ଏହି ମହିଳାଙ୍କ ଉଦ୍ୟମରେ ଯୋଗକୁ ସାଉଦୀ ଆରବରେ ମିଳିଲା କ୍ରୀଡ଼ା ମାନ୍ୟତା

ନୂଆଦିଲ୍ଲୀ: ଯୋଗ ଦ୍ୱାରା ଅନେକ ଦୂରାରୋଗ୍ୟ ବ୍ୟାଧିର ଉପଶମ ହୋଇପାରୁଛି। ତେବେ ସାଉଦୀ ଆରବରେ ଜଣେ  ମହିଳାଙ୍କ ଉଦ୍ୟମରେ ଯୋଗକୁ ମିଳିଛି ଏକ କ୍ରୀଡ଼ାର ମାନ୍ୟତା। ୩୭ ବର୍ଷୀୟା ନୌଫ ମରଓ୍ଵାଇଙ୍କ ପ୍ରଚେଷ୍ଟା ବଳରେ ଯୋଗ ଏହି ମାନ୍ୟତା ହାସଲ କରିଛି।

ସାଉଦୀ ଆରବର ଜେହେଦାରେ ବାସ କରୁଥିବା ମରଓ୍ଵାଇ ହେଉଛନ୍ତି ଆରବର ଏକମାତ୍ର ମହିଳା ଯୋଗ ଏବଂ ଆର୍ୟୁବେଦିକ ଚିକିତ୍ସକ । ସେ ୧୯ ବର୍ଷ ବୟସରେ ଯୋଗ କରିବା ଆରମ୍ଭ କରିଥିିଲେ। ଯୋଗର ଉପକାରିତା ସଂପର୍କରେ ସେ କହନ୍ତି, ‘ମୁଁ ସ୍ତନ କର୍କଟ ଦ୍ୱାରା ଆକ୍ରାନ୍ତ ଥିଲି। ମୁଁ ଏହାର ପ୍ରତିକାର ପାଇଁ କେମୋ ଚିକିତ୍ସା କରାଇନାହିଁ । ଯୋଗ ଏବଂ ନେଚରୋପାଥି ଚିକିତ୍ସା ଦ୍ୱାରା ମୁଁ ଆଜି ସୁସ୍ଥ ହୋଇଛି।’

ମୁଁ ବହୁ ଉତ୍ସୁକତାର ସହ ଯୋଗ ଶିକ୍ଷା କରିବାକୁ ଚାହୁଁଥିଲି ଏବଂ ଏଥି ପାଇଁ ଗୁରୁ ମଧ୍ୟ ଖୋଜୁଥିଲି କିନ୍ତୁ ମତେ କେହି ମିଳି ନ ଥିଲେ। ଏହା ପରେ ମୁଁ ନିଜେ ହିଁ ଅନେକ ସ୍ଥାନରୁ ସ୍ୱତଃ ଯୋଗ ଶିକ୍ଷା କରିବା ଆରମ୍ଭ କଲି। ପରେ ମତେ ଜଣେ ଭାରତୀୟ ଯୋଗ ଗୁରୁ ମିଳିଥିଲେ ଏବଂ ତାଙ୍କ ପାଖରେ ମୁଁ ୧ ବର୍ଷ ଯୋଗ ଶିକ୍ଷା କରିଥିଲି। ଯୋଗ କରିବା ପରେ ମୋର ଶରୀର ଏବଂ ଆତ୍ମାକୁ ଶାନ୍ତି ମିଳିଥିଲା ବୋଲି କହନ୍ତି ମରଓ୍ଵାଇ।

Firkee

ଯୋଗର ଉପକାରିତା ଅନୁଭବ କଲା ପରେ ମରଓ୍ଵାଇ ଏହା ବିଷୟରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଅଷ୍ଟ୍ରେଲିଆ ଯାଇ ସେଠାରେ ଫିଜିଓ ଏବଂ ଆନାଟୋମିରେ ଡିପ୍ଲୋମା କରିଥିଲେ। ସେ ଯୋଗ ଏବଂ ଆର୍ୟୁବେଦର ଶିକ୍ଷା ମଧ୍ୟ ଗ୍ରହଣ କରିଛନ୍ତି। ଏହା ପରେ ମଧ୍ୟ ମାରଓ୍ଵାଇ ସାଉଦିରେ ଯୋଗ ଶିକ୍ଷା ଦେବା ପାଇଁ କୌଣସି ସୁବିଧା ମିଳି ନ ଥିଲା।

‘ଯେତେବେଳେ ମୁଁ ଏଠାରେ ଯୋଗ ଶିକ୍ଷା ଲାଗି ଉଦ୍ୟମ ଆରମ୍ଭ କଲି ସେତେବେଳେ ବହୁ ବିରୋଧର ସମ୍ମୁଖୀନ ହେଲି। କେତେକଙ୍କ ଧାରଣା ଥିଲା କି ଏହା ଏକ ଧାର୍ମିକ କ୍ରିୟା । ଏ ପ୍ରସଙ୍ଗରେ ମୁଁ ସେଠାକାର କର୍ତ୍ତୃପକ୍ଷଙ୍କୁ ବୁଝାଇବା ପରେ ଯୋଗକୁ ସେମାନେ ଏକ କ୍ରୀଡାର ମାନ୍ୟତା ପ୍ରଦାନ କରିଥିଲେ।’ ବଖାଣନ୍ତି ମାରଓ୍ଵାଇ।

ବର୍ତ୍ତମାନ ଏତେ ବାଧକ ପରେ ମୁଁ ସାଉଦୀ ଆରବରେ ଯୋଗ ଶିକ୍ଷା ଦେବାରେ ସଫଳ ହୋଇପାରିଛି। ମୁଁ ଏହାର ଏକ ମାଧ୍ୟମ ହୋଇଥିବାରୁ ବହୁ ଖୁସି ଅନୁଭବ କରୁଛି। ଏହା ବାଟରେ ଆସୁଥିବା ବାଧାକୁ ସାମ୍ନା କରିବାକୁ ମତେ ଭଗବାନ ଶକ୍ତି ଦିଅନ୍ତୁ ବୋଲି ନିଜର ଏକ ଫେସବୁକ୍‌ ପୋଷ୍ଟରେ କହିଛନ୍ତି ନୌଫ ମରଓ୍ଵାଇ।

ସମ୍ବନ୍ଧିତ ଖବର