ଚୀନ୍‌ର ପ୍ରଖ୍ୟାତ ପବନକଳ ନିର୍ମାତା କମ୍ପାନି ମିନ୍ୟାଂ ସ୍ମାର୍ଟ ଏନର୍ଜି ପକ୍ଷରୁ ଚୀନ୍‌ର ଦକ୍ଷିଣପୂର୍ବ ପ୍ରଦେଶ ଗୁଆଂଡଙ୍ଗ୍‌ ଅନ୍ତର୍ଗତ ୟାଂଜିଆଂ ଉପକୂଳରେ ‘ଓସିନ୍‌ ଏକ୍ସ’ ନାମରେ ତାହାର ସଦ୍ୟତମ ପବନକଳ ସ୍ଥାପନ କରିଛି। ଏହା ବିଶ୍ବର ସବୁଠୁ ଶକ୍ତିଶାଳୀ ଦ୍ବୈତ ପବନକଳ ବୋଲି ପ୍ରମାଣିତ ହୋଇଛି। 
ନିକଟରେ ଉକ୍ତ ଉପକୂଳ ଦେଇ ପ୍ରବାହିତ ମହାବାତ୍ୟା ‘ୟାଗି’ ବିଭୀଷିକା ରଚାଇଥିବା ବେଳେ ଉକ୍ତ ପବନକଳ ଘଣ୍ଟାପ୍ରତି ୧୩୯ ମାଇଲ୍‌ ବା ୨୨୪ କି.ମି. ବେଗ ପବନର ସମ୍ମୁଖୀନ ହୋଇ ବିଦ୍ୟୁତ୍‌ ଉତ୍ପାଦନ ଜାରି ରଖିଥିଲା। ୧୬.୬ ମେଗାଵାଟ୍‌ ଦକ୍ଷତା ବିଶିଷ୍ଟ ଏହି ଦ୍ବୈତ-ଟର୍ବାଇନ୍‌ ଖଚିତ ପବନକଳ ବାର୍ଷିକ ୫୪,୦୦୦ ମେଗାଵାଟ୍‌ଆଵାର୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରିବାର ସାମର୍ଥ୍ୟ ରଖିଛି, ଯାହା ଚୀନ୍‌ର ୩୦ ହଜାର ପରିବାରକୁ ବିଜୁଳି ଯୋଗାଇବାକୁ ଯଥେଷ୍ଟ।

Advertisment

୨୦୨୦ରେ ଉକ୍ତ ପବନକଳର ଏକ କ୍ଷୁଦ୍ରକାୟ ମଡେଲର ପରୀକ୍ଷଣ ପରେ ଚଳିତବର୍ଷ ଏପ୍ରିଲ ମାସରେ ଏହାକୁ ସ୍ଥାୟୀ ଭାବେ ସ୍ଥାପନ କରାଯାଇଛି। ମାତ୍ରାଧିକ ପବନ ବେଗର ଲାଭ ଉଠାଇବା ପାଇଁ ଏହାକୁ ସମୁଦ୍ର ଉପକୂଳରୁ ୧୦୦ କି.ମି. ଭିତରେ ତଥା ୩୫ ମିଟର ଗଭୀର ଜଳ ଉପରେ ସ୍ଥାପନ କରାଯାଇଛି। ୧୫,୦୦୦ ଟନ୍‌ ଓଜନର ଏକ ଭାସମାନ ଚଟାଣ ଉପରେ ଏହି ଦ୍ବିତଳ ବିଶିଷ୍ଟ ପବନକଳକୁ ଖଞ୍ଜାଯାଇଛି। ଟର୍ବାଇନ୍‌ ଦୁଇଟିର ପ୍ରତ୍ୟେକ ବ୍ଲେଡ୍‌ର ବ୍ୟାସ ହେଉଛି ୧୮୨ ମିଟର। ୩୦ ମିଟରର ଲହଡ଼ି ଭିତରେ ବିଦ୍ୟୁତ୍‌ ଉତ୍ପାଦନ କରିପାରୁଥିବା ଉକ୍ତ ପବନକଳ ‘ଲେଭେଲ୍‌-୫’ ସାମୁଦ୍ରିକ ଝଡ଼ ଅର୍ଥାତ୍‌ ଘଣ୍ଟା ପ୍ରତି ୧୬୧ ମାଇଲ (୨୬୦ କି.ମି.) ବେଗ ବିଶିଷ୍ଟ ପବନକୁ ସହିବାକୁ ସକ୍ଷମ ବୋଲି କମ୍ପାନି ପକ୍ଷରୁ ଦାବି କରାଯାଇଛି।