ନୂଆଦିଲ୍ଲୀ: ବର ବାହାଘର କେକ୍‌ରୁ ବଡ଼ ଖଣ୍ଡେ ଉଠାଇ କନ୍ୟା ମୁହଁ ଉପରକୁ ଫିଙ୍ଗିବାରୁ ଉତ୍‌କ୍ଷିପ୍ତ ହୋଇ କନ୍ୟା ବିବାହ ଭାଙ୍ଗି ଦେଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

Advertisment

ଏହି ଘଟଣାର ଭିଡିଓ କ୍ଲିପ୍‌ ମଧ୍ୟ ‘ଟିକ୍‌ ଟକ୍‌’ରେ ଭାଇରାଲ୍‌ ହୋଇଛି। ‘କେକ୍‌ ଫିଙ୍ଗା’ ଘଟଣା ତାଙ୍କ ବାହାଘରକୁ ନଷ୍ଟ କରିଦେଲା ବୋଲି ନାମ ଜଣା ନ ଥିବା ଉକ୍ତ କନ୍ୟା ‘ରେଡିଟ୍‌’ରେ ସେୟାର୍‌ କରିଛନ୍ତି। ଏଭଳି କାମକୁ କନ୍ୟା ଏତେ ନାପସନ୍ଦ କଲେ ଯେ, ବରକୁ ଛାଡ଼ି ଚାଲିଯିବାକୁ ମଧ୍ୟ ପଛେଇଲେ ନାହିଁ। ସମ୍ପ୍ରତି ‘ରେଡିଟ୍‌ ଫୋରମ୍‌’ରୁ ଡିଲିଟ୍‌ ‌କରାଯାଇଥିବା ଉକ୍ତ ପୋଷ୍ଟ୍‌ରେ କନ୍ୟା ଲେଖିଥିଲେ ଯେ, ଅତୀତରେ ତାଙ୍କ ଉପରେ ଅନେକ ଥର ‘କେକ୍‌ ଫିଙ୍ଗା’ ହୋଇଥିଲା ଓ ବର ସେସବୁର ଭିଡିଓ ଦେଖିଥିଲେ।

କନ୍ୟା ଉକ୍ତ ପୋଷ୍ଟ୍‌ରେ ଲେଖିଥିଲେ ଯେ, ତାଙ୍କୁ ୧୭ ବର୍ଷ ହୋଇଥିବା ବେଳେ ମା’ ଜନ୍ମଦିନ କେକ୍‌ରେ ତାଙ୍କ (କନ୍ୟା) ମୁହଁକୁ ମାଡ଼ି ଦେଇଥିଲେ। କେକ୍‌ ଉପରେ ଥିବା ଡେକୋରେସନ୍‌ ବା ସାଜସଜା ଉପକରଣ ବାଜି ତାଙ୍କ କପାଳ କଟି ରକ୍ତ ବାହାରିଥିଲା। ତା’ପରେ ସେ ତାଙ୍କ କୋଠରିକୁ ଚାଲିଗଲେ ଓ ଆଉ ବାହାରିଲେ ନାହିଁ। ଫଳରେ ସେଥର ତାଙ୍କ ଜନ୍ମଦିନ ପାଳନ ଭଲରେ ହୋଇ ପାରିଲାନାହିଁ।

publive-image Image Courtesy of AT&T

ସେ ଆହୁରି ମଧ୍ୟ ଲେଖିଥିଲେ ଯେ, ଯଦି ସେ (ବର) କେବେ ଏମିତି କାଣ୍ଡ କରନ୍ତି (କେକ୍‌ ଫିଙ୍ଗିବା) ତେବେ ସେ ତାଙ୍କୁ ଛାଡ଼ି ଚାଲିଯିବେ ବୋଲି କହିଥିଲେ। ମୁଁ ଗୁରୁତ୍ବ ଦେଇ କହୁଥିବା ବ‌େଳେ ସେ ମୋ କଥା ହସରେ ଉଡ଼ାଇ ଦେଇଥିଲେ। ତେଣୁ, ବାହାଘର ଦିନ ସେ ମୋ ସତର୍କବାଣୀ ପ୍ରତି ଗୁରୁତ୍ବ ଦେଲେ ନାହିଁ। ଆମେ ‘କେକ୍‌-କଟିଙ୍ଗ୍‌’ ପାର୍ଟିରେ ଯୋଗ ଦେଲୁ। ମୁଁ ବୁଲି ପଡ଼ି ତାଙ୍କ ଆଡ଼କୁ ଚାହିଁବାରୁ ସେ କେକ୍‌ରୁ ଖଣ୍ଡେ ଉଠାଇ ଆଣି ମୋ ମୁହଁ ଉପରେ ଛାଟିଦେଲେ।

କେକ୍‌ ଖଣ୍ଡିକ ତାଙ୍କ (କନ୍ୟା) ‘ମେକ୍‌ଅପ୍‌’, କେଶ ଓ ପୋଷାକକୁ ନଷ୍ଟ କଲାନାହିଁ, ତାଙ୍କ ବିଶ୍ବାସକୁ ବି ଆଘାତ ଦେଲା। ତାଙ୍କ ପରିବାର ସମେତ ସେଠାରେ ସମବେତ ହୋଇଥିବା ଲୋକେ ତାଙ୍କୁ ଚାହିଁ ହସିଲେ। ଏଥର ସେ ବାହାରକୁ ଚାଲି ଆସି ‘ଉବେର୍‌’ କାର୍‌ରେ ବସି ଘଟଣାସ୍ଥଳରୁ ଚାଲିଗଲେ।

ଦିନ ସାରା ତାଙ୍କ ପରିବାର ଓ ବର ପରିବାର ଫୋନ୍‌ କରି କହିଲେ, ସେ ବୋକୀ ଭଳି ହେଉଛି। ତା’ ବର ଭଲ ମଣିଷ। ସେ ଖାଲି କୌତୁକରେ ଏମିତି କଲେ। ବର ମଧ୍ୟ ତାଙ୍କୁ ଫୋନ୍ କରି କ୍ଷମାଭିକ୍ଷା କଲେ। କିନ୍ତୁ, କିଛି ଲାଭ ହେଲା ନାହିଁ।