ଶୀତରୁ ରକ୍ଷା ପାଇବା ପାଇଁ ସାଧାରଣତଃ ମେଣ୍ଢା ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଲୋମ ବା ପଶମରେ ଶୀତବସ୍ତ୍ରମାନ ପ୍ରସ୍ତୁତ କରାଯାଇଥାଏ। ତେବେ ହଲାଣ୍ଡର ‘ହ୍ୟୁମାନ୍ ମାଟେରିଆଲ୍ ଲୁପ୍’ ନାମକ କମ୍ପାନି ମଣିଷର କେଶ ପରି ଏକ ଅସ୍ବାଭାବିକ ବର୍ଜ୍ୟ ଉତ୍ସକୁ ବ୍ୟବହାର କରି ପ୍ରଦୂଷଣ ସୃଷ୍ଟି ବିନା ପଶମର ବିକଳ୍ପ ଉତ୍ପାଦ ପ୍ରସ୍ତୁତ କରୁଛି। ଉକ୍ତ କମ୍ପାନି ବିଭିନ୍ନ କେଶବିନ୍ୟାସକାରୀ ଓ ସେଲୁନ୍ମାନଙ୍କ ସହ ଯୋଗାଯୋଗ କରି ସେଠାରୁ କଟା ଚୁଟି ଓ ଅଡୁଆ କେଶ ସଂଗ୍ରହ କରିଥାଏ। ପରେ ତାହାକୁ ପ୍ରକ୍ରିୟାକୃତ କରିଥାଏ।
ଉକ୍ତ କମ୍ପାନିର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋଫିଆ କୋଲାର କେଶ ବାବଦରେ ବୈଜ୍ଞାନିକ ଅଧ୍ୟୟନ କରି ଜାଣିବାକୁ ପାଇଥିଲେ ଯେ ଏଥିରୁ କେବଳ ଯେ ପୋଷାକ ପ୍ରସ୍ତୁତ କରାଯାଇପାରିବ ତାହା ନୁହେଁ, କଟା କେଶ ଜନିତ ବର୍ଜ୍ୟବସ୍ତୁ ମଧ୍ୟ ହ୍ରାସ କରାଯାଇପାରିବ। ବୟନ ଶିଳ୍ପ ଆମ ଅର୍ଥବ୍ୟବସ୍ଥାର ଏକ ବିଶାଳ ବଜାର ମାତ୍ର ନୁହେଁ, ଏହା ଅତ୍ୟଧିକ ଅଙ୍ଗାର ନିର୍ଗମନ ମଧ୍ୟ କରିଥାଏ। ବୟନ ଶିଳ୍ପ ଇତିହାସରେ ଆମେ ବିଭିନ୍ନ ପ୍ରକାର ପଶୁ ତନ୍ତୁ ବ୍ୟବହାର କରିଆସିଛନ୍ତି, ତେଣୁ ସମାନ କେରାଟିନ୍ ପ୍ରୋଟିନ୍ରେ ଗଠିତ ଆମ ନିଜର କେଶକୁ କାହିଁକି ବ୍ୟବହାର କରାଯାଇପାରିବ ନାହିଁ ବୋଲି କୋଲାର ପ୍ରଶ୍ନ କରିଛନ୍ତି।
ଅପରପକ୍ଷେ, ମଣିଷ କେଶ ବ୍ୟବହାର ଦ୍ବାରା ବୟନ ଶିଳ୍ପରେ ସବୁଜ ଗୃହ ବାଷ୍ପ ନିର୍ଗମନର ଅନ୍ୟତମ ମୁଖ୍ୟ ଉତ୍ସକୁ ଦୂର କରିଦିଆଯାଇପାରିବ। ତେଣୁ ଏହା ପଶମର ସର୍ବୋତ୍ତମ ବିକଳ୍ପ ହୋଇପାରିବ ବୋଲି କୋଲାର ଆଶାବାଦୀ ଅଛନ୍ତି।