ଶୁଚିସ୍ମିତା ବାରିକ

Advertisment

ଏବେ ପଲିଥିନ୍‌ର ବ୍ୟବହାର ବନ୍ଦ କରିବାକୁ ପରିବେଶ ସୁରକ୍ଷାକର୍ମୀ ଓ ସଂଗଠନଗୁଡ଼ିକ ଆହ୍ବାନ ଦେଇ ଆସୁଛନ୍ତି। ହେଲେ ଆଜିକାଲି କ୍ଷୀର, ସଉଦା ପରିବାଠାରୁ ନେଇ ଖାଦ୍ୟଦ୍ରବ୍ୟ, ଔଷଧ ଓ ପୋଷାକ ପରିଚ୍ଛଦ ପର୍ଯ୍ୟନ୍ତ ସବୁ ଜିନିଷ ଆମେ ପଲିଥିନ୍ ବ୍ୟାଗ୍‌ରେ ଆଣୁଛେ। ୩୫-୪୦ ବର୍ଷ ପଛକୁ ଫେରିଯାଆନ୍ତୁ, ସେତେବେଳେ ପଲିଥିନ୍ କ୍ୟାରି ବ୍ୟାଗ୍‌ର ପ୍ରଚଳନ ନଥିଲା। ୮୦ ଦଶକ‌େର ଭାରତରେ ପଲିଥିନ୍ ବ୍ୟାଗ୍ ଆସିବା ପୂର୍ବରୁ କପଡ଼ା ତିଆରି ବ୍ୟାଗ୍‌ ଜିନିଷପତ୍ର ‌େନବା ଆଣିବା ପାଇଁ ବ୍ୟବହୃତ ହେଉଥିଲା। ଦୋକାନରୁ ସଉଦାପତ୍ର ଓ ଶୁଖିଲା ଖାଦ୍ୟ ସାମଗ୍ରୀ ଆଣିବା ଲାଗି ବ୍ୟବହାର ହେଉଥିଲା କାଗଜଠୁଙ୍ଗା। ପୁରୁଣା ଖବରକାଗଜରେ ତିଆରି ଠୁଙ୍ଗାଠାରୁ ନେଇ ଦାମୀ କାଗଜରେ ତିଆରି ଠୁଙ୍ଗା ନିତିଦିନିଆ ଆବଶ୍ୟକତା ପୂରଣ କରୁଥିଲା।    

ଅନ୍ୟପକ୍ଷରେ ଠୁଙ୍ଗା ତିଆରି ଏକ କୁଟୀର ଶିଳ୍ପରେ ପରିଣତ ହୋଇଥିଲା। ଅନେକ ଗୁଜୁରାଣ ମେଣ୍ଟାଇବା ପାଇଁ ଏହାକୁ ବେଉସା କରିଥିଲେ। ପୂରା ପରିବାର ଠୁଙ୍ଗା ତିଆରିରେ ଲାଗିଯାଉଥିଲେ। ପୁରୁଣା କାଗଜ ଓ ମଇଦା ଅଠା ହୋଇଗଲେ ବିଭିନ୍ନ ଆକାରର ଠୁଙ୍ଗା ପ୍ରସ୍ତୁତ ହେଇଯାଉଥିଲା। ଅଧକିଲିଆ, କିଲିକିଆରୁ ନେଇ ପାଞ୍ଚକିଲିଆ ପର୍ଯ୍ୟନ୍ତ ଠୁଙ୍ଗା ବଜାରରେ ଚଳୁଥିଲା। ପୁରୁଣା ଭୁବନେଶ୍ବରରେ ଥିବା ରଞ୍ଜିତା ଗ୍ରୋସରିର ସତ୍ତ୍ବାଧିକାରୀ କହନ୍ତି, ‘‘୧୯୭୯ ମସିହାରେ ମୁଁ ଦୋକାନ ଆରମ୍ଭ କରିବା ବେ‌ଳେ ଠୁଙ୍ଗାରେ ହିଁ ଦିଆନିଆ ହେଉଥିଲା। ସେତେବେଳେ ଠୁଙ୍ଗା କିଲୋ ୧୦ଟଙ୍କା ଥିଲା। ଶହେଗ୍ରାମ୍‌ରୁ ନେଇ ପାଞ୍ଚକିଲୋଯାଏ ଜିନି‌ଷ ଦେବାକୁ ଠୁଙ୍ଗା ମିଳୁଥିଲା। ବେପାରୀ ଆଣି ଠୁଙ୍ଗା ଦେଇଯାଉଥିଲେ। କ୍ରମେ ଠୁଙ୍ଗା ବ୍ୟବହାର କମିଲା ଓ ଦର ବଢ଼ିଲା। ‌େ‌ଶଷବେଳକୁ ମୁଁ କିଲୋ ୨୫-୩୦ଟଙ୍କା ଦେଇ ଠୁଙ୍ଗା କିଣିଛି। ଏବେ ବି କୋଲ୍‌କାତାରେ ଠୁଙ୍ଗାର ବ୍ୟବହାର ଅଛି।’’

ସେହିପରି ଠୁଙ୍ଗା ବ୍ୟବସାୟ କରୁଥିବା ଭୁବନେଶ୍ବର ଗଙ୍ଗନଗରର ୫୩ ବର୍ଷୀୟା ଜୟନ୍ତୀମାଳା ଚୌଧୁରୀ କହନ୍ତି, ‘‘ବାପା ଠୁଙ୍ଗା ବ୍ୟବସାୟରେ ଥିଲେ। ତେଣୁ ମୁଁ ଠୁଙ୍ଗା ତିଆରି ଶିଖିଥିଲି। ବିବାହ ପରେ ଠୁଙ୍ଗା କରିବାକୁ ଇଚ୍ଛା ହେଲା। ସ୍ବ‌ାମୀ ବସନ୍ତ କୁମାର ଚୌଧୁରୀଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କଲି। ପ୍ରଥମେ ଦୁଇକେଜି କାଗଜରୁ ଠୁଙ୍ଗା ବ୍ୟବସାୟ ଆରମ୍ଭ କରିଥିଲି, ଏବେ ୫୦ କିଲୋ ଠୁଙ୍ଗା କାରବାର କରୁଛି।’’ ପ୍ରାୟ ୧୬ବର୍ଷ ହେବ ଠୁଙ୍ଗା ବ୍ୟବସାୟରେ ଥିବା ଜୟନ୍ତୀ କହନ୍ତି, ‘‘କିଛିଦିନ ତଳେ ସରକାରଙ୍କ ଦ୍ବାରା ପଲିଥିନ୍ ଓ ପ୍ଲାଷ୍ଟିକ୍‌ ନିଷେଧ କରାଯାଇଥିଲା। ସେତେବେଳେ ଅନେକ ବ୍ୟବସାୟୀ ଠୁଙ୍ଗା ବ୍ୟବହାର କଲେ। ହେଲେ ପରବର୍ତ୍ତୀ ସମୟରେ ସେମାନେ ପୁନର୍ବାର ପଲିଥିନ୍‌କୁ ଫେରିଗଲେ। ଫଳରେ ଠୁଙ୍ଗାର ବିକ୍ରି ପରିମାଣ କମିଯାଇଛି।’’

ଏକଥା ସତ ଯେ ପଲିଥିନ୍‌ରେ ଜିନିଷ ନେବା ଆଣିବା ସହଜ ଓ ସୁରକ୍ଷିତ ଏବଂ ଠୁଙ୍ଗାରେ ଜିନିଷ ନେବା ବେଳେ ଅନେକ ସମୟରେ ଫାଟିଯିବାର ଭୟ ରହିଥାଏ। କିନ୍ତୁ ପଲିଥିନ୍ ପରିବେଶ ପ୍ରଦୂଷଣ କରିବା ସହ ମାଟିର ଉର୍ବରତା ହ୍ରାସ କରୁଛି। ଗାଈଗୋରୁ ଏହାକୁ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ବର୍ତ୍ତମାନ ପଲିଥିନ୍ ବ୍ୟବହାର ବିରୋଧରେ ଜନମତ ସୃଷ୍ଟି ହେଉଛି, ତେଣୁ କେହି କେହି କହୁଛନ୍ତି, ପୁଣି ଠୁଙ୍ଗା ଯୁଗ ଫେରିଆସିବ ନାହିଁ ତ?