ଦୃଷ୍ଟିଦେବେ କି ରେଳମନ୍ତ୍ରୀ?

ତାଳଚେର-ବିମଳାଗଡ଼ ରେଳପଥ: ବଦଳିଲେଣି ୪୦ ରେଳମନ୍ତ୍ରୀ, ଆଗଉନି ପ୍ରକଳ୍ପ

ଓଡ଼ିଶା ପ୍ରତି ରେଳ ମନ୍ତ୍ରାଳୟର କ୍ରମାଗତ ଉପେକ୍ଷାକୁ ନେଇ ସ୍ବର ଉଠିଆସୁଛି। ପ୍ରତିବର୍ଷ ରେଳବଜେଟ୍‌ରେ ଓଡ଼ିଶା ପାଇଁ ଅନୁଦାନ ବଢ଼ୁଛି, ନୂଆ ପ୍ରକଳ୍ପ ବି ଯୋଡ଼ିହେଉଛି। ଏହା ସତ୍ତ୍ବେ ବି ରେଳ ମାନଚିତ୍ରରେ ଓଡ଼ିଶାର ସ୍ଥିତି ଆଶାନୁରୂପ ନୁହେଁ। ରେଳ ବିଭାଗ ଓଡ଼ିଶାରୁ ଯେତିକି ରାଜସ୍ବ ପାଉଛି, ସେହି ତୁଳନାରେ ରାଜ୍ୟର ଭାଗ ବି ଉତ୍ସାହଜନକ ନୁହେଁ। ଅଶ୍ବିନୀ ବୈଷ୍ଣବ କେନ୍ଦ୍ର ରେଳମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାପରେ ଓଡ଼ିଶା ଆଶା ବଢ଼ିଛି, ପୁରୁଣା ଦାବିଗୁଡ଼ିକ ପୁନଃ ଉତ୍‌ଥାପିତ ବି ହୋଇଛି। ଏବେ ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ। ‘ସମ୍ବାଦ’ ସ୍ବତନ୍ତ୍ର ପୃଷ୍ଠା ଜରିଆରେ କେତୋଟି ପ୍ରକଳ୍ପ ସଂପର୍କରେ ତାଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ଏହା ସହ ରେଳ ସଂପର୍କିତ ରାଜ୍ୟର ସାମଗ୍ରିକ ପ୍ରକଳ୍ପର ରୂପରେଖ ପ୍ରତି କେନ୍ଦ୍ରମନ୍ତ୍ରୀ ଦୃଷ୍ଟି ଦେବେ ବୋଲି ଆଶା ଓ ବିଶ୍ବାସ।

ରାଉରକେଲା : ଦାବି ୬୦ ବର୍ଷ ପୁରୁଣା। ଇତିମଧ୍ୟରେ ୪୦ ଜଣ ରେଳମନ୍ତ୍ରୀ ବି ବଦଳିଲେଣି। ଏକାଧିକ ସରକାର ବି ବଦଳିସାରିଲେଣି। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ‘ତାଳଚେର-ବିମଳାଗଡ଼’ ରେଳପଥ ନିର୍ମାଣ ଦାବି ପୂରଣ ହେଉନି। ଦାବିପୂରଣ ପାଇଁ ଦିନିକିଆ ଧର୍ମଘଟ, ରେଳରୋକଠାରୁ ଆରମ୍ଭକରି ବିଭାଗୀୟ ମନ୍ତ୍ରୀ, ରାଜ୍ୟ ସରକାରଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି; ତଥାପି ସୁଫଳ ମିଳୁନି। ଦୀର୍ଘ ବର୍ଷପରେ ପ୍ରକଳ୍ପ ପାଇଁ ଅନୁଦ‌ାନ ଆସିଲା, ମାତ୍ର ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରକଳ୍ପର ଭାଗ୍ୟ ଫିଟିପାରୁନି। ଫଳରେ ଗତ ୬ ଦଶନ୍ଧି ହେଲା ଚାତକପରି ଚାହିଁବସିଥିବା ଜିଲ୍ଲାବାସୀଙ୍କ ଏହି ସ୍ବପ୍ନ ସାକାର ହୋଇପାରୁନି।

railwaysyearbook.com

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପୂର୍ବ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ଦୂରତା ବହୁମାତ୍ରାରେ ହ୍ରାସ ପାଇବ। ଏତଦ୍‌ବ୍ୟତୀତ ମାଲ୍‌ ପରିବହନ ଯୋଗୁଁ ହେଉଥିବା ଅତ୍ୟଧିକ ବ୍ୟୟକୁ ରୋକାଯାଇପାରିବ। ଆବଶ୍ୟକତା ହୃଦୟଙ୍ଗମ କରି ୧୯୬୦ ମସିହାରେ ଏହି ଦାବି ଆରମ୍ଭ ହୋଇଥିଲା; ସେବେଠାରୁ ଏହି ଦାବି ହୋଇଆସୁଛି। ମୋଟ୍‌ ୧୪୯.୭୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ରେଳପଥ ପାଇଁ ସୁନ୍ଦରଗଡ଼ ସମେତ ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ଗତ ଏପ୍ରିଲ ଶେଷସୁଦ୍ଧା, ଆହୁରି ୬୧୪.୪୯୫ ଏକର ବେସରକାରୀ ଓ ୨୬୦.୬୬୭ ଏକର ଜଙ୍ଗଲ ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏହି ପ୍ରକଳ୍ପ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ୨୪୭ ଏକର ଜମି ଆବଶ୍ୟକ। ଏଥିପାଇଁ ଲହୁଣୀପଡ଼ାର ସର୍ବାଧିକ ୨୨ ଗାଁ, କୋଇଡ଼ା ବ୍ଲକର ୪ ଗାଁ ଓ ବଣାଇଁ ବ୍ଲକର ୩ ଗାଁରେ ଜମି ଅଧିଗ୍ରହଣ କରାଯିବ। ତାଳଚେର ପଟୁ ମୋଟ ୫୩ କିଲୋମିଟର ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଶେଷ ହୋଇଥିବାବେଳେ ପ୍ରାୟ ୯୭ କିଲୋମିଟର ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇନି। ଜମି ଅଧିଗ୍ରହଣ ହୋଇସାରିଥିବାରୁ ତାଳଚେରରୁ ସୁନାଖାନୀ (୧୭.୬୨ କିଲୋମିଟର) ଯାଏଁ ରେଳ ବିଛା ‌କାର୍ଯ୍ୟ ଶେଷ ହୋଇସାରିଥିବାବେଳେ ସୁନାଖାନୀ-ପାରବିଲ ରେଳ ବିଛା କାର୍ଯ୍ୟ ଜାରି ରହିଛି। ଏହା ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ବିଡ଼ମ୍ବନା ଏହା ଯେ, ଜମି ଅଧିଗ୍ରହଣ ପ୍ରକ୍ରିୟା ପାଇଁ ରେଳ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ୩ଶହ କୋଟି ଟଙ୍କା ପଇଠ କରିଛନ୍ତି; ତଥାପି ପ୍ରକ୍ରିୟା ବେଗ ଧରିପାରୁନି। ପ୍ରକଳ୍ପ ତ୍ବରାନ୍ବିତ ତଥା ନିର୍ଦ୍ଧାରିତ ସମୟରେ ସଂପନ୍ନ କରିବାକୁ ହେଲେ ବିମଳାଗଡ଼ ପଟୁ ମଧ୍ୟ ଜମି ଅଧିଗ୍ରହଣ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଅନ୍ୟଥା ୨୦୨୫ ସୁଦ୍ଧା ପ୍ରକଳ୍ପ ସଂପନ୍ନ ନେଇ ଲକ୍ଷ୍ୟ ପୂରଣ ହେବା ଅସମ୍ଭବ।

ଗୋଟିଏପଟେ ଜମି ଅଧିଗ୍ରହଣ ହୋଇପାରୁ ନଥିବାବେଳେ ପ୍ରକଳ୍ପ ପାଇଁ କିନ୍ତୁ ଅର୍ଥ ମଞ୍ଜୁର ଜାରି ରହିଛି। ୨୦୦୪-୦୫ ବଜେଟ୍‌ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅମଳରେ ଏହି ପ୍ରକଳ୍ପକୁ ପ୍ରଥମଥର ପାଇଁ ୫ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ, ଅର୍ଥାତ୍‌ ଗତ ୧୯ଟି ବଜେଟ୍‌ରେ ମୋଟ୍‌ ୧୫୮୭ କୋଟି ଟଙ୍କା ମଞ୍ଜୁର ହୋଇସାରିଛି। ଗତ ଏପ୍ରିଲ ସୁଦ୍ଧା, ମୋଟ୍‌ ୮୭୪.୮୯ କୋଟି ବ୍ୟୟ କରାଯାଇଛି। କିନ୍ତୁ ରାଜ୍ୟ ସରକାରଙ୍କ ଉଦାସୀନତାର ଅଭାବ ହେଉ ଅବା ଜିଲ୍ଲା ପ୍ରଶାସନର ଅବହେଳା, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଶିଥିଳତା ଆସିଯାଇଛି।

ସମ୍ବନ୍ଧିତ ଖବର