ନୂଆଦିଲ୍ଲୀ: କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ପୃଥୀ ସିଂ ଚୌହାନଙ୍କୁ ନେଇ ଏକ ଛାତିଥରା ଖବର ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ସେ ନିଜ ବାପାଙ୍କୁ ଫୋନ କରି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ସମସ୍ତଙ୍କ ଆଖିରେ ଲୁହ ଆଣିଛି । ନିଜ ୭୫ ବର୍ଷିୟ ବୃଦ୍ଧ ବାପାଙ୍କ ସହ ଶେଷ ଥର ପାଇଁ କଥା ହୋଇ ଶୀଘ୍ର ଘରକୁ ଫେରିବେ ବୋଲି କହିବା ସହ ବାପାଙ୍କ ଆଖି ଅପରେସନ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ କାଲିର ଘଟଣା ପରେ ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଯାଇଛି । କାରଣ ପୁଅ ଘରକୁ ଫେରିବ ନାହିଁ… ଘରକୁ ଫେରିବ ପୁଅର ମର ଶରୀର ।
ପୁଅର ମୃତ୍ୟୁ ଖବର ପାଇ ଆଗ୍ରାରେ ଥିବା ମା’ ସତେ ଯେପରି ପାଗଳି ହୋଇଯାଇଛି । ଛୋଟ ପିଲାଙ୍କ ପରି ନିଜ ପୁଅ କଥା ମନେ ପକାଇ ବାହୁନି କାନ୍ଦୁଛି ମା’ । ସେପଟେ କୋହରେ କଥା କହିପାରୁନି ବୁଢା ବାପା । ପୁଅ ଫେରିବ ବୋଲି ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇ ଆଖିରୁ ଲୁହ ଗଡାଉଛି ବାପା ।
୪ ଭଉଣୀଙ୍କ ମଧ୍ୟରେ ପୃଥୀ ଥିଲେ ସାନ ପୁଅ । ବାପା ମା’ଙ୍କ ଏକମାତ୍ର ସାହା ଭରସା । ହେଲେ ଏବେ ବୁଢା ବାପା-ମାଆଙ୍କୁ ଏକା କରି ଚାଲିଗଲେ ପୃଥୀ । ଶେଷ ଥର ପାଇଁ ସେ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଆସିଥିଲେ । ଆଉ ପୁଣି ଥରେ ଘରକୁ ଫେରିଲେ ବହୁତ କିଛି କରିବାକୁ କହି ଯାଇଥିଲେ, ଯେଉଁ କଥା ତାଙ୍କର କେବଳ କଥାରେ ହିଁ ରହିଯାଇଛି । ଯାହାକୁ କେବେ ବି ଆଉ ପୂରଣ କରିପାରିବେନି ପୃଥୀ ।
/sambad/media/post_attachments/3b87d73edeae4373a6bef1467c259c6f68ae9785ab1e38e19b6ab339579c1dc2.jpeg)
ଗତକାଲି ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ସିଡିଏସ ବିପିନ ରାୱତଙ୍କ ସହ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ହେଲିକପ୍ଟର ଉଡାଉଥିଲେ ୱିଙ୍ଗ କମାଣ୍ଡର ପୃଥୀ ସିଂ ଚୌହାନ । ଏହି ଘଟଣା ପରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ । କାରଣ ଗୋଟିଏ ଦିନରେ ଭାରତ ହରାଇଥିଲା ଅନେକ ବୀର ଓ ଦକ୍ଷ ସେନାଙ୍କୁ ।
ବର୍ତ୍ତମାନର ସବୁଠାରୁ ବଡ ପ୍ରଶ୍ନ ହେଉଛି ସିଡିଏସ ଯାଉଥିବା ହେଲିକପ୍ଟର ଏମଆଇ ୧୭ ଭି୫ ବେଶ ସୁରକ୍ଷିତ ହେଲିକପ୍ଟର ହୋଇ ମଧ୍ୟ ଏହା ଦୁର୍ଘଟଣାଗ୍ରସ୍ତ ହେଲା କେମିତି? ଏହି ହେଲିକପ୍ଟର ଉଡାଉଥିବା ୱିଙ୍ଗ କମାଣ୍ଡର ପୃଥୀ ଥିଲେ ବେଶ ଦକ୍ଷ ଅଫିସର । ବାୟୁସେନାର ଅନେକ ଲଢୁଆ ୱିଙ୍ଗ କମାଣ୍ଡରଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଏହି ଏମ୧୭ ହେଲିକପ୍ଟର ଉଡାଇବାରେ ସେ ବେଶ ମାହିର ମଧ୍ୟ ଥିଲେ । ହେଲେ କେଉଁଠି ତ୍ରୁଟି ରହିଲା ତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ।