଧାରଣତଃ ଲାଜକୁଳା ସ୍ୱଭାବର। ତାଙ୍କ ଆଖି ପତାର ଚାରିପଟେ ନାଲି ରଙ୍ଗର ଚର୍ମ ଥାଏ, ତେଣୁ ସେମାନେ ରେଡ୍‌ ସ୍ପର୍‌ଫୋଲ୍‌ ନାମରେ ନାମିତ। ଉଭୟ ପୁରୁଷ ଓ ମହିଳା ରେଡ୍ ସ୍ପର୍‌ଫୋଲ୍‌ ଦେଖିବାକୁ ଏକାପରି। ଏହି ପ୍ରଜାତିର କୁକୁଡ଼ାମାନେ ତାଙ୍କର ଉଚ୍ଚ ଓ ସ୍ୱତନ୍ତ୍ର ପ୍ରକାରର ଡାକ ପାଇଁ ପ୍ରସିଦ୍ଧ। ଉପରବର୍ଣ୍ଣିତ ପକ୍ଷୀମାନଙ୍କ ପରି ଏମାନେ ମଧ୍ୟ ବିହନ ବିସ୍ତାର କରନ୍ତି ଓ କୀଟପତଙ୍ଗ ଜନସଂଖ୍ୟାକୁ ନିୟନ୍ତ୍ରଣ କରି ପରିବେଶର ସନ୍ତୁଳନ ରକ୍ଷା କରିଥାନ୍ତି।
ବାସସ୍ଥାନ ନଷ୍ଟ, ଶିକାର ଓ ଅନ୍ୟାନ୍ୟ କାରଣରୁ ଶିମିଳିପାଳର ବନ୍ୟ କୁକୁଡ଼ା ପ୍ରଜାତିଙ୍କ ଉପରେ ବିପଦ ସୃଷ୍ଟି ହେଉଛି। ତେଣୁ ଏମାନଙ୍କ ସଂରକ୍ଷଣର ପ୍ରୟାସ ଅତ୍ୟନ୍ତ ଜରୁରୀ।
-ଡକ୍ଟର ପଙ୍କଜିନୀ ବଳ
ଗବେଷିକା, ବନସ୍ପତି ଅନୁସନ୍ଧାନ ସଂସ୍ଥାନ, ଲକ୍ଷ୍ନୌ