ନୂଆଦିଲ୍ଲୀ: ଆମେ ଯଦି ଦିନ ତମାମ ତ ଦୂରର କଥା କିଛି ଘଣ୍ଟା ବି ଛିଡ଼ା ହୋଇ ଯାଆନ୍ତି ତ ଥକି ଯାଇଥାନ୍ତି। ସେଥିରେ ଯଦି ରୋଷେଇ କରିବାକୁ ପଡ଼େ ତ ଶରୀର ଆହୁରି ହାଲିଆ ଲାଗେ। ଥରେ ଭାବନ୍ତୁ ତ ଆପଣଙ୍କୁ ଯଦି ୪ ଦିନ କାଳ ଛିଡ଼ା ହୋଇ ରୋଷେଇ କରିବାକୁ କୁହାଯାଏ ତ ଆପଣ କ’ଣ କରିବେ? ଏପରି କରି ଜଣେ ମହିଳା ଉଦାହରଣ ସୃଷ୍ଟି କରିଛନ୍ତି।
ଏପରି କଷ୍ଟସାଧ୍ୟ କାମ କରି ସେ ନିଜ ନାମ ‘ଗିନିଜ୍ ବୁକ୍ ଅଫ୍ ରେକର୍ଡ’ରେ ଲେଖାଇବାରେ ସମର୍ଥ ହୋଇ ପାରିଛନ୍ତି। ସେ ୯୩ ଘଣ୍ଟା ୧୧ ମିନିଟ୍ ପର୍ଯ୍ୟନ୍ତ ବିନା ଅଟକି ଖାଦ୍ୟ ପ୍ରସ୍ତୁତ କରି ଦୀର୍ଘ ‘ସୋଲୋ କୁକିଂ ମାରାଥନ୍’ ଟାଇଟଲ୍ ହାତେଇଛନ୍ତି। ୨୬ ବର୍ଷୀୟା ଏହି ମହିଳାଙ୍କ ନାମ ହିଲ୍ଡା ବେକି। ସେ ବୃତ୍ତିରେ ଜଣେ ସେଫ୍ ଓ ହିଲ୍ଡା ହେଉଛନ୍ତି ନାଇଜେରିଆର ବାସିନ୍ଦା।
ସେ ଗିନିଜ୍ ୱାର୍ଡ ରେକର୍ଡ ପ୍ରତିଯୋଗିତାରେ ସ୍ଥାନ ନେବା ପୂର୍ବରୁ ଜିମ୍ ଯାଇ ଟ୍ରେନିଂ ନେଇଥିଲେ। ତାଙ୍କୁ ୪ ଦିନ ପର୍ଯ୍ୟନ୍ତ ଛିଡ଼ା ହୋଇ କରି ରୋଷଇ କରିବାର ଥିଲା। ନାଇଜେରିଆର ପାରମ୍ପରିକ ଖାଦ୍ୟକୁ ପୂରା ବିଶ୍ବ ସହ ପରିଚିତ କରାଇବାର ସ୍ବପ୍ନ ଦେଖିଛନ୍ତି। ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡ ପ୍ରତିଯୋଗିତା ମଞ୍ଚ ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ନେଇ ଆସିଥିଲା।
ସେ ପୂର୍ବରୁ ମଧ୍ୟ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇ ସାରିଛନ୍ତି। ମାତ୍ର ଏଥର ପ୍ରଥମ ଥର ପାଇଁ ସେ ଏତେ ବଡ଼ ମଞ୍ଚରେ ନିଜକୁ ପ୍ରମାଣିତ କରିଛନ୍ତି।