ମହାଜାଗତିକ କ୍ରିୟା ଅନୁଯାୟୀ ଗ୍ରହ ଓ ନକ୍ଷତ୍ରମାନଙ୍କର ସୃଷ୍ଟି ଓ ବିଲୟ ଘଟିଥାଏ। ସେହି ପ୍ରକ୍ରିୟାରୁ ବିଭିନ୍ନ ମହାକାଶୀୟ ପିଣ୍ଡ ଜାତ ହୁଏ। ସେଗୁଡ଼ିକ ଉଲ୍କା ଆକାରରେ ପୃଥିବୀ ପୃଷ୍ଠରେ ପଡ଼ନ୍ତି। ସେଭଳି ଏକ ଆକର୍ଷଣୀୟ ଧାତବ ପିଣ୍ଡ ଆମେରିକାର ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ଶୋଭା ପାଉଛି। ତାହା ଆମେରିକାରେ ସଂଗୃହୀତ ବୃହତ୍ତମ ତଥା ପୃଥିବୀର ଷଷ୍ଠ ବୃହତ୍ତମ ଉଲ୍କା ପିଣ୍ଡ। ଏହା ୱିଲାମେଟ୍ ଉଲ୍କାପିଣ୍ଡ ନାମରେ ପରିଚିତ। ଓରେଗାନ୍ର ୱିଲାମେଟ୍ ଉପତ୍ୟକାରେ ବସବାସ କରୁଥିବା କ୍ଲାକାମାସ ଚିନୁକ ସମ୍ପ୍ରଦାୟର ଲୋକେ ତାକୁ ପ୍ରଥମେ ଠାବ କରିଥିଲେ।
ଏହାର ଓଜନ ପ୍ରାୟ ସାଢ଼େ ୧୫ ଟନ୍। ଏହାର ୯୦ ଭାଗ ଲୌହ ଓ ୧୦ ଭାଗ ନିକେଲ ଧାତୁରେ ଗଠିତ। ୱିଲାମେଟ୍ ଉଲ୍କାପିଣ୍ଡ କୋଟି କୋଟି ବର୍ଷ ଯାଏ ସୂର୍ଯ୍ୟ ଚାରିପାଖେ ଘୂରୁଥିବା ବେଳେ ପ୍ରାୟ ୧୭,୦୦୦ ବର୍ଷ ତଳେ ପୃଥିବୀ କକ୍ଷପଥକୁ ଖସି ଆସିଥିବା ଅନୁମାନ କରାଯାଏ। ଘଣ୍ଟାକୁ ୬୪,୦୦୦ କି.ମି. ବେଗରେ ତାହା ପଶ୍ଚିମ କାନାଡ଼ାର ଏକ ବରଫାବୃତ୍ତ ଅଞ୍ଚଳରେ ପିଟି ହୋଇଥିଲା। କାଳକ୍ରମେ ତାହା ହିମପ୍ରବାହରେ ଗଡ଼ି ଗଡ଼ି କ୍ଲାର୍କ ଫର୍କ ନଦୀ ଓ ଶେଷରେ କଲମ୍ବିଆ ନଦୀରେ ଭାସି ଆସି ପୋର୍ଟଲାଣ୍ଡଠାରେ ପହଞ୍ଚିଥିଲା। ତୁଷାର ଯୁଗର ଶେଷ ଆଡ଼କୁ ତାହା ବରଫ ଭିତରୁ ବାହାରକୁ ଦୃଶ୍ୟମାନ ହୋଇଥିଲା। ତା’ପରେ ହଜାର ହଜାର ବର୍ଷ ଧରି ବର୍ଷା ପାଣି ସହ ମିଶି ସେଥିରେ ଥିବା ସଲଫାଇଡ୍ ଯୌଗିକ ସଲଫ୍ୟୁରିକ୍ ଅମ୍ଳ ସୃଷ୍ଟି କରିଥିଲା ଯାହା ଉକ୍ତ ଉଲ୍କାଖଣ୍ଡର କିଛି ଅଂଶକୁ ଖାଇ ଚାଲିଥିଲା। ଫଳରେ ସେଥିରେ ଚିତ୍ତାକର୍ଷକ ଗର୍ତ୍ତମାନ ସୃଷ୍ଟି ହୋଇଛି।