ନୂଆଦିଲ୍ଲୀ: ବିବାହ ସମୟରେ ବେଦୀ ଉପରେ ବ୍ରାହ୍ମଣ ବରବଧୂଙ୍କୁ ସାଥୀ ହୋଇ ଜୀବନ ବଞ୍ଚିବାକୁ ହେଲେ କିଛିଟା ସୂତ୍ର ଜଣାଇ ଦେଇଥାଆନ୍ତି। ତାହାକୁ ଯିଏ ଅନୁସରଣ କରି ଚାଲିଥାଏ ତାହାର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ବୋଲି କୁହାଯାଏ।

Advertisment

ସମାଜରେ ସ୍ବାମୀ ଓ ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଅନେକ ଘଟଣା ଦୁର୍ଘଟଣା ସାମ୍ନାକୁ ଆସିଛି। ନିକଟରେ ଘଟିଥିବା ଦୁଇଟି ବଡ଼ବଡ଼ ଅଘଟଣର ଏବେ ବି ତଦନ୍ତ ଚାଲିଛି। ପ୍ରେମିକଙ୍କ ସହ ରହିବା ପାଇଁ ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରି ନୀଳ ଡ୍ରମରେ ପୁରାଇ ମାରି ଦେଲାଣି ତ କେଉଁଠି ହନିମୁନ ବୁଲିବାକୁ ଯାଇ ସ୍ବାମୀକୁ ସ୍ତ୍ରୀ ହତ୍ୟା  କଲାଣି। ଏଭଳି ଲୋମଟାଙ୍କୁରା ଘଟଣା ପରେ....ପ୍ରତ୍ୟେକ ପୁରୁଷଙ୍କ ମନରେ କୌଣସି ନା କୌଣସି କ୍ଷେତ୍ରରେ ଭୟ ଉଙ୍କି ମାରିଥିବ ନିଶ୍ଚୟ। କିନ୍ତୁ ଥରେ ଏହି ଚିତ୍ରକୁ ଦେଖନ୍ତୁ ତ କି ହୃଦୟସ୍ପର୍ଶୀ... ଦୁହିଁଙ୍କ ମଧ୍ୟରେ କେତେ ମଧୁର ସମ୍ପର୍କ। ସ୍ବାମୀ ଦିବ୍ୟାଙ୍ଗ । ଚାଲିବାକୁ ଅକ୍ଷମ। ଶ୍ରାବଣ ମାସ ଆରମ୍ଭ ହୋଇ ଯାଇଥିବାରୁ  ସହଧର୍ମିଣୀଙ୍କ କାନ୍ଧରେ ବସି ବ୍ୟକ୍ତି ଜଣକ ଭଗବାନ ଶିବଙ୍କ ପାଇଁ ପାଣି ନେଇ ମନ୍ଦିରରେ ପହଞ୍ଚିଛନ୍ତି।

ଉତ୍ତର ପ୍ରଦେଶର ଘଜିଅବଦ୍ ଜିଲ୍ଲାର ମୋଦିନଗରର ବାସିନ୍ଦା ସଚିନ ହେଉଛନ୍ତି ଦିବ୍ୟାଙ୍ଗ। ସେ ଠିକ ଭାବେ ଚାଲି ପାରନ୍ତି ନାହିଁ। କିନ୍ତୁ ପ୍ରତିବର୍ଷ ଶ୍ରାବଣମାସର ସୋମବାର ସେ ଭଗବାନଙ୍କ ଶିବଙ୍କୁ ଜଳ ଅର୍ପଣ କରିଥାଆନ୍ତି।
ଚଳିତବର୍ଷ ବି ସେ ଭଗବାନ ଶିବଙ୍କ ପାଇଁ ପାଣି ନେଇ ଆସିଥିଲେ। ଏହି ସମୟରେ ସଚିନଙ୍କ ସାହାରା ପାଲଟିଥିଲେ ତାଙ୍କ ସହଧର୍ମିଣୀ।

ସଚିନଙ୍କୁ ତାଙ୍କ ପତ୍ନୀ କାନ୍ଧ ବସାଇ ପ୍ରାୟ ୧୭୦ କିଲୋମିଟରର ଦୀର୍ଘପଥ ଅତିକ୍ରମ କରିବା ପରେ ସୋମବାର ହରିଦ୍ୱାରର କନଖଲସ୍ଥିତ ଦକ୍ଷିଣେଶ୍ୱର ମହାଦେବ ମନ୍ଦିରରେ ପହଞ୍ଚିଥିଲେ। ଏଠାରେ ଭୋଲେନାଥଙ୍କୁ ଜଳ ଅର୍ପଣ କରି ନିଜର ଭକ୍ତି ଓ ମନସ୍କାମନା ଜଣାଇଥିଲେ ସଚିନ। ଏହି ସମୟରେ ମନ୍ଦିରରେ ଉପସ୍ଥିତ ଅନେକ ଭକ୍ତ ଏ ଦୃଦୟସ୍ପର୍ଶୀ ଦୃଶ୍ୟକୁ ଦେଖି ଦିବ୍ୟାଙ୍ଗ ସଚିନଙ୍କ ସ୍ତ୍ରୀଙ୍କ ସ୍ନେହ, ଭଲପାଇବା  ଓ ଭକ୍ତିକୁ ଭୁରିଭୁରି ପ୍ରଶଂସା କରିଥିଲେ। ଏଥିସହିତ ଏ ଦମ୍ପତିଙ୍କ ଫଟୋ ଉଠାଇବା ସହିତ ଅନେକ ଭକ୍ତ ଭିଡିଓ ବି କରିଥିଲେ।