ବିଲ୍‌ ପ୍ରତ୍ୟାହାର କର, ନଚେତ୍‌ ଅନ୍ନଦାତା ଜବାବ୍‌ ଦେବେ

କେନ୍ଦ୍ର ସରକାର ଚାଷୀ କଲ୍ୟାଣ ନାଁରେ ଅମ୍ବାନି-ଆଦାନିଙ୍କୁ ବଜାରରେ ପୂରାଉଛନ୍ତି। ଅଣାଯାଇଥିବା ତିନୋଟି କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ଦାବିରେ କୃଷକମାନେ ସଂଗ୍ରାମ ଚଳାଇଛନ୍ତି। କିନ୍ତୁ ସରକାର ନିଜ ଜିଦ୍‌ରେ ଅଟଳ। ବିଲ୍‌ର ସଂଶୋଧନ ନୁହେଁ, ସଂମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଉ। ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦିଆଯାଉ। କେହି ବି ଜଣେ ଯଦି ସରକାରଙ୍କ ଧାର୍ଯ୍ୟ ଦରଠାରୁ କମ୍‌ ମୂଲ୍ୟରେ କିଣିଲା ତା ଉପରେ ଦଣ୍ଡ ବିଧାନ କରାଯିବାର ବ୍ୟବସ୍ଥା‌ କରାଯାଉ। ସରକାର ମଣ୍ଡି ମାଧ୍ୟମରେ ଉତ୍ପାଦିତ ଶସ୍ୟ କିଣନ୍ତୁ। ମୁନାଫା ନାଁରେ କମ୍ପାନିମାନଙ୍କୁ ପ୍ରବେଶ ପାଇଁ ସରକାର ଯେଉଁ ବ୍ୟବସ୍ଥା କରୁଛନ୍ତି ତଦ୍ବାରା ମୁନାଫାଖୋର ମନୋମୁଖି ହେବେ। କଣ୍ଟ୍ରାକ୍ଟ ଫାର୍ମିଂ ନାମରେ ଜମି କବ୍‌ଜାର ଏକ ପ୍ରାୟାସ ଆରମ୍ଭ ହେବ। ବିଲ୍‌ ପ୍ରତ୍ୟାହର ନହେବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ।
ଅକ୍ଷୟ କୁମାର, ରାଷ୍ଟ୍ରୀୟ ସଂଯୋଜକ, ନବନିର୍ମାଣ କୃଷକ ସଂଗଠନ ତଥା ସଦସ୍ୟ, ସଂଯୁକ୍ତ କୃଷକ ମୋର୍ଚ୍ଚା

ପ୍ରଥମତଃ ମୋଦୀ ସରକାର ବିନା ଆଲୋଚନାରେ ନୂଆ କୃଷି ଆଇନ ଆଣିଲେ। ବର୍ତମାନ ଏହି ଆଇନକୁ କୃଷକଙ୍କ ହିତ ପାଇଁ ବୋଲି କହୁଛନ୍ତି। କିନ୍ତୁ ଦେଶବ୍ୟାପୀ ଆନ୍ଦୋଳନ ସରକାରଙ୍କୁ ଜବାବ୍‌ ଦେଉଛି। ପଞ୍ଜାବର କୃଷକଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ପଞ୍ଜାବ ଭିତରେ ସୀମିତ କରିବା ଏବଂ ଦମନ କରିବା ପାଇଁ ପ୍ରୟାସ ହୋଇଥିଲା। ତାହା ପଣ୍ଡ ହୋଇଛି। ସରକାର କୃଷକ ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ‌ହେଲେ। କିନ୍ତୁ ଏବେ କୃଷକମାନେ ପଛକୁ ଫେରିବା ସ୍ଥିତିରେ ନାହାନ୍ତି। କିଂବା ସରକାର ବି ଆଇନକୁ ପ୍ରତ୍ୟାହାର କରିବାକୁ ନାରାଜ। ଏହା ଏକ ଐତିହାସିକ ମୁହୂର୍ତ୍ତରେ ପହଂଚିଛି। ୧୯୮୦ ଦଶକରେ ମହେନ୍ଦ୍ର ସିଂ ଟିକାଏତଙ୍କ ନେତୃତ୍ବରେ ଆନ୍ଦୋଳନ ହେଲା। ତାକୁ ପ୍ରଥମେ ତତ୍କାଳୀନ କଂଗ୍ରେସ ସରକାର ହେୟଜ୍ଞାନ କଲେ। ପରେ କଂଗେସ ସରକାର ହାର୍‌ ମାନିଲା। ବର୍ତମାନ ତାହାର ପୁନରାବୃତ୍ତି ହେବାକୁ ଯାଉଛି।
ଲିଂଗରାଜ, ବରିଷ୍ଠ ଚାଷୀନେତା, ବରଗଡ଼

କେନ୍ଦ୍ର କୃଷି ଆଇନକୁ ନେଇ ଲଗାତାର ଭାବେ ବିଭିନ୍ନ କୃଷକ ସଂଗଠନମାନେ ବିରୋଧ କରିଆସୁଛନ୍ତି। କଳା ଆଇନ ଦ୍ବାରା ଚାଷୀ ସର୍ବସ୍ବାନ୍ତ ହେବାକୁ ଯାଉଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପ୍ରତ୍ୟାହାର ପରେ ଖାଉଟି ଏବେଠାରୁ ଦରଦାମ ବୃଦ୍ଧିର ଶିକାର ହେଲାଣି। ଭାରତ ବର୍ଷର ସାଂସ୍କୃତିକ ବିବିଧତା ଥିଲେ ବି ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କର ସାମାଜିକ ଚଳଣି ଖାଇବା ଓ ରହିବାରେ କିଛିଟା ସାମଞ୍ଜସ୍ୟ ରହିଛି। ଯେ କୌଣସି ରାଜ୍ୟକୁ ଗଲେ ବି ଆଳୁ, ପିଆଜ, ତେଲ ଓ ଡାଲିକୁ ଲୋକେ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ଯେଉଁଥି ପାଇଁ ଗରିବ ଲୋକଟିଏ ଖାଦ୍ୟ ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପୂର୍ବତନ ରାଷ୍ଟ୍ରନୀତିଜ୍ଞମାନେ ୧୯୫୫ ମସିହାରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପ୍ରଣୟନ କରିଥିଲେ। ସେହି ଆଇନ ଲାଭଖୋର ବଡ଼ ବଡ଼ ପୁଞ୍ଜିପତି ଓ ବ୍ୟବସାୟୀଙ୍କୁ ଅଧିକ ପରିମାଣର ସାମଗ୍ରୀ ମହଜୁଦ ରଖିବାରେ ଅଙ୍କୁଶ ଲଗାଉଥିଲା। କିନ୍ତୁ ଏବେ ଆଇନ ଉଚ୍ଛେଦ ପରେ ଲୋକେ ମହଙ୍ଗା ଦାଉରେ ସନ୍ତୁଳି ହେଉଛନ୍ତି। ସେହିପରି ମଣ୍ଡି ଓ ଏମ୍‌ଏସ୍‌ପି ବ୍ୟବସ୍ଥା ନୂଆ କୃଷି ଆଇନରେ ନାହିଁ। ଏହି ବ୍ୟବସ୍ଥା ଜାରି ରହିବ ବୋଲି ସରକାର ତୁଣ୍ଡରେ କହୁଛନ୍ତି। କିନ୍ତୁ ଏହାକୁ ଚାଷୀ ବିଶ୍ବାସ କରିପାରିବେ ନାହିଁ।
ଶେଷଦେବ ନନ୍ଦ, ରାଜ୍ୟ ସଂଯୋଜକ, ନବ ନିର୍ମାଣ କୃଷକ ସଂଗଠନ

କୃଷି ଅଧ୍ୟାଦେଶ କେନ୍ଦ୍ର ସରକାର ତରବରିଆ ଭାବେ ଆଣିଲେ। ଏହା କାହାର ଦାବି ଥିଲା? କୌଣସି ଗମ୍ଭୀର ବିଷୟ ଥିଲେ ଏଭଳି ତରବରିଆ ଅଧ୍ୟାଦେଶ ଆଣି ଆଇନ କରାଯାଏ। ଚାଷ, ଚାଷୀ ଓ ଖାଉଟିଙ୍କୁ ପୁଞ୍ଜିପତିଙ୍କ ହାତରେ ଟେକି ଦେବା ଏହି ଆଇନର ଉଦ୍ଦେଶ୍ୟ। ଏହି ଆଇନ ଜରିଆରେ ସରକାର ନିଜ ଦାୟିତ୍ବରୁ ପଳାୟନ କରୁଛନ୍ତି। ଏହା କେବଳ ଚାଷୀ ନୁହେଁ, ସାଧାରଣ ଖାଉଟି ପାଇଁ ମଧ୍ୟ ବିପଜ୍ଜନକ।
ଅଶୋକ ପ୍ରଧାନ, ଆବାହକ, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି

ସମ୍ବନ୍ଧିତ ଖବର