ନୂଆଦିଲ୍ଲୀ: ପୁଣି ୧୦୦୦ ଟଙ୍କିଆ ଫେରିବା ନେଇ ହେଉଥିବା ଚର୍ଚ୍ଚା ସମ୍ପର୍କରେ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନଗାରିୟା କହିଛନ୍ତି ଯେ ଲୋକମାନେ ଏବେ ୫୦୦ ଟଙ୍କିଆ ଓ ତା’ଠାରୁ କମ୍ ନୋଟ୍ରେ କାରବାର କରୁଛନ୍ତି। ତେଣୁ ୧୦୦୦ ଟଙ୍କିଆର ସେମିତି କିଛି ଆବଶ୍ୟକତା ନାହିଁ।
ସେ କହିଛନ୍ତି ଯେ ୨୦୨୧ରେ ଆମେରିକାର ମୁଣ୍ଡପିଛା ଆୟ ଥିଲା ୭୦,୦୦୦ ଡଲାର। ସେଠାରେ ପ୍ରଚଳନରେ ଥିବା ସବୁଠୁ ବଡ଼ ନୋଟ୍ ହେଉଛି ୧୦୦ ଡଲାର। ଭାରତର ମୁଣ୍ଡପିଛା ଆୟ ହେଉଛି ୧,୭୦,୦୦୦ ଟଙ୍କା। ଆମେରିକା ତୁଳନାରେ ଭାରତରେ ସବୁଠୁ ବଡ଼ ନୋଟ୍ ୨୪୩ ଟଙ୍କା ହେବା କଥା।
ସେହିପରି, ଅର୍ଥ ସଚିବ ଟିଭି ସୋମନାଥ କହିଛନ୍ତି, ୫୦୦ ଟଙ୍କିଆ ଦେଶର ବଡ଼ ନୋଟ୍ ହୋଇରହିବ। ସେ କହିଛନ୍ତି ଯେ ୟୁରୋପରେ ୧୦୦ ୟୁରୋ ବଡ଼ ନୋଟ୍ ହୋଇଥିବା ବେଳେ ଆମେରିକାରେ ୧୦୦ ଡଲାର ବଡ଼ ନୋଟ୍। ବଡ଼ ନୋଟ୍ ମୂଲ୍ୟ ହ୍ରାସ ପାଇଲେ ବେଆଇନ କାରବାର କଷ୍ଟକର ହୋଇଥାଏ। ସାରା ବିଶ୍ବରେ ଏହି ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି।